ଜାତିସଂଘ: ଚଳିତ ଗ୍ରୀଷ୍ଣଋତୁରେ ହୋଇଥିବା ଭୟଙ୍କର ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳର ୨୦ ଲକ୍ଷ ଶିଶୁ ଏବେ ବି ସ୍କୁଲ ଯାଉନାହାନ୍ତି ବୋଲି ଜାତିସଂଘ ଏଜେନ୍ସି ୟୁନିସେଫ୍ ପକ୍ଷରୁ କୁହାଯାଇଛି । ୟୁନିସେଫ୍ ଅନୁସାରେ ଜୁନ୍ ମଧ୍ୟଭାଗରେ ଆସିଥିବା ବନ୍ୟାରେ ଦେଶର ପ୍ରାୟ ୨୭ ହଜାର ସ୍କୁଲ୍ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଯାଇଛି । ସେହିପରି ବନ୍ୟାଜଳ ସମ୍ପୂର୍ଣ୍ଣ ଭାବେ ଛାଡ଼ିବାକୁ ଏବେ ମାସାଧିକ କାଳ ଲାଗିବ ବୋଲି ଏଜେନ୍ସି କହିଛି । ଏଜେନ୍ସି ଅନୁସାରେ କେତେକ ସ୍ଥାନରେ ସ୍କୁଲ୍ର ଛାତ ଦିଶିବା ଆରମ୍ଭ ହୋଇଥିବା ବେଳେ ବାକି ଅଂଶ ଏବେ ବି ବନ୍ୟାପାଣିରେ ବୁଡ଼ି ରହିଛି । ପାକିସ୍ତାନରେ ଦେଖାଦେଇଥିବା ଏହି ଭୟଙ୍କର ବନ୍ୟାରେ ୧୭୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩.୩ କୋଟି ଲୋକ ବିସ୍ଥାପିତ ହୋଇଥିଲେ । ଏହା ମଧ୍ୟରୁ ଅଧିକାଂଶ ସିନ୍ଧ୍ ଏବଂ ବଲୁଚିସ୍ତାନ ପ୍ରଦେଶର ବୋଲି ରିପୋର୍ଟରେ କୁହାଯାଇଛି । ପାକିସ୍ତାନୀ ଅଧିକାରୀଙ୍କ ଅନୁସାରେ ମୃତକଙ୍କ ମଧ୍ୟରେ ୬୪୭ ଶିଶୁ ଅନ୍ତର୍ଭୁକ୍ତ । ୟୁନିସେଫ୍ର ଶିକ୍ଷା ପ୍ରମୁଖ ରବର୍ଟ ଜେଙ୍କିନ୍ସ ବନ୍ୟା ବିଭୀଷିକାରୁ ବର୍ତ୍ତିଯାଇଥିବା ଲୋକଙ୍କୁ ଗୁରୁବାର ଭେଟିଥିଲେ । ସ୍କୁଲ ଯାଉନଥିବା ଶିଶୁମାନେ କେବେ ଶ୍ରେଣୀକୁ ଯିବା ଆରମ୍ଭ କରିବେ ତାହା ମଧ୍ୟ କହିବା କଠିନ ବୋଲି ଜେଙ୍କିନ୍ସ କହିଛନ୍ତି । ପାକିସ୍ତାନର ବନ୍ୟା ପ୍ରଭାବିତ ଅଞ୍ଚଳରେ ୟୁନିସେଫ୍ ଏହା ମଧ୍ୟରେ ୫୦୦ରୁ ଅଧିକ ଅସ୍ଥାୟୀ ଶିକ୍ଷଣ କେନ୍ଦ୍ର ସ୍ଥାପନ କରିଛି । ଆଗକୁ ଶୀତଋତୁ ଆସୁଥିବାରୁ ବନ୍ୟା ପୀଡ଼ିତଙ୍କ ସହାୟତା ନିମନ୍ତେ ସହଯୋଗ ବୃଦ୍ଧି କରିବା ପାଇଁ ପାକିସ୍ତାନ ଇତିମଧ୍ୟରେ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଛି । ପାକିସ୍ତାନର ସହାୟତା ପାଇଁ ଚୀନ୍ ବୁଧବାର ୬.୮ କୋଟି ଡଲାରର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛି । ଏହା ସହିତ ଚୀନ୍ ପକ୍ଷରୁ ପାକିସ୍ତାନକୁ ପ୍ରଦାନ କରାଯାଇଥିବା ଖାଦ୍ୟ ସହାୟତା ଇତିମଧ୍ୟରେ ବୃଦ୍ଧି ପାଇଁ ୧୫ କୋଟି ଡଲାରରେ ପହଞ୍ଚିଛି । ପାକିସ୍ତାନକୁ ସହାୟତା ଯୋଗାଇ ଦେବାରେ ଆମେରିକା ଦ୍ୱିତୀୟ ନମ୍ବରରେ ରହିଛି । ଆମେରିକା ବର୍ତ୍ତମାନ ସୁଦ୍ଧା ବନ୍ୟା ପୀଡ଼ିତଙ୍କ ପାଇଁ ୯.୭ କୋଟି ଡଲାର ସହାୟତା ପ୍ରଦାନ କରିଛି । ବିଶ୍ୱ ବ୍ୟାଙ୍କ ଅନୁସାରେ ବନ୍ୟା କାରଣରୁ ପାକିସ୍ତାନର ୪୦ ବିଲିୟନ୍ ଡଲାର କ୍ଷତି ହୋଇଛି ।