19.1 C
Bhubaneswar
Friday, November 22, 2024
Homeଖେଳଫିଫା ବିଶ୍ୱକପ୍‌: ଇରାନ୍ ଓ ସେନେଗାଲ୍ ବିଜୟୀ

ଫିଫା ବିଶ୍ୱକପ୍‌: ଇରାନ୍ ଓ ସେନେଗାଲ୍ ବିଜୟୀ

ଦୋହା : ଚଳିତ ଫିଫା ବିଶ୍ୱକପ୍‌ର ୨୨ତମ ସଂସ୍କରଣରେ ଶୁକ୍ରବାର ଇରାନ୍ ଓ ସେନେଗାଲ୍ ବିଜୟୀ ହୋଇଛନ୍ତି । ଗ୍ରୁପ୍‌-ବି’ର ଅନ୍ୟତମ ଦଳ ଇରାନ୍ ଅଲ୍ ରୟାନ୍‌ସ୍ଥିତ ଅହମ୍ମଦ ବିନ୍ ଅଲୀ ଷ୍ଟାଡିୟମ୍‌ଠାରେ ଖେଳିଥିବା ୱେଲ୍ସ ବିପକ୍ଷ ମ୍ୟାଚ୍‌ରେ ୨-୦ ଗୋଲ୍‌ରେ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ବୃହତ୍ ବ୍ୟବଧାନରେ ପରାସ୍ତ ହୋଇଥିବା ଇରାନ୍ ପ୍ରଥମ ବିଜୟ ସହ ପଏଣ୍ଟ୍ ଟେବଲ୍‌ରେ ଦ୍ୱିତୀୟ ସ୍ଥାନରେ କାଏମ ରହିଛି । ଅନ୍ୟପକ୍ଷରେ ୱେଲ୍ସ ପ୍ରଥମ ପରାଜୟ ସହ ଅନ୍ତିମ ସ୍ଥାନରେ ବଳବତ୍ତର ରହିଛି । ସେହିପରି ଦୋହାର ଅଲ୍ ଥୁମାମା ଷ୍ଟାଡିୟମ୍‌ଠାରେ ଗ୍ରୁପ୍‌-ଏ’ର ଦୁଇ ଦଳ ସେନେଗାଲ୍ ଓ ଆୟୋଜକ କତାର ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଏଥିରେ ସେନେଗାଲ୍ ୩-୧ ଗୋଲ୍‌ରେ ବିଜୟୀ ହୋଇ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ୩ ପଏଣ୍ଟ୍ ହାସଲ କରିଛି । ଦଳ ତୃତୀୟ ସ୍ଥାନରେ ରହିଥିବା ବେଳେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିବା ପରେ କତାର ଚତୁର୍ଥ ସ୍ଥାନରେ କାଏମ ରହିଛି । ଏଥିସହ ଦଳ ନିଜର ବିଶ୍ୱକପ୍ ପଦାର୍ପଣରେ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବାର ଦ୍ୱାରଦେଶରେ ପହଞ୍ଚିଯାଇଛି ।

ଇରାନ୍‌-ୱେଲ୍ସ ମ୍ୟାଚ୍‌ର ପ୍ରାରମ୍ଭରୁ ଉଭୟ ଦଳ ପ୍ରଥମ ଗୋଲ୍ ସ୍କୋର୍ କରିବା ସକାଶେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ । ତୃତୀୟ ମିନିଟ୍‌ରେ ୱେଲ୍ସ ଫରୱାର୍ଡ ନେଲ୍‌କୋ ୱିଲିୟମ୍‌ସ ଇରାନ୍ ଗୋଲ୍‌ପୋଷ୍ଟ୍ ଉପରେ ଆକ୍ରମଣ କରିଥିଲେ ମଧ୍ୟ ତାହା କ୍ରସ୍ ବାର୍ ଉପର ଦେଇ ଚାଲିଯାଇଥିଲା । ଷଷ୍ଠ ମିନିଟ୍‌ରେ ଇରାନ୍ ପକ୍ଷରୁ ସର୍ଦ୍ଦାର୍ ଆଜମୋନ୍ ପ୍ରଥମ ଆକ୍ରମଣ କରିଥିଲେ । କିନ୍ତୁ ତାଙ୍କ ଶଟ୍‌କୁ ୱେଲ୍ସ ଗୋଲ୍‌କିପର୍ ୱେନ୍ ହେନେସି ବେଶ୍ ସହଜରେ ସଂଗ୍ରହ କରିନେଇଥିଲେ । ଏହାପରେ ୱେଲ୍ସ ଖେଳାଳି କିଫର୍ ମୁର୍‌ଙ୍କୁ ଗୋଲ୍ ସ୍କୋର୍ କରିବାର ଚମତ୍କାର ସୁଯୋଗ ଜୁଟିଥିଲା । କିନ୍ତୁ ଇରାନୀୟ ଗୋଲକିପର୍ ହୋସେନ୍ ହୋସେନି ଚପଳତାର ସହ ଏହି ଶଟ୍‌କୁ ରୋକିଦେଇଥିଲେ । ପଞ୍ଚଦଶ ମିନିଟ୍‌ରେ ଇରାନ୍ ପକ୍ଷରୁ ଆଜମୋନ୍‌ଙ୍କ ସହଯୋଗରେ ଅଲୀ ଘୋଲିଜାଡେହ ଗୋଲ୍ ସ୍କୋର୍ କରିଥିଲେ ମଧ୍ୟ ଭିଏଆର୍ ଅଫ୍‌ସାଇଡ୍ ଦର୍ଶାଇ ଏହାକୁ ଖାରଜ କରିଦେଇଥିଲେ । ପ୍ରଥମ ୪୫ ମିନିଟ୍ ଖେଳରେ ଏହିପରି ଆକ୍ରମଣ ଓ ପ୍ରତିଆକ୍ରମଣ ଧାରା ଜାରି ରହିଥିଲେ ମଧ୍ୟ କେହି ଗୋଲ୍ ଦେବାରେ ସକ୍ଷମ ହୋଇନଥିଲେ । ପ୍ରଥମାର୍ଦ୍ଧ ପରେ ଷ୍ଟପେଜ୍ ଟାଇମ୍‌ରେ ଆଜମୋନ୍‌ଙ୍କ ପାଖରେ ଗୋଲ୍ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ସେ ଏହାର ଫାଇଦା ନେଇପାରି ନଥିଲେ ।

