କାଲିମେଳା : ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲିଠାରୁ ଲଗାଣ ବର୍ଷା ହେବା ଯୋଗୁଁ କାଲିମେଳା ବ୍ଳକ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି । ଫଳରେ ଲୋକମାନେ ଏକ ପ୍ରକାର ଜଳବନ୍ଦୀ ଭାବରେ ରହିବାକୁ ବାଧ୍ୟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ କାଲିମେଳାରେ ସର୍ବାଧିକ ୧୨୭ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି । ତେଣୁ ଲଗାଣ ବର୍ଷା ଯୋଗୁଁ ପୋଟେରୁ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ପୋଟେରୁ ନଦୀରେ ବନ୍ୟାପାଣି ଆସିବା ଯୋଗୁଁ ପୋଲ ଉପରେ ୧୦ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ ପୋଟେରୁ ଗ୍ରାମ ଭିତରେ ବନ୍ୟାଜଳ ପ୍ରବେଶ କରି ଅନେକ ଦୋକାନ ଘର ନଷ୍ଟ କରିଦେଇଛି । ଲୋକମାନେ ନିଜ ନିଜର ଜିନିଷପତ୍ର ଧରି ଉଚା ସ୍ଥାନକୁ ଚାଲିଯାଉଥିବାର ଦେଖିବାକୁ ମିଳିଛି । ମାଲକାନଗିରି ରୁ କାଲିମେଳାକୁ ସୋଂଯାଗ କରୁଥିବା ଜାତୀୟ ରାଜପଥର ପୋଟେରୁ, କାଂଗୁରକୋଣ୍ଡା ପୋଲ ବୁଡ଼ିଯାଇଥିବାରୁ ଜିଲ୍ଲାପାଳ ବାଲିମେଳା ଦେଇ ଏମପିଭି-୧୬ ଗ୍ରାମରେ ପହଁଚିଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶରେ ତୁରନ୍ତ ସେମାନଙ୍କୁ କାଲିମେଳାରୁ ଅଗ୍ନିଶମ ବାହିନୀ ପାୱାର ବୋଟ ସାହାଯ୍ୟରେ ଉଦ୍ଧାର କରି ନିକଟସ୍ଥ ଏମପିଭି-୨୦ ପ୍ରାଥମିକ ବିଦ୍ୟାଳୟରେ ଆଣି ରଖିବାର ବ୍ୟବସ୍ଥା କରିଥିଲେ । ଏମପିଭି-୧୬ ଗ୍ରାମର ୩୫ଟି ପରିବାରର ୮୦ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ଏହି ସ୍କୁଲରେ ଥଇଥାନ କରାଯାଇ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏଥି ଯୋଗୁଁ ବିଭିନ୍ନ ସ୍ଥାନରେ ଶହଶହ ଯାନବାହାନ ଅଟକି ରହିଥିବାର ଦେଖିବାକୁ ମିଳିଛି । ଗତକାଲି ଠାରୁ କାଲିମେଳା ବ୍ଳକରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଦୋକାନ ବଜାର ଓ ଡ଼େଲି ମାର୍କେଟ ଗୁଡ଼ିକ ମଧ୍ୟ ବନ୍ଦ ରହିଛି । ଫଳରେ ନିତ୍ୟବ୍ୟହାର୍ଯ୍ୟ ଜିନିଷ ପତ୍ରର ଅଭାବ ଦେଖାଦେଇଛି । ବନ୍ୟା ଯୋଗୁଁ ଜାତୀୟ ରାଜପଥ ବୁଡ଼ି ରହିଥିବାରୁ ଆନ୍ଧ୍ରରୁ କୌଣସି ମାଲବାହୀ ଗାଡ଼ି ଜିଲ୍ଲାକୁ ଆସିପାରୁନାହିଁ ।