ମାଉଣ୍ଟ ମାଙ୍ଗୁନୁଇ : ଫାଷ୍ଟ ବୋଲର୍ ଇବାଦତ୍ ହୁସେନ୍ଙ୍କ ଶାଣିତ ବୋଲିଂ (୪/୩୯) ସହାୟତାରେ ବାଂଲାଦେଶ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ ବିପକ୍ଷରେ ମଙ୍ଗଳବାର ଐତିହାସିକ ବିଜୟ ଦ୍ୱାରା ଦେଶରେ ପହଞ୍ଚିଛି । ବାଂଲାଦେଶ ପ୍ରଥମ ଇନିଂସ୍ରେ ୪୫୮ ରନ୍ କରି ୧୭୦ ରନ୍ର ଅଗ୍ରଣୀ ହାସଲ କରିବା ପରେ ଚତୁର୍ଥ ଦିନ ଖେଳ ଶେଷ ବେଳକୁ ମଙ୍ଗଳବାର ଇବାଦତ୍ଙ୍କ ବୋଲିଂ ସହାୟତାରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ୍ ସ୍କୋର୍ ୫ ୱିକେଟ୍ରେ ୧୭୭ ରନ୍ କରି ଦେଇଛି । ଫଳରେ ପ୍ରଥମ ଇନିଂସ୍ରେ ୩୨୮ ରନ୍ କରିଥିବା ନ୍ୟୁଜିଲାଣ୍ଡ ମାତ୍ର ୭ ରନ୍ରେ ଆଗୁଆ ରହିଛି । ଇବାଦତ୍ ପ୍ରଥମ ଇନିଂସ୍ରେ ଶତକ ହାସଲ କରିଥିବା ଡେଭନ୍ କୋନ୍ୱେ (୧୩)ଙ୍କୁ ଆଉଟ୍ କରିବା ପରେ ମାତ୍ର ୬ଟି ବଲ୍ ମଧ୍ୟରେ ୱିଲ୍ ୟଙ୍ଗ୍ (୬୯), ହେନ୍ରୀ ନିକୋଲ୍ସ (୦) ଓ ଟମ୍ ବ୍ଲଣ୍ଡେଲ୍ (୦)ଙ୍କୁ ପ୍ୟାଭିଲିୟନ୍ ଫେରାଇ ବାଂଲାଦେଶକୁ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି ।
ନ୍ୟୁଜିଲାଣ୍ଡର ଆଶା ଏବେ ୩୭ ରନ୍ରେ ବ୍ୟାଟିଂ କରୁଥିବା ଅନୁଭବୀ ରସ୍ ଟେଲର୍ଙ୍କ ଉପରେ ରହିଛି । ତାଙ୍କ ସହ ରଚିନ୍ ରବୀନ୍ଦ୍ର ୬ ରନ୍ରେ ବ୍ୟାଟିଂ କରୁଛନ୍ତି । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ମାଟିରେ ବାଂଲାଦେଶ ସମସ୍ତ ତନିଟି ଯାକ ଫର୍ମାଟ୍ରେ ମୋଟ ୩୭ ମ୍ୟାଚ୍ ଖେଳିଥିବା ବେଳେ ଗୋଟିକରେ (ସ୍କଟ୍ଲାଣ୍ଡ ବିପକ୍ଷ) ବିଜୟୀ ହୋଇଛି ।
ଅନୁଭବୀ ସାକିବ୍ ଅଲ୍ ହସନ୍, ତମିମ୍ ଇକ୍ବାଲ୍ ଓ ମହମ୍ମୁଦୁଲ୍ଲାଙ୍କ ଅନୁପସ୍ଥିତିରେ ଏହି ମ୍ୟାଚ୍ରେ ବାଂଲାଦେଶର ବିଜୟ ଆଶା କରାଯାଉ ନଥିଲା । ମାତ୍ର ବାଂଲାଦେଶ ପ୍ରଥମେ ନ୍ୟୁଜିଲାଣ୍ଡକୁ ବଡ଼ ସ୍କୋର୍ କରିବାରୁ ରୋକିଥିଲା । ପରେ ଅଧିନାୟକ ମୋମିନୁଲ୍ ହକ୍ (୮୮), ଲିଟନ୍ ଦାସ (୮୬), ମହମୁଦୁଲା ହସନ୍ ଜୟ (୭୮) ଏବଂ ନଜମୁଲ ହୁସେନ୍ ଶାନ୍ତୋ (୬୪)ଙ୍କ ଅର୍ଦ୍ଧଶତକ ସହାୟତାରେ ବୃହତ୍ ଅଗ୍ରଣୀ ହାସଲ କରିଥିଲା । ମଙ୍ଗଳବାର ସକାଳେ ବାଂଲାଦେଶ ୬ ୱିକେଟ୍ ବିନିମୟରେ ୪୦୧ ରନ୍ରୁ ଆଗକୁ ଖେଳିଥିଲା । ମେହେଦୀ ହସନ୍ (୪୭) ଓ ୟାସିର ଅଲୀ (୨୬)ଙ୍କ ପ୍ରୟାସରେ ପ୍ରଥମ ଇନିଂସ୍ ସ୍କୋର୍ ଆଉ ୫୭ ରନ୍ ଯୋଡ଼ିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଟେଣ୍ଟ୍ ବୋଲ୍ଟ ୪, ନୀଲ୍ ୱାଗ୍ନର୍ ୩ ଓ ଟିମ୍ ସାଉଦୀ ୨ଟି ୱିକେଟ୍ ନେଇଥିଲେ ।