ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ପରିସରସ୍ଥିତ ହକି କମ୍ପେ୍ଲକ୍ସଠାରେ ଶନିବାର ଭାରତୀୟ ମହିଳା ଦଳ ଜର୍ମାନୀଠାରୁ ୧-୨ ଗୋଲ୍ରେ ପରାସ୍ତ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେବା ଫଳରେ ମ୍ୟାଚ୍ଟି ଡ୍ର\’ ରହିଥିଲା। ଫଇସଲା ପାଇଁ ପରେ ପେନାଲ୍ଟି ଶୁଟ୍ଆଉଟ୍ର ସହାୟତା ନିଆଯାଇଥିଲା, ଯେଉଁଥିରେ ଜର୍ମାନୀ ବିଜୟୀ ହୋଇଛି । ମ୍ୟାଚ୍ର ପ୍ରଥମ କ୍ୱାର୍ଟର୍ରେ ଦୁଇଟି ଗୋଲ୍ ହେବା ପରେ ଅବଶିଷ୍ଟ ସମୟରେ ଆଉ କେହି ଗୋଲ୍ ଦେଇପାରି ନ ଥିଲେ । ପରେ ଶୁଟ୍ଆଉଟ୍ରେ ଉଭୟ ଦଳକୁ ୫ଟି ଲେଖାଏଁ ଗୋଲ୍ ଦେବାର ସୁଯୋଗ ଦିଆଯାଇଥିବା ବେଳେ ସେଥିରୁ ଭାରତ ମାତ୍ର ଗୋଟିଏ ଗୋଲ୍ ଅର୍ଜନ କରିପାରିଥିଲା । ଅନ୍ୟପକ୍ଷରେ ଜର୍ମାନୀ ୨ଟି ଗୋଲ୍ କରି ପେନାଲ୍ଟି ଶୁଟ୍ଆଉଟ୍ରେ ବିଜୟୀ ହୋଇ ବୋନସ୍ ପଏଣ୍ଟ୍ ବି ପାଇଛି । ଅନ୍ୟପକ୍ଷରେ ଭାରତ କଳିଙ୍ଗରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି । ଦଳ ଗତ ୨୭ରେ ଏଠାରେ ସ୍ପେନ୍ ବିପକ୍ଷ ଦ୍ୱିତୀୟ ମୁକାବିଲାରେ ୩-୪ରେ ପରାସ୍ତ ହୋଇଥିଲା । ଜର୍ମାନୀର ଜୁଲିଆ ହେମର୍ଲେ ଶନିବାର ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପ୍ରଥମ କ୍ୱାର୍ଟର୍ରେ ଦ୍ୱିତୀୟ ମିନିଟ୍ରେ ଜର୍ମାନୀ ଭାରତୀୟ ଗୋଲ୍ପୋଷ୍ଟ୍ ଉପରେ ଆକ୍ରମଣ କରିଥିଲେ ହେଁ ବଲ୍ଟି ଗୋଲ୍ପୋଷ୍ଟ୍ ବାହାରକୁ ଚାଲିଯାଇଥିଲା । କିନ୍ତୁ ଚତୁର୍ଥ ମିନିଟ୍ରେ ଭାରତକୁ ୧-୦ରେ ଆଗୁଆ କରିଥିଲେ ନବନୀତ କୌର୍ । ସେ ସଲିମା ଟେଟେଙ୍କ ସହଯୋଗରେ ଏହି ଫିଲ୍ଡ ଗୋଲ୍ଟି ସ୍କୋର୍ କରିଥିଲେ । କିନ୍ତୁ ଜର୍ମାନୀ ଏହି ଅଗ୍ରଣୀକୁ ବେଶୀ ସମୟ ରହିବାକୁ ଦେଇ ନ ଥିଲା । ପରବର୍ତ୍ତୀ ମିନିଟ୍ରେ କ୍ରମାଗତ ଦୁଇଟି ପେନାଲ୍ଟି କର୍ଣ୍ଣର୍ ପାଇଥିବା ଜର୍ମାନୀ ପକ୍ଷରୁ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିଣତ କରିଥିଲେ କାର୍ଲୋଟା ସିପେଲ୍ । ଏଥିସହ ସ୍ଥିତି ବରାବର ହୋଇଥିଲା । ଦ୍ୱିତୀୟ କ୍ୱାର୍ଟର୍ରେ ଉଭୟ ଦଳ ପରସ୍ପର ଉପରେ ଆକ୍ରମଣ କରିଥିଲେ ହେଁ କୌଣସି ଗୋଲ୍ ହୋଇ ନ ଥିଲା ।
ଦ୍ୱିତୀୟାର୍ଦ୍ଧରେ ୩୩ତମ ମିନିଟ୍ରେ ସାରା ଷ୍ଟ୍ରାଉସ୍ ଜର୍ମାନୀ ପାଇଁ ତୃତୀୟ ପେନାଲ୍ଟି କର୍ଣ୍ଣର୍ ଜିତିଥିଲେ ମଧ୍ୟ ଗୋଲକିପର୍ ସବିତା ସଜାଗ ଥିବାରୁ ସ୍ଥିତି ଅପରିବର୍ତ୍ତିତ ରହିଥିଲା । ୩୮ତମ ମିନିଟ୍ରେ ରେଫରାଲ୍ ମାଧ୍ୟମରେ ଭାରତ କ୍ରମାଗତ ଦୁଇଟି ପେନାଲ୍ଟି କର୍ଣ୍ଣର୍ ଜିତିଥିଲେ ମଧ୍ୟ ଦଳ ଏହାର ଫାଇଦା ନେଇପାରି ନ ଥିଲା । ଚତୁର୍ଥ କ୍ୱାର୍ଟର୍ରେ ୪୮ତମ ମିନିଟ୍ରେ ଭାରତକୁ ୩ୟ ପେନାଲ୍ଟି କର୍ଣ୍ଣର୍ ମିଳିଥିଲେ ମଧ୍ୟ ଭାରତ ଅଗ୍ରଣୀ ପାଇପାରି ନ ଥିଲା । ଶେଷରେ ମ୍ୟାଚ୍ଟି ପେନାଲ୍ଟି ଶୁଟ୍ଆଉଟ୍କୁ ଯାଇଥିଲା । ଏଥିରେ ଭାରତ ପକ୍ଷରୁ ଏକମାତ୍ର ଗୋଲ୍ଟି ନବନୀତ ଦେଇଥିବା ବେଳେ ଜର୍ମାନୀ ପକ୍ଷରୁ ପାଉଲିନ୍ ହେଞ୍ଜ୍ ଓ ସାରା ସ୍କୋର୍ କରିଥିଲେ । ମ୍ୟାଚ୍ରେ ଅତିଥି ଭାବେ ରଗ୍ବୀ ଇଣ୍ଡିଆର ସଭାପତି ତଥା ବଲିଉଡ୍ ଅଭିନେତା ରାହୁଲ୍ ବୋଷ ଅତିଥି ଭାବେ ଯୋଗଦେଇଥିଲେ । ରବିବାର ପୁଣିଥରେ ଦୁଇ ଦଳ ମଧ୍ୟରେ ମୁକାବିଲା ହେବ ।