ମେଲ୍ବଣ୍ଣ: ଚଳିତ ଫିଫା ମହିଳା ବିଶ୍ୱକପ୍ରେ ସୋମବାର ଅଷ୍ଟ୍ରେଲିଆ ଓ ନାଇଜେରିଆ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଗ୍ରୁପ୍-ବି’ର ଏହି ଦୁଇ ଦଳ ମଧ୍ୟରୁ ଅଷ୍ଟ୍ରେଲିଆ କାନାଡାକୁ ୪-୦ ଗୋଲ୍ରେ ପରାସ୍ତ କରି ଶୀର୍ଷ ସ୍ଥାନରେ ରହିଥିବା ବେଳେ ନାଇଜେରିଆ ଆୟର୍ଲାଣ୍ଡ୍ ବିପକ୍ଷ ତା’ର ତୃତୀୟ ମ୍ୟାଚ୍କୁ ୦-୦ରେ ଡ୍ର’ ରଖି ମୋଟ ୫ ପଏଣ୍ଟ୍ ସହ ପ୍ରିକ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି । ମେଲ୍ବର୍ଣ୍ଣ ରେକ୍ଟାଙ୍ଗୁଲାର୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର ଦ୍ୱିତୀୟ ବିଜୟରେ ହେଲୀ ରାସୋ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ନବମ ଓ ୩୯ତମ ମିନିଟ୍ରେ ଦୁଇଟି ଗୋଲ୍ ଦେଇ ଦଳକୁ ଅଗ୍ରଣୀ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧ ଖେଳରେ ୫୮ତମ ମିନିଟ୍ରେ ମ୍ୟାରୀ ଫୋଲର୍ ଓ ୯୦+୪ର୍ଥ ମିନିଟ୍ରେ ଷ୍ଟେଫାନି କାଟ୍ଲୀ ପେନାଲ୍ଟିରୁ ଗୋଲ୍ ଦେଇ ଦଳକୁ ୪-୦ରେ ବିଜୟୀ କରାଇଥିଲେ ।
ଫଳସ୍ୱରୂପ ଅଲିମ୍ପିକ୍ ଚାମ୍ପିଅନ୍ କାନାଡା ମାତ୍ର ୪ ପଏଣ୍ଟ୍ ପାଇ ତୃତୀୟ ସ୍ଥାନରେ ରହିବା ସହ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ୍ରୁ ହିଁ ବିଦାୟ ନେଇଛି । କାନାଡା କ୍ଷେତ୍ରରେ ଗତ ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ଘଟିଛି । ଦଳ ଶେଷ ଥର ପାଇଁ ଗତ ୨୦୧୧ ସଂସ୍କରଣରେ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ପ୍ରିକ୍ୱାର୍ଟର୍ ପର୍ଯ୍ୟାୟକୁ ଉନ୍ନୀତ ହେବା ସକାଶେ କାନାଡା ପାଇଁ ଡ୍ର’ ଆବଶ୍ୟକ ହେଉଥିଲେ ହେଁ ଅଷ୍ଟ୍ରେଲିଆ ଦମ୍ଦାର ବିଜୟ ହାସଲ ପୂର୍ବକ ଉକ୍ତ ଦଳର ଏହି ଆଶାକୁ ପାଣିରେ ମିଶାଇ ଦେଇଥିଲା ।
ହାମିଲଟନ୍ର ଏଫ୍ଏମ୍ଜି ଷ୍ଟାଡିୟମ୍ ୱାଇକାଟୋରେ ଖେଳାଯାଇଥିବା ଗ୍ରୁପ୍-ସି’ର ଏକ ମ୍ୟାଚ୍ରେ ଜାମ୍ବିଆ କୋଷ୍ଟାରିକାକୁ ପରାସ୍ତ କରି ବିଶ୍ୱକପ୍ ଇତିହାସରେ ନିଜର ପ୍ରଥମ ବିଜୟ ହାସଲ କରିଛି । ପୂର୍ବରୁ ଜାପାନ ଓ ସ୍ପେନ୍ଠାରୁ ପରାସ୍ତ ହୋଇଥିବା ଜାମ୍ବିଆ ସୋମବାର ତା’ର ଅନ୍ତିମ ମ୍ୟାଚ୍ରେ ୩-୧ରେ ବିଜୟୀ ହୋଇ ଏହି ଐତିହାସିକ ସଫଳତା ହାସଲ କରିଛି । କିନ୍ତୁ ଦଳକୁ ଏହି ବିଜୟ ସତ୍ତ୍ୱେ ଅନ୍ତିମ ସ୍ଥାନରେ ରହି ପ୍ରତିଯୋଗିତାରୁ ଲିଗ୍ ପର୍ଯ୍ୟାୟରୁ ହିଁ ବିଦାୟ ନେବାକୁ ପଡ଼ିଛି । ମ୍ୟାଚ୍ର ତୃତୀୟ ମିନିଟ୍ରେ ଲୁଶୋମା ଏମ୍ୱିମ୍ବା ଜାମ୍ବିଆକୁ ଅଗ୍ରଣୀ ପ୍ରଦାନ କରିଥିଲେ । ସେ ଏହି ଗୋଲ୍ଟି ମ୍ୟାଚ୍ ଆରମ୍ଭ ହେବାର ୨ ମିନିଟ୍ ୧୧ ସେକେଣ୍ଡ୍ ପରେ ଦେବା ସହ ପ୍ରତିଯୋଗିତାରେ ଦ୍ରୁତତମ ଗୋଲ୍ ସ୍କୋରର୍ ହେବାର ରେକର୍ଡ କରିଥିଲେ । ପରେ ୩୧ତମ ମିନିଟ୍ରେ ପେନାଲ୍ଟିରୁ ଗୋଲ୍ ଦେଇ ବାରବ୍ରା ବାନ୍ଦା ଦଳର ଏହି ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଦ୍ୱିତୀୟାର୍ଦ୍ଧ ଖେଳରେ ମ୍ୟାଚ୍ର ୪୭ତମ ମିନିଟ୍ରେ କୋଷ୍ଟାରିକା ପକ୍ଷରୁ ଡାଫ୍ନେ ମେଲିସା ହେରେରା ମୋଙ୍ଗେ ଗୋଲ୍ ଦେଇ ବ୍ୟବଧାନକୁ ୧-୨କୁ ହ୍ରାସ କରିଥିଲେ ।
କିନ୍ତୁ ୯୦+୩ୟ ମିନିଟ୍ରେ ରାଚିଲ୍ କୁନ୍ଦାନାଞ୍ଜି ଗୋଲ୍ ଦେଇ ଜାମ୍ବିଆକୁ ୩-୧ରେ ଆଗୁଆ କରାଇଥିଲେ । ଶେଷ ପର୍ଯ୍ୟନ୍ତ ଏହି ଅଗ୍ରଣୀକୁ ବଜାୟ ରଖି ଦଳ ବିଜୟୀ ହୋଇଥିଲା । ଏହି ଗ୍ରୁପ୍ର ଅନ୍ୟ ଏକ ମ୍ୟାଚ୍ ସୋମବାର ୱେଲିଂଟନ୍ ରିଜିଓନାଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ବେଳେ ଏଥିରେ ଜାପାନ ୪-୦ରେ ସ୍ପେନ୍କୁ ହରାଇ ଅପରାଜେୟ ରହିଛି । ଦଳ ପକ୍ଷରୁ ଦ୍ୱାଦଶ ଓ ୪୦ତମ ମିନିଟ୍ରେ ହିନାଟା ମିୟାଜାୱା ଦୁଇଟି ଗୋଲ୍ ଦେଇଥିବା ବେଳେ ୨୯ତମ ମିନିଟ୍ରେ ରିକୋ ଉଏକି ଓ ୮୨ତମ ମିନିଟ୍ରେ ମିନା ଟନାକା ଅନ୍ୟ ଦୁଇଟି ଗୋଲ୍ ସ୍କୋର୍ କରିଥିଲେ । ପୂର୍ବରୁ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିସାରିଥିବା ଏହି ଦୁଇ ଦଳ ମଧ୍ୟରୁ ସୋମବାର ଜାପାନ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ବେଳେ ସ୍ପେନ୍ ୬ ପଏଣ୍ଟ୍ ପାଇ ଗ୍ରୁପ୍ରେ ଦ୍ୱିତୀୟ ସ୍ଥାନରେ ରହିଛି । ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ରେ ଭାଗ ନେଇଥିବା କୋଷ୍ଟାରିକା ବିଜୟଶୂନ୍ୟ ଭାବେ ଅନ୍ତିମ ସ୍ଥାନରେ ରହି ବିଦାୟ ନେଇଛି ।