18.1 C
Bhubaneswar
Monday, November 25, 2024
Homeଖେଳଫିଫା ବିଶ୍ୱକପ୍‌: ଅଷ୍ଟ୍ରେଲିଆର ୧୨ ବର୍ଷ ଅପେକ୍ଷାର ଅନ୍ତ

ଫିଫା ବିଶ୍ୱକପ୍‌: ଅଷ୍ଟ୍ରେଲିଆର ୧୨ ବର୍ଷ ଅପେକ୍ଷାର ଅନ୍ତ

ଅଲ୍ ୱକ୍ରାହ: ଚଳିତ ଫିଫା ବିଶ୍ୱକପ୍‌ର ୨୨ତମ ସଂସ୍କରଣରେ ଶନିବାର ଗ୍ରୁପ୍‌-ଡି’ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟୁନିସିଆକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି । ଷ୍ଟ୍ରାଇକର୍ ମିଚେଲ୍ ଡ୍ୟୁକ୍‌ଙ୍କ ଏହି ଗୋଲ୍ ବଳରେ ଅଷ୍ଟ୍ରେଲିଆ ଦଳର ବିଶ୍ୱକପ୍‌ରେ ଦୀର୍ଘ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଏଠାକାର ଅଲ୍ ଜାନୋବ୍ ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ରେ ବିଜୟୀ ହେବା ପରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ରେ ୧୨ ବର୍ଷ ପରେ ପ୍ରଥମ ବିଜୟ ହାସଲ କରିଛି । ଏଥିସହ ବିଶ୍ୱକପ୍ ଇତିହାସରେ ଦଳ ତୃତୀୟ ଥର ପାଇଁ ବିଜୟୀ ହୋଇଛି । ଏହା ପୂର୍ବରୁ ଦଳ ଶେଷ ଥର ପାଇଁ ଗତ ୨୦୧୦ ସଂସ୍କରଣରେ ସର୍ବିୟା ବିପକ୍ଷରେ ବିଜୟୀ ହୋଇଥିଲା । ଏଥିସହ ଦଳ କ୍ରମାଗତ ସପ୍ତମ ପରାଜୟର ଧାରାକୁ ମଧ୍ୟ ଭାଙ୍ଗିପାରିଛି । ସେହିପରି ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଶ୍ରେଷ୍ଠ ପ୍ରଦର୍ଶନ ୨୦୦୬ ସଂସ୍କରଣରେ ଆସିଥିଲା, ଯେଉଁଥିରେ ଦଳ ଅନ୍ତିମ ୧୬ରେ ସାମିଲ୍ ହୋଇଥିଲା ।

ମ୍ୟାଚ୍‌ର ୨୩ତମ ମିନିଟ୍‌ରେ ଡ୍ୟୁକ୍ ସାଥୀ ଖେଳାଳି କ୍ରେଗ୍ ଗୁଡ୍‌ୱିନ୍‌ଙ୍କ ପାସ୍‌କୁ ସଂଗ୍ରହ କରି ଚମତ୍କାର ହେଡର୍ ମାଧ୍ୟମରେ ଅଷ୍ଟ୍ରେଲିଆକୁ ୧-୦ର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ । ତାଙ୍କ ହେଡର୍ ରୋକିବା ସକାଶେ ଟୁନିସିଆ ଗୋଲ୍‌କିପର୍ ଆମେନ୍ ଡାହମେନ୍ ସାମାନ୍ୟତମ ସୁଯୋଗ ବି ପାଇ ନଥିଲେ । ଅନ୍ୟପକ୍ଷରେ ଟୁନିସିଆ ପାଇଁ ଅଧିନାୟକ ୟୁସେଫ୍ ଏମ୍‌ସାକ୍‌ନି ଏକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାଙ୍କ ଶଟ୍ ଗୋଲ୍‌ପୋଷ୍ଟ୍ ବାହାରକୁ ଚାଲିଯାଇଥିଲା । ସ୍ଥିତି ବରାବର କରିବା ଲକ୍ଷ୍ୟ ନେଇ ଟୁନିସିଆ ଦଳର ଟପ୍ ସ୍କୋରର୍ ୱାହବି ଖାଜ୍‌ରି ଦ୍ୱିତୀୟାର୍ଦ୍ଧ ଖେଳରେ ପଡ଼ିଆକୁ ଉତାରିଥିଲେ ମଧ୍ୟ ଦଳକୁ ଏଥିରେ ସଫଳତା ମିଳିପାରି ନଥିଲା । ଅଷ୍ଟ୍ରେଲୀୟ ରକ୍ଷଣପନ୍ଥୀ ଖେଳାଳିମାନେ ଅଧିନାୟକ ମ୍ୟାଟ୍ ର‌୍ୟାନ୍‌ଙ୍କ ନେତୃତ୍ୱରେ ଟୁନିସିଆ ଖେଳାଳିମାନଙ୍କୁ ସର୍କଲ୍ ମଧ୍ୟରେ ପ୍ରବେଶର ବିଶେଷ ସୁଯୋଗ ଦେଇ ନ ଥିଲେ । ଅନ୍ତିମ ମିନିଟ୍ ପର୍ଯ୍ୟନ୍ତ ଅଗ୍ରଣୀକୁ କାଏମ ରଖି ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କରିଥିଲା । ଦଳ ଫ୍ରାନ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲେ ହେଁ ଏଥିରେ ୧-୪ରେ ଶୋଚନୀୟ ପରାଜୟ ବରଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking