ବେଙ୍ଗାଲୁରୁ :ଏଫ୍ଆଇଏଚ୍ ପ୍ରୋ-ଲିଗ୍ରେ ଫେବୃଆରୀ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକା ଓ ଫ୍ରାନ୍ସ ବିପକ୍ଷ ମ୍ୟାଚ୍ ଖେଳିବା ପାଇଁ ଭାରତୀୟ ପୁରୁଷ ହକି ଟିମ୍ ଶୁକ୍ରବାର ଜୋହାନ୍ସବର୍ଗ ଯାତ୍ରା କରିଛି । ତେବେ ଅସୁସ୍ଥତା କାରଣରୁ ଶେଷ ମୁହୂର୍ତ୍ତରେ ସିନିୟର୍ ଫରୱାର୍ଡ ଲଳିତ ଉପାଧ୍ୟାୟ ଓ ମିଡ୍ଫିଲ୍ଡର ଜସ୍କିରନ୍ ସିଂହ ଟିମ୍ ସହ ଯାତ୍ରା କରିପାରି ନାହାନ୍ତି । ମନ୍ପ୍ରୀତ୍ ସିଂହଙ୍କ ନେତୃତ୍ୱାଧୀନ ଟିମ୍ ଦୋହା ଦେଇ ଜୋହାନ୍ସବର୍ଗରେ ପହଞ୍ଚିବ । ଏହା ପରେ ଫେବୃଆରୀ ୮ ତାରିଖରେ ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଏବଂ ପରବର୍ତ୍ତୀ ଦିନ ସାଉଥ୍ ଆଫ୍ରିକାକୁ ଭେଟିବ ।
ଫେବୃଆରୀ ୧୨ରେ ପୁଣିଥରେ ଫ୍ରାନ୍ସ ସହ ମ୍ୟାଚ୍ ହେବ ଏବଂ ପର ଦିନ ସାଉଥ୍ ଆଫ୍ରିକାକୁ ଭେଟିବ । ପ୍ରୋଲି୍ ନେଇ ଟିମ୍ ଆତ୍ମବିଶ୍ୱାସରେ ଭରପୂର ଥିବାବେଳେ ସକାରାତ୍ମକ ଆରମ୍ଭ କରିବାକୁ ନଜର ରଖିଛି । ତେବେ ଦୁଇଜଣ ସିନିୟର୍ ସଦସ୍ୟ ବାଦ୍ ପଡ଼ିବାରୁ ଟିମ୍କୁ କିଛିଟା ଧକ୍କା ଲାଗିଛି । ହକି ଇଣ୍ଡିଆ ଦ୍ୱାରା ଜାରୀ ଏକ ବିଜ୍ଞପ୍ତିରେ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି ‘ଫରୱାର୍ଡ ଲଳିତ କୁମାର ଉପାଧ୍ୟାୟ ଓ ମିଡ୍ଫିଲ୍ଡର୍ ଜସ୍କିରନ୍ ସିଂହ ଯାତ୍ରା କରିନାହାନ୍ତି । ଷ୍ଟାଣ୍ଡବାଇ ସୁମିତ୍ ମିଡ୍ଫିଲ୍ଡରେ ଜସ୍କିରନ୍ ଓ ଗୁରସାହିବଜିତ୍ ସିଂହ ଟିମ୍ରେ ଲଳିତଙ୍କ ସ୍ଥାନ ନେଇଛନ୍ତି । ଏହା ଆମ ପାଇଁ ହାଲୁକା ଧକ୍କା ହୋଇଥିଲେ ମଧ୍ୟ ଏଭଳି ସ୍ଥିତି ପାଇଁ ଆମେ ପ୍ରସ୍ତୁତ ଥିଲୁ ।
ତେଣୁ ଟିମ୍ରେ ପାଞ୍ଚଜଣ ଷ୍ଟାଣ୍ଡ୍ବାଇ ଖେଳାଳି ସାମିଲ କରିଥିଲୁ ।’ ସେ ଆହୁରି କହିଛନ୍ତି କୋର୍ ଗ୍ରୁପ୍ର ପ୍ରତ୍ୟେକ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ରଦର୍ଶନ ପାଇଁ ସକ୍ଷମ । ଆମ ପ୍ରସ୍ତୁତି ଭଲ ରହିଛି ଏବଂ ଆମେ ଭଲ ପ୍ରଦର୍ଶନ କରିବୁ ।’ ଅନ୍ୟପକ୍ଷରେ କ୍ୟାପ୍ଟେନ୍ ମନ୍ପ୍ରୀତ୍ କହିଛନ୍ତି, କୌଣସି ବଡ଼ ଟିମ୍କୁ ହରାଇବାର କ୍ଷମତା ଆମ ଟିମ୍ର ରହିଛି । ସେ ଆହୁରି କହିଛନ୍ତି, ଖୁସିର ବିଷୟ ଆମେ ଉନ୍ନତ ଅନ୍ତର୍ଜାତୀୟ ହକି ଖେଳିବା ପାଇଁ ଯାତ୍ରା କରୁଛୁ । ତେବେ ଲଳିତ ଓ ଜସ୍କିରନ୍ଙ୍କ ଅନୁପସ୍ଥିତି କିଛିଟା ଅନୁଭୂତ ହେବ ।
ତେବେ ଟିମ୍ର ପ୍ରସ୍ତୁତ ଭଲ ରହିଛି ଏବଂ ଆମେ ବିଜୟ ପାଇଁ ଲାଳାୟିତ । ସାଉଥ୍ ଆଫ୍ରିକା ଓ ଫ୍ରାନ୍ସ ପରି ବଡ଼ ଟିମ୍କୁ ହରାଇ ପାରିବୁ।’ଭାରତୀୟ ଟିମ୍: ଗୋଲ୍କିପର୍- ପିଆର୍ ଶ୍ରୀଜେଶ, କ୍ରିଶନ୍ ପାଠକ: ଡିଫେଣ୍ଡର୍- ହରମନପ୍ରୀତ୍ ସିଂହ, ଅମିତ ରୋହିଦାସ, ସୁରେନ୍ଦର କୁମାର, ବରୁଣ କୁମାର, ଜର୍ମାନପ୍ରୀତ୍ ସିଂହ, ଜୁଗରାଜ ସିଂହ; ମିଡ୍ଫିଲ୍ଡର- ମନ୍ପ୍ରୀତ୍ ସିଂହ, ନୀଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ସୁମିତ, ଶମଶେର୍ ସିଂହ, ବିବେକ ସାଗର ପ୍ରସାଦ; ଫରୱାର୍ଡ- ମନଦୀପ୍ ସିଂହ, ଗୁରସବ୍ଜିତ୍ ସିଂହ, ଆକାଶଦୀପ ସିଂହ, ଶିଳାନନ୍ଦ ଲାକ୍ରା, ଦିଲ୍ପ୍ରୀତ୍ ସିଂହ, ଅଭିଷେକ ।