ଦ୍ୱିତୀୟାର୍ଦ୍ଧରେ ୫୦ତମ ମିନିଟ୍‌ରେ ଆଜମୋନ୍‌ଙ୍କ ହେଡର୍‌କୁ ହେନେସି ରୋକିଦେଇଥିଲେ । ଉଭୟ ଦଳ ଖେଳାଳି ପରିବର୍ତ୍ତନ କରିବା ପରେ ମ୍ୟାଚ୍‌ର ରୋମାଞ୍ଚ ବଢ଼ିଯାଇଥିଲା । ପଡ଼ିଆରେ ପ୍ରବେଶ କରିବା କ୍ଷଣି ୱେଲ୍ସ ଖେଳାଳି ବ୍ରେନାନ୍ ଜନ୍‌ସନ୍ କେଇ ସେକେଣ୍ଡ୍ ପାଇଁ ଇରାନ୍ ସମର୍ଥକଙ୍କ ହୃତ୍‌ସ୍ପନ୍ଦନ ବଢ଼ାଇଦେଇଥିଲେ । ଅନ୍ୟପକ୍ଷରେ ୭୨ତମ ମିନିଟ୍‌ରେ ଏସିଆର ଶକ୍ତିଶାଳୀ ଦଳ ଇରାନ୍ ପକ୍ଷରୁ ସଈଦ୍ ଏଜାତୋଲାହି ପ୍ରଥମ ଗୋଲ୍ ସ୍କୋର୍ କରିବାର ବେଶ୍ ନିକଟତର ହୋଇଥିଲେ । କିନ୍ତୁ ହେନେସି ଅଳ୍ପକେ ଦଳକୁ ପଛୁଆ ହେବାରୁ ରକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ପରେ ଷ୍ଟପେଜ୍ ଟାଇମ୍‌ରେ ମାତ୍ର ୩ ମିନିଟ୍ ମଧ୍ୟରେ ଇରାନ୍ ଦୁଇଟି ଗୋଲ୍ ଦେଇ ପୂର୍ଣ୍ଣ ପଏଣ୍ଟ୍ ହାସଲ କରିଥିଲା । ୯୦+୮ତମ ମିନିଟ୍‌ରେ ରୋଜବେ ଚେଶ୍‌ମି ଓ ୯୦+୧୧ତମ ମିନିଟ୍‌ରେ ରାମିନ୍ ରେଜାଲାନ୍ ଗୋଲ୍ ଦେଇଥିଲେ ।

ସେହିପରି କତାର ବିପକ୍ଷରେ ସେନେଗାଲ୍ ପକ୍ଷରୁ ଷ୍ଟ୍ରାଇକର୍ ବୋଲାୟେ ଦିଆ, ଫମାରା ଡିଧିଉ ଓ ବଦଳ ଖେଳାଳି ବାମ୍ବା ଡିଏଙ୍ଗ୍ ଯଥାକ୍ରମେ ୪୧ତମ, ୪୮ତମ ଓ ୮୪ତମ ମିନିଟ୍‌ରେ ଗୋଲ୍ ଦେଇଥିଲେ । ଅନ୍ୟପକ୍ଷରେ ଶୁକ୍ରବାର କତାର ବିଶ୍ୱକପ୍‌ରେ ତା’ର ପ୍ରଥମ ଗୋଲ୍ ୭୮ତମ ମିନିଟ୍‌ରେ ହାସଲ କରିଥିଲା । ଏହି ଗୋଲ୍‌ଟିକୁ ସ୍କୋର୍ କରିଥିଲେ ଘାନା ଜନ୍ମିତ ଷ୍ଟ୍ରାଇକର୍ ମହମ୍ମଦ ମୁଣ୍ଟାରି । ଏହି ବଦଳ ଖେଳାଳି ଜଣକ ଇସମାଇଲ୍ ମହମ୍ମଦଙ୍କ କ୍ରସ୍ ଶଟ୍‌କୁ ହେଡର୍ ମାଧ୍ୟମରେ ସେନେଗାଲ୍ ଗୋଲ୍‌ପୋଷ୍ଟ୍ ଭିତରେ ପ୍ରବେଶ କରାଇଥିଲେ । ମୁଣ୍ଟାରି ୭୪ତମ ମିନିଟ୍‌ରେ ହସନ୍ ଅଲ୍ ହେଡୋସ୍‌ଙ୍କ ସ୍ଥାନରେ ପଡ଼ିଆକୁ ଓହ୍ଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking