ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୨୭ ପ୍ରତିଶତ ରହିବ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ, କୃଷି, ପୁଞ୍ଜି ବିନିବେଶ, ସଡ଼କ ନିର୍ମାଣ ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି । ଏହି ବଜେଟ ଆଗାମୀ ୨୫ ବର୍ଷର ଅମୃତ କାଳ- ସ୍ବାଧୀନତାର୭୫ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ’ ପାଇଁ ଭାରତୀୟ ଅର୍ଥନୀତିର ମୂଳଦୂଆ ନିର୍ମାଣ ଓ ବ୍ଲୁ ପ୍ରିଣ୍ଟ ସ୍ଥାପନ କରିବ ବୋଲି ସେ କହିଛନ୍ତି । ୭୫ ବର୍ଷର ସ୍ବାଧୀନ ଭାରତକୁ ୧୦୦ ବର୍ଷ ସ୍ବାଧୀନ ଭାରତକୁ ନେବା ପାଇଁ ଆମ ବଜେଟ୍ ଗୁରୁତ୍ବ ଦେଇଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ିକରଣ ଏବଂ ଟିକାକରଣ କାର୍ଯ୍ୟକ୍ରମର ଦ୍ରୁତ କାର୍ଯ୍ୟକାରିତା ଏହାର ପ୍ରମାଣ।
ଗତବର୍ଷ ବଜେଟ୍ ଉଲ୍ଲେଖନୀୟ ପ୍ରବର୍ତ୍ତନ ଦେଖିଛି। ଗତ ବଜେଟ୍ରେ ସର୍ବସାଧାରଣ ନିବେଶ ପାଇଁ ଆମେ କରିଥିବା ବ୍ୟବସ୍ଥାଦ୍ବାରା ଏଥର ବଜେଟ୍ ତା’ର ବହୁଗୁଣିତ ପ୍ରଭାବ ଦେଖୁଛି। ଏହା ଯୁବବର୍ଗ, କୃଷକ, ଅନୁସୂଚୀତ ଜାତି/ଜନଜାତି, ମହିଳା ଏବଂ ଗରିବମାନଙ୍କୁ ଉପକୃତ କରିବ।ଜାତୀୟ ରାଜପଥ ୨୫ ହଜାର କିଲୋମିଟର୍ ବୃଦ୍ଧି କରାଯିବ। ୪ଟି ସ୍ଥାନରେ ସ୍ଥାପନ ହେବ ‘ଲଜିଷ୍ଟିକ୍ ପାର୍କ’।
ସରକାରଙ୍କର ପରବର୍ତ୍ତୀ ଟାର୍ଗେଟ୍ ହେଉଛି ୬୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି। ୧୪ଟି ‘ପିଏଲ୍ଆଇ’ ସେକ୍ଟର୍ ୬୦ ଲକ୍ଷ ନୂଆ କର୍ମସଂସ୍ଥାନ ସୃଷ୍ଟି କରିବା ସହ ଆଗାମୀ ୫ ବର୍ଷରେ ଅତିରିକ୍ତ ୩୦ ଲକ୍ଷ କୋଟି ଟଙ୍କା ଉତ୍ପାଦନ କରିବ। ଉତ୍କୃଷ୍ଟ ମାନର ଭିତ୍ତିଭୂମି ପାଇଁ ଗତି ଶକ୍ତି ମାଷ୍ଟର୍ ପ୍ଲାନ୍ ବ୍ୟବସ୍ଥା କରାଯାଇଛି। ଖୁବ୍ ଶୀଘ୍ର ‘ଏଲ୍ଆଇସି’ର ପବ୍ଲିକ୍ ଇସ୍ୟୁ ଜାରି ହେବ। ସରକାର ନାଗରିକ-କେନ୍ଦ୍ରିକ ସଂସ୍କାର ଉପରେ ଗୁରୁତ୍ବାରୋପ କରିଥିବାରୁ ଆଗାମୀ ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଆର୍ଥିକ ସଂସ୍କାର ଉପରେ ଏହି ବଜେଟ୍ର ଲକ୍ଷ୍ୟ ରହିବ। ଚଳିତ ଆର୍ଥକ ବର୍ଷରେ ଭାରତ ୯.୨% ଅଭିବୃଦ୍ଧି ଆଶା କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।