କଟକ: ରାଜ୍ୟର ବିଭିନ୍ନ ଥାନାରୁ ଦାବିଦାର ନଥିବା ଗାଡ଼ିଗୁଡିକ ହଟାଇବା ନେଇ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟର କେଉଁ ଜିଲାରେ କେତେ ପରିମାଣର ଦାବିଦାର ନଥିବା ଗାଡ଼ି ରହିଛି ଏବଂ କେତେ ଗାଡ଼ି ହଟାଯାଇଛି ଜବାବ ଦାଖଲ କରିବାକୁ ଉଚ୍ଚ ନ୍ୟାୟାଳୟ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଆଜି ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ରାଜ୍ୟର ବିଭିନ୍ନ ଥାନାରେ ମୋଟ୍ ୧୬୫୨ଟି ଦାବିଦାର ନଥିବା ଗାଡି ପଡି ରହିଥିଲା ।
୨୦୨୩ ଏପ୍ରିଲ ପହିଲାରୁ ଜୁଲାଇ ୧୫ ମଧ୍ୟରେ ତନ୍ମଧ୍ୟରୁ ୯୬୫ଟି ଗାଡି ହଟାଯାଇଥିବା ବେଳେ ଆଉ ୬୮୭ଟି ଗାଡ଼ି ପଡିରହିଛି । ଯାଜପୁରରେ ସର୍ବାଧିକ ୧୯୨ଟି ଗାଡ଼ି ପଡି ରହିଥିବା ସତ୍ୟପାଠରେ ଦର୍ଶାଯାଇଛି । ଏପରିକି କଟକ ସହରାଞ୍ଚଳ ପୁଲିସ ଅଧୀନରେ ମୋଟ ୮୨ଟି ଦାବିଦାର ନଥିବା ଗାଡ଼ି ରହିଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ହେଲେ ହଟାଯାଇ ନାହିଁ । ବିଭିନ୍ନ ଥାନାରେ ବହୁ ପୁରୁଣା ଗାଡି ଖତ ଖାଉଛି । ଥାନାରେ ଦାବିଦାର ନଥିବା ଗାଡିଗୁଡିକ ପଡି ରହିବାରୁ ସ୍ଥାନ ଅଭାବରୁ ଜନସାଧାରଣ ସେବା ପାଇବାରେ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଥାନାରୁ ଦାବିଦାର ନଥିବା ଗାଡ଼ିହଟାଇବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ମାତ୍ର ଏହାକୁ ପାଳନ କରାଯାଉ ନଥିବାରୁ ଆବେଦନକାରୀ ଆଶିଷ ରଞ୍ଜନ ମହାନ୍ତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ।