21.1 C
Bhubaneswar
Monday, November 18, 2024
Homeଓଡିଶା୫ଟି ଜିଲ୍ଲା ପରିଷଦ ଆସନ ପାଇଁ ୧.୫୨ଲକ୍ଷ ଭୋଟର କରିବେ ମତଦାନ

୫ଟି ଜିଲ୍ଲା ପରିଷଦ ଆସନ ପାଇଁ ୧.୫୨ଲକ୍ଷ ଭୋଟର କରିବେ ମତଦାନ

ରାୟଗଡା : ଆଉ ଦୁଇଦିନ ପରେ ନେତାଙ୍କ ମୁଣ୍ଡ ଉପରେ ପଞ୍ଚାୟତ ପରୀକ୍ଷା । ନିର୍ବାଚନରେ ବାଜିମାତ ପାଇଁ ପ୍ରାର୍ଥୀ ଓ ନିଜ ସମର୍ଥକଙ୍କୁ ନେଇ ଚଳାଇଛନ୍ତି ଜୋରଦାର ପ୍ରଚାର । ମତଦାତାଙ୍କୁ ଆକୃଷ୍ଟ କରିବା ସକାଶେ କୌଣସି ଉପାୟ ହାତ ଛଡା କରୁନାହାନ୍ତି ପ୍ରାର୍ଥୀ । ଅନ୍ୟପଟେ ପ୍ରମୁଖ ଦଳର ଭେତେରାନ ନେତା ମଇଦାନରେ ଓହ୍ଲାଇ ପ୍ରାର୍ଥୀଙ୍କ ସମର୍ଥନରେ ଚଳାଇଛନ୍ତି ମାରାଥନ ପ୍ରଚାର । ବିଜେଡିର ତିନିଜଣ ଷ୍ଟାର ପ୍ରଚାରକ ରାଜ୍ୟସଭା ସାଂସଦ ତଥା ଦଳର ବରି ନେତା ଏନ ଭାସ୍କର ରାଓ, ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର ଜୋରଦାର କରିଛନ୍ତି । ଅନୁରୂପ ଶାସକ ଦଳର ପଥକୁ ଅନୁସରଣ କରି ବିରୋଧି ବିଜେପି ରାଜ୍ୟ ପ୍ରାଭାରୀ ଡି.ପୁରେନ୍ଦ୍ରଶ୍ୱରୀଙ୍କୁ ପଞ୍ଚାୟତ ରଣାଙ୍ଗନରେ ଓଲାହି ଭାଜପା ପ୍ରାର୍ଥୀଙ୍କ ପାଇଁ ମରାଥନ ପ୍ରଚାର ଚଳାଇଛନ୍ତି । ସେହିପରି ବିରୋଧିଙ୍କୁ ମାତ ଦେବା ପାଇଁ କଂଗ୍ରେସ ମଧ୍ୟ ପଡୋଶୀ ରାଜ୍ୟ ଛତିଶଗଡ ମନ୍ତ୍ରୀ କାୱାସି ଲକ୍ଷ୍ମାଙ୍କୁ ପଞ୍ଚାୟତ ମଇଦାନରେ ଓଲାହି ମରାଥନ ପ୍ରଚାର ଜାରି ରଖିଛି । ତେବେ ଜିଲ୍ଲାରେ ଆସନ୍ତା ୧୬ରିଖ ଦିନ ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁରରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ । ଏହି ତିନୋଟି ବ୍ଲକରେ ୧.୫୨ଲକ୍ଷ ମତଦାତା ଭାଟଦାନ ପ୍ରକ୍ରିୟାରେ ସାମିଲ ହେବେ ବୋଲି ଜଣାଯାଇଛି । ଉକ୍ତ ବ୍ଲକର ୫୫୪ଟି ବୁଥରେ ମତଦାନ ଅନୁଷ୍ଠିତ ହେବ । ତେବେ ୫ଟି ଜିଲ୍ଲା ପରିଷଦ ଆସନ, ୪୬ଟି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୫୫୪ଟି ୱାର୍ଡ ମେମ୍ବର ସକାଶେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ତେବେ ଉକ୍ତ ବ୍ଲକରେ ୪୬ଟି ବୁଥ ଅତ୍ୟଧିକ ସମ୍ଭେଦନଶୀଳ ଥିବାବେଳେ ୮୭ଟି ବୁଥ ସମ୍ଭେଦଶୀଳ ରହିଥିବା କୁହାଯାଇଛି । ଏହି ବୁଥମାନଙ୍କରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ମତଦାନ ଆଉ ଦୁଇ ଦିନ ରହିଥିବାରୁ ଆଜିଠୁ ପୋଲିଂ କର୍ମଚାରୀମାନେ ସମ୍ପୃକ୍ତ ବୁଥକୁ ଯାଇ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇବେ ବୋଲି ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜକୁମାର ମିଶ୍ର । ତେବେ କେତେକ ସ୍ଥାନରେ ଲାଲ ବାହିନୀଙ୍କ ପ୍ରାଦୁର୍ଭାବ ରହିଥିବାରୁ ଜିଲ୍ଲାରେ ୧୧ଗୋଟି ବୁଥ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏଥିମଧ୍ୟରୁ ଚନ୍ଦ୍ରପୁରର ୨, କଲ୍ୟାଣସିଂପୁରର ୨ଟି ଏବଂ ମୁନିଗୁଡା ବ୍ଲକର ସର୍ବାଧିକ ୭ଗୋଟି ବୁଥ ଅନ୍ୟ ପାଶ୍ୱର୍ସ୍ତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ନିର୍ବାଚନକୁ ଅବାଧ, ସ୍ୱଚ୍ଚ ଓ ନିରପକ୍ଷ କରିବାକୁ ଜିଲ୍ଲା ପ୍ରଶାସନ ଅବିରତ ଉଦ୍ୟମ ଚଳାଇଛି । ମତଦାନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସକାଶେ ବ୍ୟାପକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବା ବ୍ୟବସ୍ଥା ରହିଥିବା ଜଣାଯାଇଛି । ଅନୁରୂପ ପାଞ୍ଚଟି ପର୍ଯ୍ୟାୟରେ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲ୍ଲାରେ ୩,୭୦୦ଜଣ ପୋଲିଂ କର୍ମଚାରୀ ଭୋଟ ଗ୍ରହଣ ପ୍ରକ୍ରିୟାରେ ମୁତୟନ ରହିବା ସହ ଅଧିକ ୧୦ପ୍ରତିଶତ ଅର୍ଥାତ ମୋଟ ୪,୧୧୦ଜଣ ଅଧିକ କର୍ମଚାରୀଙ୍କୁ ସଂଗ୍ରକ୍ଷିତ ରଖଯିବ ବୋଲି ସୂଚନା ମିଳିଛି । ଜିଲ୍ଲାରେ ମୋଟ ୫ଲକ୍ଷ ୯୯ହଜାର ମତଦାତା ତ୍ରିସ୍ତରୀୟ ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବେ । ତେବେ ୨୨ଗୋଟି ଜିଲ୍ଲା ପରିଷଦ ଆସନ ୧୮୨ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨,୨୦୨ଟି ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀ ଏହି ପଞ୍ଚାୟତ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା ସକାଶେ ମଇଦାନରେ ଅବତିର୍ଣ୍ଣ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking