ତେଲକୋଇ: ବିଧିର ବିଧାନ କେତେ ନିଷ୍ଠୁର ହୋଇପାରେ ତାହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଅନ୍ତର୍ଗତ ବେତଖୋଲି ଗ୍ରାମରେ । ବାପା ଓ ମା’ ଜଣ ଜଣ ହୋଇ ଆରପାରିକୁ ଚାଲିଯିବାରୁ ଏବେ ସଂପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି ୪ କୁନି କୁନି ଭାଇଭଉଣୀ । ପ୍ରଥମେ ମା’ ଚାଲିଯିବା ପରେ ଦୁଇବର୍ଷ ପର୍ଯ୍ୟନ୍ତ ବାପା ବହୁ ଝଡ଼ଝଞ୍ଜା ସହି ୪ ସନ୍ତାନକୁ ପାଳିପୋଷି ବଞ୍ଚାଇଥିଲେ । ହେଲେ ନିଷ୍ଠୁର ବିଧାତା ତାଙ୍କୁ ବି ଛଡ଼ାଇନେଲା ଏହି ଚାରି ପିଲାଙ୍କଠାରୁ । ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ବେତଖୋଲି ଗ୍ରାମର ନୀଳ ମୁଣ୍ଡାଙ୍କ ପରିବାରରେ ।
ଗତ ଦୁଇବର୍ଷ ତଳେ ସ୍ତ୍ରୀ ସବିପ ମୁଣ୍ଡା ଚତୁର୍ଥ ସନ୍ତାନ ଜନ୍ମଦେଇ ମୃତ୍ୟୁବରଣ କରିଥିଲେ । ଫଳରେ ନୀଳ ତାଙ୍କର ବଡ଼ ଝିଅ ବାସନ୍ତୀ(୧୨), ପୁଅ ବୁଦ୍ଧଦେବ(୧୦), ପୁଅ ସୁନିଆ(୮) ଓ ସାନଝିଅ ବାଲମା(୨)ଙ୍କୁ ବହୁ ଦୁଃଖକଷ୍ଟ କରି ପାଳିଆସୁଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା ଗତ ୨୪ତାରିଖ ଦିନ ନୀଳ ମୁଣ୍ଡା ବି ଚାଲିଗଲେ ଆରପାରିକୁ । କଅଁଳ ଶିଶୁଟି ମା’ କ୍ଷୀରରୁ ବଞ୍ôଚତ ଥିବାବେଳେ ବାପାଙ୍କ ମୃତ୍ୟୁ ୪ ଭାଇଭଉଣୀଙ୍କୁ ଅନାଥ ଆଉ ବେସାହାରା କରିଦେଇଛି । ସରକାରଙ୍କଠାରୁ ରାସନ ସାମଗ୍ରୀ ମିଳୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଚାଳଛପର ଘରଟିଏ ରହିଛି । ପରିତାପର ବିଷୟ ନୀଳ ବଞ୍ଚିଥିବା ବେଳେ ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରି ନଥିଲା ।
ଅନ୍ୟପକ୍ଷରେ ଗତ ଏକ ସପ୍ତାହ ହେଲା ୪ ଭାଇଭଉଣୀ ବେସାହାରା ହୋଇପଡ଼ିଛନ୍ତି । ଗ୍ରାମରେ ବୁଲି ବୁଲି ପର ବାରଣ୍ଡାରେ ବସି ଯିଏ ଯାହା ଖାଇବାକୁ ଦେଲା ବାସ୍ ସେତିକିରେ ଚଳୁଥିବା ଜଣାପଡ଼ିଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ମଦନ ଦେହୁରୀଙ୍କ ସମେତ ଗ୍ରାମବାସୀ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି । ସୂଚନାଯୋଗ୍ୟ କି ତେଲକୋଇ ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଜିଲ୍ଲାରେ ବହୁ ସ୍ୱେଚ୍ଛାସେବୀ ସଂଗଠନ ଗରିବମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ଆଜିଯାଏ କେହି ବି ଏହି ନିରୀହ ଶିଶୁମାନଙ୍କ ନିକଟରେ ପହଞ୍ଚି ନଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି ।