କଟକ : ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା ସହ ସୁସ୍ୱାଦୁ ଖାଦ୍ୟ ଖାଇବାର ଆନନ୍ଦ ଉଠାଇବା ନିମନ୍ତେ କଟକସ୍ଥିତ ସିଲିଭର ସିଟି ବୋଟ୍ କ୍ଲବ ପରିସରରେ ଆଜି ଏକ ‘ଫ୍ଲୋଟିଂ ରେଷ୍ଟୁରାଣ୍ଟ’କୁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଉଦଘାଟନ କରିଛନ୍ତି । କୋଭିଡ୍ ଗାଇଡଲାଇନକୁ ଅନୁସରଣ କରି ପର୍ଯ୍ୟଟକମାନେ ଏହି ୮ ସିଟ୍ ବିଶିଷ୍ଟ ଫ୍ଲୋଟିଂ ରେଷ୍ଟୁରାଣ୍ଟରେ ଆନନ୍ଦ ଉଠାଇପାରିବେ । ଆଜି ଏହି ରେଷ୍ଟୁରାଣ୍ଟକୁ ଉଦଘାଟନ କରି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଥିଲେ ଯେ, ରାଜ୍ୟରେ ସବୁକ୍ଷେତ୍ରର ପର୍ଯ୍ୟଟନ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଦିଗରେ ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଛନ୍ତି । ବିଶେଷକରି ଓଡ଼ିଶାରେ ୱାଟର ସ୍ପୋର୍ଟସ ଓ ଆନନ୍ଦଦାୟକ ଜଳକ୍ରୀଡ଼ା ଆଦିର ବ୍ୟାପକ ସମ୍ଭାବନା ରହିଛି ଓ ଏଥିପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।
ଚଳିତବର୍ଷ ଏପ୍ରିଲ ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ କଟକର ମହାନଦୀ କୂଳରେ ଏହି ସିଲିଭର ସିଟି ବୋଟ୍ କ୍ଲବକୁ ଉଦଘାଟନ କରିଥିଲେ । ତେବେ କରୋନା ମହାମାରୀ କଟକଣା ଯୋଗୁ ଏହା ବନ୍ଦ ରହିଥିଲା । ମାତ୍ର ରାଜ୍ୟ ସରକାର ଅନୁମତି ଦେବା ପରେ କୋଭିଡ୍ ଗାଇଡଲାଇନ୍ ପାଳନ କରି ଏହା ପର୍ଯ୍ୟଟକଙ୍କ ନିମନ୍ତେ ପୁଣି ଉନ୍ମୁକ୍ତ ହୋଇଛି । ଏବେ ପାର୍ବଣ ଋତୁ ଆରମ୍ଭ ହୋଇସାରିଥିବାବେଳେ କଟକ ସହରବାସୀଙ୍କ ସମେତ ରାଜ୍ୟର ଲୋକମାନେ ମହାନଦୀ ଜଳରାଶି ଭିତରେ ଭାସମାନ ଅବସ୍ଥାରେ ସୁସ୍ୱାଦୁ ଖାଦ୍ୟର ଆନନ୍ଦ ଉଠାଇ ପାରିବେ । ତେବେ ଆଗାମୀ ଦିନରେ ଏହି ବୋଟ୍ କ୍ଲବ କିଭଳି ରାଜ୍ୟ ତଥା ରାଜ୍ୟ ବାହାରର ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିପାରିବ ସେଥିପାଇଁ ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ ଏହାର ବ୍ୟାପକ ପ୍ରଚାର ପ୍ରସାର କରାଇବା ପାଇଁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ପରାମର୍ଶ ଦେଇଛନ୍ତି । ସେହିପରି ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ ଯେ, ଜଳଭିତ୍ତିକ କ୍ରୀଡ଼ାର ଆନନ୍ଦ ଉଠାଇବା ପାଇଁ ସିଲିଭର ସିଟି ବୋଟ୍ କ୍ଲବରେ ସମସ୍ତ ପ୍ରକାରର ସୁବିଧା ରହିଛି । ଆଜି ଏଠାରେ ୮ଟି ସିଟ୍ ବିଶିଷ୍ଟ ପ୍ଲୋଟିଂ ରେଷ୍ଟୁରାଣ୍ଟ ଉଦଘାଟିତ ହୋଇଛି ।
ଆଗାମୀ ଦିନରେ ଆଉ ୮ଟି ସିଟ୍ ଓ ୩୦ଟି ସିଟ୍ ବିଶିଷ୍ଟ ଫ୍ଲୋଟିଂ ରେଷ୍ଟୁରାଣ୍ଟ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଜଳକ୍ରୀଡ଼ା ଓ ଫ୍ଲୋଟିଂ ରେଷ୍ଟୁରାଣ୍ଟ ପରିଚାଳନାବେଳେ ପର୍ଯଟକମାନଙ୍କ ନିରାପତ୍ତା ସହ କୋଭିଡ୍ ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି କହିଥିଲେ ଯେ, ଆଗାମୀ ଦିନରେ ଏହି ବୋଟ୍ କ୍ଲବର ଭିତ୍ତିଭୂମି ଓ ଆନୁସଙ୍ଗିକ ସେବାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ଅବସରରେ ଓଟିଡିସି କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ର, କଟକ ପାନ୍ଥନିବାସ ମ୍ୟାନେଜର ତାରିକ୍ ଅଲ୍ଲୀଙ୍କ ସମେତ ଓଟିଡିସିର ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।