ବିଜୟୱାଡା : ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ପୋଷ୍ଟର୍ ଚିରିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶରେ ଏକ କୁକୁର ବିରୋଧରେ ଏଫ୍ଆଇଆର୍ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ତେଲୁଗୁ ଦେଶମ୍ ସମର୍ଥକ ଦସାରୀ ଉଦୟଶ୍ରୀ ନାମ୍ନୀ ମହିଳାଙ୍କ ଅଭିଯୋଗକ୍ରମେ ବିଜୟୱାଡା ଥାନାରେ ଏହି ଏଫ୍ଆଇଆର୍ ରୁଜୁ ହୋଇଛି । ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନ ବୋଲି ଉଦୟଶ୍ରୀ ନିଜର ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । କୁକୁର ଏବଂ ତାକୁ ଉସୁକାଇବା ପରେ ଏହାର ଭିଡିଓ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ କହିଛନ୍ତି । ଏହି ଘଟଣାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ କୁକୁରଟି କାନ୍ଥରୁ ରେଡ୍ଡୀଙ୍କ ପୋଷ୍ଟର୍ ବାହାର କରିବା ପରେ ଏହାକୁ ନେଇ ଚିରି ଦେଇଛି । ଅଭିଯୋଗକାରିଣୀ କହିଛନ୍ତି, ଜଗନ ମୋହନଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି । ମାତ୍ର ଆନ୍ଧ୍ରପ୍ରଦେଶରେ ଏକ କୁକୁର ତାଙ୍କର ଅପମାନ କରିଛି ।