17.1 C
Bhubaneswar
Tuesday, November 26, 2024
Homeଖେଳନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌: ବାବର୍‌ଙ୍କ ଅପରାଜିତ ଶତକ, ପାକିସ୍ତାନ ୩୧୭/୫

ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌: ବାବର୍‌ଙ୍କ ଅପରାଜିତ ଶତକ, ପାକିସ୍ତାନ ୩୧୭/୫

କରାଚି : ସୋମବାରଠାରୁ ଏଠାରେ ଘରୋଇ ପାକିସ୍ତାନ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ତା’ର ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ କରିଛି । ପ୍ରଥମ ଦିନରେ ବ୍ୟାଟିଂ ନିଷ୍ପତ୍ତି ନେଇ ପାକିସ୍ତାନ ଅଧିନାୟକ ବାବର୍ ଆଜମ୍‌ଙ୍କ ଅପରାଜିିତ ଶତକ ସହାୟତାରେ ୫ ୱିକେଟ୍ ବିନିମୟରେ ୩୧୭ ରନ୍ କରିଛି । ଏକଦା ୧୧୦ ରନ୍‌ରେ ୪ଟି ୱିକେଟ୍ ହରାଇ ବିପଦରେ ପଡ଼ିଥିବା ପାକିସ୍ତାନକୁ ଏଥିରୁ ଉଦ୍ଧାର କରିଥିଲେ ବାବର୍ ଓ ତାଙ୍କ ଯୋଡ଼ିଦାର ସର୍ଫରାଜ ଅହମ୍ମଦ । ଉଭୟଙ୍କ ମଧ୍ୟରେ ୧୯୬ ରନ୍‌ର ବଳିଷ୍ଠ ଭାଗୀଦାରୀ ହେବା ଫଳରେ ପାକିସ୍ତାନ ସ୍କୋର୍ ୩ ଶହ ଅତିକ୍ରମ କରିପାରିଥିଲା । ଦିନର ଖେଳ ଶେଷ ବେଳକୁ ଅଧିନାୟକ ବାବର୍ ୧୬୧ ଓ ଆଗା ସଲମାନ୍ ୩ ରନ୍ କରି ଅପରାଜିତ ଅଛନ୍ତି । ପାକିସ୍ତାନ ପାଇଁ ଦୁଇ ଓପନର ଅବଦୁଲ୍ଲା ଶଫିକ୍ ଓ ଇମାମ୍‌-ଉଲ୍‌-ହକ୍ ଇନିଂସ ଆରମ୍ଭ କରିଥିଲେ ହେଁ ଚତୁର୍ଥ ଓଭର୍‌ରେ ଶଫିକ୍ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କୁ ସ୍ପିନର୍ ଏଜାଜ୍ ପଟେଲ୍ ଆଉଟ୍ କରିଥିଲେ ।

ସେହିପରି ଶାନ୍ ମାସୁଦ୍ ମାତ୍ର ୩ ରନ୍ କରି ଆଉଟ୍ ହେବା ଫଳରେ ଦଳୀୟ ସ୍କୋର୍ ୧୯ ଥିବା ସମୟରେ ପାକିସ୍ତାନ ତା’ର ଦ୍ୱିତୀୟ ୱିକେଟ୍ ହରାଇଥିଲା । ପ୍ରଥମ ଦୁଇଟି ୱିକେଟ୍ ଷ୍ଟମ୍ପିଂ ମାଧ୍ୟମରେ ଆସିଥିବା ବେଳେ ଟେଷ୍ଟ୍ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟିଥିଲା । ତୃତୀୟ ୱିକେଟ୍‌ରେ ଅଧିନାୟକ ବାବର୍‌ଙ୍କ ସହ ୨୯ ରନ୍ ଯୋଡ଼ିବା ପରେ ଇମାମ୍ ଆଉଟ୍ ହୋଇଥିଲେ । ସେତେବେଳକୁ ସେ ୫ଟି ଚୌକା ସହ ୨୪ ରନ୍ କରିଥିଲେ । ତାଙ୍କୁ ଆଉଟ୍ କରି ବାମହାତୀ ସ୍ପିନର୍ ମାଇକେଲ୍ ବ୍ରେସ୍‌ୱେଲ୍ ତାଙ୍କର ଦ୍ୱିତୀୟ ୱିକେଟ୍ ଦଖଲ କରିଥିଲେ । ବାବର୍ ଚତୁର୍ଥ ୱିକେଟ୍‌ରେ ସାଉଦ୍ ଶକୀଲଙ୍କ ସହ ମିଶି ଇନିଂସକୁ ଆଗେଇ ନେବାକୁ ଉଦ୍ୟମ କରି ଦଳୀୟ ସ୍କୋର୍‌କୁ ୧୦୦ ଅତିକ୍ରମ କରାଇଥିଲେ । ତେବେ ଦଳୀୟ ସ୍କୋର୍ ୧୧୦ ଥିବା ସମୟରେ ଶକୀଲ୍ ୨ଟି ଚୌକା ସହ ୨୨ ରନ୍‌ରେ ଆଉଟ୍ ହେବା ଫଳରେ ପାକିସ୍ତାନକୁ ଚତୁର୍ଥ ଝଟ୍‌କା ଲାଗିଥିଲା ।

କିନ୍ତୁ ୧୨ ଓ ୫୪ ରନ୍‌ରେ ଦୁଇ ଦୁଇ ଥର ଜୀବନଦାନ ପାଇଥିବା ବାବର୍ ତାଙ୍କ ଇନିଂସକୁ ଆଗେଇ ନେଇଥିଲେ । ତାଙ୍କୁ ସର୍ଫରାଜ ଉପଯୁକ୍ତ ସହାୟତା ମଧ୍ୟ ଯୋଗାଇ ଦେଇଥିଲେ । ଇତିମଧ୍ୟରେ ବାବର୍ ଟେଷ୍ଟ୍ କ୍ରିକେଟ୍‌ରେ ତାଙ୍କର ନବମ ଶତକ ପୂରଣ କରିଥିଲେ । ଚଳିତ ସିଜନ୍‌ରେ ସେ ଚତୁର୍ଥ ଶତକ ପୂରଣ କରିବା ସହ ୧୧୦୦ରୁ ଊର୍ଦ୍ଧ୍ୱ ରନ୍ ସଂଗ୍ରହ କରିସାରିଛନ୍ତି । ଚଳିତ ବର୍ଷ ତାଙ୍କ ନାମରେ ୭ଟି ଅର୍ଦ୍ଧଶତକ ରହିଥିବା ବେଳେ ଗତ ମାର୍ଚ୍ଚରେ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୧୯୬ ରନ୍‌ର ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ ।

କରାଚିରେ ଦୁଇଟି ଶତକ ବ୍ୟତୀତ ବାବର୍ ଗଲ୍‌ଠାରେ ଶ୍ରୀଲଙ୍କା ବିପକ୍ଷରେ ୧୧୯ ଓ ରାୱଲପିଣ୍ଡିଠାରେ ଇଂଲଣ୍ଡ ବିପକ୍ଷରେ ୧୩୬ ରନ୍ ମଧ୍ୟ କରିଛନ୍ତି । ଏଥିସହ ଚଳିତ ବର୍ଷ ବାବର୍ ତାଙ୍କ ଟେଷ୍ଟ୍ କ୍ୟାରିୟର୍‌ରେ ସର୍ବାଧିକ ସଫଳତା ପାଇଛନ୍ତି । ସେହିପରି ପାଖାପାଖି ୩ ବର୍ଷ ପରେ ଟେଷ୍ଟ୍ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ସର୍ଫରାଜ୍ କ୍ୟାରିୟର୍‌ର ୧୯ତମ ଅର୍ଦ୍ଧଶତକ ପୂରଣ କରିବା ସହ ୯ଟି ଚୌକା ସହାୟତାରେ ୮୬ ରନ୍‌ର ଯୋଗଦାନ ଦେଇଥିଲେ । ପ୍ରଥମ ଦିନର ଶେଷ ଭାଗରେ ସର୍ଫରାଜ ପଞ୍ଚମ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ । ନ୍ୟୁଜିଲାଣ୍ଡ୍ ପକ୍ଷରୁ ପଟେଲ୍ ଓ ବ୍ରେସ୍‌ୱେଲ୍ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅଧିନାୟକ ଟିମ୍ ସାଉଦି ଅନ୍ୟ ୱିକେଟ୍‌ଟି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking