27.1 C
Bhubaneswar
Saturday, October 19, 2024
Homeଓଡିଶାଉତ୍ତର ପୂର୍ବାଞ୍ଚଳ ପରେ ଦେଶରେ ପ୍ରଥମ; ଦୁର୍ଗମ ଅଞ୍ଚଳରେ ଆରମ୍ଭ ହେଲା ଡ୍ରୋନ୍‌ରେ ସ୍ୱାସ୍ଥ୍ୟସେବା

ଉତ୍ତର ପୂର୍ବାଞ୍ଚଳ ପରେ ଦେଶରେ ପ୍ରଥମ; ଦୁର୍ଗମ ଅଞ୍ଚଳରେ ଆରମ୍ଭ ହେଲା ଡ୍ରୋନ୍‌ରେ ସ୍ୱାସ୍ଥ୍ୟସେବା

କନ୍ଧମାଳ : ଦୁର୍ଗମ ଅଞ୍ଚଳରେ ଏଣିକି ରୋଗୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଜରୁରୀକାଳୀନ ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ରୋଗୀଙ୍କୁ ସେବା ଯୋଗାଇବ ଡ୍ରୋନ । କିଛି ଦିନ ଧରି ଚାଲିଥିବା ଏହି ଡ୍ରୋନ ପ୍ରୋଜେକ୍ଟର କାର୍ଯ୍ୟ ନିକଟରେ ପରୀକ୍ଷଣ ହୋଇଥିବା ବେଳେ ଗୁରୁବାର ଏହା ଆନୁଷ୍ଠାନିକ ଭାବେ ଜିଲ୍ଲାରେ ଆରମ୍ଭ ହୋଇଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି ।

କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉଡ଼ାଣ କରିଛି ଅତ୍ୟାଧୁନିକ ଡ୍ରୋନ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଏହି ନୂତନ ସେବାର ଶୁଭାରମ୍ଭ କରିଛନ୍ତି । ଉତ୍ତର ପୂର୍ବାଞ୍ଚଳକୁ ବାଦ୍ ଦେଲେ ସମଗ୍ର ଦେଶରେ ଏହା ପ୍ରଥମ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷ କରି ରାସ୍ତାଘାଟ ନଥିବା ଦୁର୍ଗମ ଅଞ୍ଚରୁ ରୋଗୀଙ୍କ ନମୂନା ସଂଗ୍ରହ କରିବା ସହିତ କମ୍ ସମୟ ମଧ୍ୟରେ ଜରୁରୀକାଳିନ ଔଷଧ ଯୋଗାଇ ଦେବ ଏହି ଡ୍ରୋନ୍ ।

ସଂପୂର୍ଣ୍ଣଭାବେ ସ୍ୱୟଂଚାଳିତ ଏବଂ ବାତାନୂକୂଳିତ ଏହି ଡ୍ରୋନ୍ ସମୁଦ୍ର ପତ୍ତନଠାରୁ ଏକ ହଜାର ମିଟର ଉଚ୍ଚତାରେ ତଥା ଘଣ୍ଟାକୁ ପ୍ରାୟ ୧୦୦ କିମି ବେଗରେ ଉଡ଼ିବାର କ୍ଷମତା ରହିଛି । ଆନ୍ତର୍ଜାରିକ ସଂସ୍ଥା ୟୁଏସ୍ ଏଡ଼ର ସହଯୋଗରେ କନ୍ଧମାଳ ଜିଲ୍ଲାକୁ ଏଭଳି ତିନୋଟି ଡ୍ରୋନ୍ ଯୋଗାଇ ଦେଇଛି ବାଙ୍ଗାଲୁରୁର ଷ୍ଟାର୍ଟ ଅପ୍ କମ୍ପାନୀ ରେଡ୍ ୱିଙ୍ଗ୍ ।

ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଡ଼ିଥିଲା ଏହି ଅତ୍ୟାଧୁନିକ ଡ୍ରୋନ୍ । କିଛି ଔଷଧ ଧରି ଏହି ଡ୍ରୋନ୍ ଉଡ଼ିଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି କନ୍ଧମାଳ ସାଂସଦ । ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲ୍ , ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ମନୋଜ କୁମାର ଉପାଧ୍ୟାୟଙ୍କ ସମେତ ରେଡ୍ ୱିଙ୍ଗ୍ ଓ ୟୁଏସ୍ ଏଡର କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡିପିଏମ୍ ମନୋରଞ୍ଜନ ସାହୁ, ଡିଏମ୍‌ଆରସିଏଚ୍ ଆଶୀଷ କୁମାର ମହାନ୍ତି ଉପସ୍ଥିତ ଥିଲେ ।

ପ୍ରକାଶ ଯେ କନ୍ଧମାଳ ଜିଲ୍ଲାକୁ ଏହିପରି ୩ଟି ଡ୍ରୋନ ଆସି ପହଞ୍ଚିଛି । ଗୋଟିଏ ଡ୍ରୋନର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଅତ୍ୟାବଶ୍ୟକ ମେଡିସିନ, ଟିକା ଏବଂ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ନମୂନା ନେବା ଆଣିବାରେ ଡ୍ରୋନ ବ୍ୟବହାର କରାଯିବ । ୨ କେଜି ଓଜନର ଜିନିଷ ଧରି ଡ୍ରୋନ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବ । ଡ୍ରୋନ ଉଡାଣ ପାଇଁ ଫୁଲବାଣୀ, ବାଲିଗୁଡ଼ା ଏବଂ ତୁମୁଡିବନ୍ଧରେ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking