32.1 C
Bhubaneswar
Friday, June 20, 2025
Homeଦେଶ ବିଦେଶଭାରତରେ ହ୍ରାସ ପାଇଛି ପ୍ରଜନନ ହାର : ରିପୋର୍ଟ

ଭାରତରେ ହ୍ରାସ ପାଇଛି ପ୍ରଜନନ ହାର : ରିପୋର୍ଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ପକ୍ଷରୁ ସାମ୍ନାକୁ ଆସିଥିବା ଏକ ରିପୋର୍ଟ ଭାରତ ପାଇଁ ଚିନ୍ତା ବଢ଼ାଇଛି । ଜାତିସଂଘ ରିପୋର୍ଟ ଅନୁସାରେ ଭାରତରେ ଏବେ ପ୍ରଜନନ ହାର ହ୍ରାସ ପାଇଛି । ଅର୍ଥାତ୍ ଭାରତରେ ପ୍ରଜନନ ଅସମାନତା ଭଳି ସମସ୍ୟା ଉତ୍ପନ୍ନ ହୋଇଛି ଯାହାକି ଏକ ବୃହତ୍ ସଂକଟକୁ ଆମନ୍ତ୍ରଣ କରିବା ସଦୃଶ ହୋଇଛି । ସେହିପରି ୨୦୨୫ ଶେଷସୁଦ୍ଧା ଭାରତରେ ମୋଟ୍ ଜନସଂଖ୍ୟା ୧୪୬ କୋଟି ଛୁଇଁବ ବୋଲି ମଧ୍ୟ ଜାତିସଂଘ ନିଜ ରିପୋର୍ଟରେ ଦର୍ଶାଇଛି । ଜାତିସଂଘର ସଦ୍ୟତମ ‘ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ପପୁଲେସନ୍ ରିପୋର୍ଟ ୨୦୨୫’ରେ ଏପ୍ରକାର ଆଶ୍ଚର୍ଯ୍ୟଜନକ ଆକଳନଜନିତ ତଥ୍ୟ ପ୍ରକାଶ ପାଇଛି । ଏଥିରେ ଜାତିସଂଘ ଦର୍ଶାଇଛି ଯେ, ଭାରତର ଜନସଂଖ୍ୟାରେ ଏକ ବଡ଼ ପରିବର୍ତ୍ତନ ଘଟୁଛି । କିନ୍ତୁ ଚିନ୍ତାର କାରଣ ହେଉଛି ଭାରତର ମୋଟ୍ ପ୍ରଜନନ ହାର ଏବେ ‘ପ୍ରତିସ୍ଥାପନ ସ୍ତର’ରୁ ମଧ୍ୟ ନିମ୍ନଗାମୀ ଅର୍ଥାତ୍ ୧.୯%କୁ ଖସିଆସିଛି । ଏହାର ଅର୍ଥ ହେଉଛି, ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ନୂତନ ଜନ୍ମଗ୍ରହଣ କରୁଥିବା ଲୋକଙ୍କ ସଂଖ୍ୟା ଠାରୁ ଅଧିକ ରହିଛି । ପ୍ରକାଶ, ଏକ ସ୍ଥିର ଜନସଂଖ୍ୟା ପାଇଁ ଏହା ଅତି କମ୍‌ରେ ୨.୧ ହେବା ଉଚିତ୍ । ଏଭଳି ରିପୋର୍ଟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଭାରତରେ ବର୍ତ୍ତମାନ ମହିଳାମାନେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଜନସଂଖ୍ୟା ସ୍ଥିର ରଖିବା ପାଇଁ ଆବଶ୍ୟକତା ଠାରୁ କମ୍ ସନ୍ତାନ ଜନ୍ମ ଦେଉଛନ୍ତି ।

ଯଦି ଏପରି ସ୍ଥିତି ଜାରି ରୁହେ ତେବେ ଆଗକୁ ଦେଶ ପାଇଁ ଏକ ଚିନ୍ତାଜନକ ସମୟ ଆସୁଛି ବୋଲି କୁହାଯାଇପାରେ । କାରଣ ଦେଶରେ ଯୁବଜନସଂଖ୍ୟା ତୁଳନାରେ ବୟସ୍କ ଜନସଂଖ୍ୟା ବଢିବ । ଏହାଦ୍ୱାରା ସାମଗ୍ରୀକଭାବେ ଦେଶର ଉତ୍ପାଦକତା ହ୍ରାସ ପାଇବ । ରିପୋର୍ଟରେ କୁହାଯାଇଛି ଯେ ଏବେ ଦେଶର ୧୫ରୁ ୬୪ ବର୍ଷ ବୟସ୍କ ଜନସଂଖ୍ୟା (କାମ କରୁଥିବା ଜନସଂଖ୍ୟା) ମୋଟ ଜନସଂଖ୍ୟାର ୬୮% ରହିଛି, ଯାହାକି ପର୍ଯ୍ୟାପ୍ତ ନିଯୁକ୍ତି ଏବଂ ନୀତିଗତ ସମର୍ଥନ ସହିତ ଏକ ସମ୍ଭାବ୍ୟ ଜନସଂଖ୍ୟାଗତ ଲାଭାଂଶ ପ୍ରଦାନ କରୁଛି । ବୟସ୍କ ଜନସଂଖ୍ୟା (୬୫ ଏବଂ ତଦୁର୍ଦ୍ଧ୍ୱ) ବର୍ତ୍ତମାନ ୭% ପ୍ରତିଶତ ରହିଛି, ଯାହା ଆଗାମୀ ଦଶନ୍ଧିରେ ଜୀବନ ଆଶାରେ ଉନ୍ନତି ହେବା ସହିତ ବୃଦ୍ଧି ପାଇବାର ଆଶା କରାଯାଉଛି । ୨୦୨୫ ସୁଦ୍ଧା, ଜନ୍ମ ସମୟରେ ପୁରୁଷଙ୍କ ପାଇଁ ଜୀବନ ଆଶା ୭୧ ବର୍ଷ ଏବଂ ମହିଳାଙ୍କ ପାଇଁ ୭୪ ବର୍ଷ ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଆଗାମୀ ୨-୩ ଦଶକରେ ଅର୍ଥାତ ୨୦୫୦ ସୁଦ୍ଧା ଦେଶରେ ପ୍ରୌଢ ଜନସଂଖ୍ୟା ଅଧିକ ହେବ । ଏହା ଦେଶରେ ଆର୍ôଥକ ଉତ୍ପାଦନକତା ଉପରେ ପଡ଼ିବ ।

ଜାତିସଂଘ ରିପୋର୍ଟ ଦର୍ଶାଉଛି ଯେ, ଭାରତରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରକୃତ ପ୍ରଜନନ ଲକ୍ଷ୍ୟ ହାସଲ କରିପାରୁନାହାଁନ୍ତି । ରିପୋର୍ଟରେ ଜନସଂଖ୍ୟା ଗଠନ, ପ୍ରଜନନ କ୍ଷମତା ଏବଂ ଜୀବନ ଆଶାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ପ୍ରକାଶ କରାଯାଇଛି, ଯାହା ଏକ ପ୍ରମୁଖ ଜନସଂଖ୍ୟାଗତ ପରିବର୍ତ୍ତନକୁ ସୂଚିତ କରୁଛି । ଏହାର ଅର୍ଥ ହାରାହାରି, ଭାରତୀୟ ମହିଳାମାନେ ପ୍ରବାସ ବିନା, ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଜନସଂଖ୍ୟା ବଜାୟ ରଖିବା ପାଇଁ ଆବଶ୍ୟକତାଠାରୁ କମ୍ ସନ୍ତାନ ଜନ୍ମ କରୁଛନ୍ତି । ଜନ୍ମହାରରେ ହ୍ରାସ ସତ୍ତ୍ୱେ, ଭାରତର ଯୁବ ଜନସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ରହିଛି, ୦-୧୪ ବୟସ ବର୍ଗରେ ୨୪% , ୧୦-୧୯ ବୟସ ବର୍ଗରେ ୧୭% ଏବଂ ୧୦-୨୪ ବର୍ଷ ବୟସ ବର୍ଗରେ ୨୬% । ଜାତିସଂଘ ରିପୋର୍ଟ ଭାରତକୁ ଦ୍ରୁତ ଜନସଂଖ୍ୟାଗତ ପରିବର୍ତ୍ତନର ସମ୍ମୁଖୀନ ହେଉଥିବା ମଧ୍ୟମ ଆୟକାରୀ ଦେଶମାନଙ୍କ ମଧ୍ୟରେ ସ୍ଥାନିତ କରିଛି, ଯେଉଁଠାରେ ଜନସଂଖ୍ୟା ଦ୍ୱିଗୁଣିତ ହେବାର ସମୟ ବର୍ତ୍ତମାନ ୭୯ ବର୍ଷ ହେବ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking