ନୂଆଦିଲ୍ଲୀ: ପୁଅ ବାହାରକୁ ଖେଳିବାକୁ ଯିବାକୁ ଜିଦି କଲା ବୋଲି ବାପାର ଆକ୍ରମଣର ଶିକାର ହେଲା । ବାହାରେ ବର୍ଷା ହେଉଥିବା ବେଳେ ପୁଅକୁ ଖେଳିବାକୁ ଯିବାକୁ ମନା କରିଥିଲେ ବାପା । ହେଲେ ପୁଅ ନ ଶୁଣିବାରୁ ପୁଅକୁ ଛୁରୀ ଭୁଷି ହତ୍ୟା କରିଛି ବାପା । ପୋଲିସ୍ ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ମାରଣାସ୍ତ୍ରକୁ ଜବତ କରିଛି । ଗତ ଶନିବାର ସକାଳେ, ଦିଲ୍ଲୀର ଦାଦା ଦେବ ହସ୍ପିଟାଲରୁ ପୋଲିସକୁ ଏକ ନାବାଳକକୁ ଛୁରୀ ଭୁଷା ଯାଇଛି ଏବଂ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସମ୍ପର୍କରେ ଏକ ଫୋନ୍ ଆସିଥିଲା । କିନ୍ତୁ ତଦନ୍ତକାରୀ ଟିମ୍ ହସ୍ପିଟାଲରେ ପହଞ୍ଚିବା ବେଳକୁ ପିଲାଟିକୁ ମୃତ ଘୋଷଣା କରି ସାରିଥିଲେ ଡାକ୍ତର ।
ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ପିଲାଟିକୁ ତାର ବାପା ହିଁ ଛୁରୀ ଭୁଷି ହତ୍ୟା କରିଛି । ଅଭିଯୁକ୍ତ ଏ ରୟ (୪୦) ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି । ସେ ଦିଲ୍ଲୀର ସାଗରପୁର ଅଞ୍ଚଳରେ ରୁହନ୍ତି । ବାହାରେ ବର୍ଷା ହେଉଥିବା ବେଳେ ପିଲାଟି ବାହାରକୁ ଖେଳିବା ପାଇଁ ଯିବାକୁ ଜିଦି କରିଥିଲା । ହେଲେ, ରୟ ତାଙ୍କୁ ମନା କରିଥିଲେ । ଯେତେବେଳେ ପିଲାଟି ତାଙ୍କ ବାପାଙ୍କ କଥା ଶୁଣିନଥିଲେ, ସେତେବେଳେ ତାଙ୍କ ବାପା ନିଜ ରାଗ ଉପରେ ନିୟନ୍ତ୍ରଣ ହରାଇ ବସିଥିଲେ । ରୋଷେଇ ଘରୁ ଏକ ଛୁରୀ ଆଣି ପିଲାଟିର ବାମ ପଟ ଛାତିରେ ଭୁଷି ଦେଇଥିଲେ । ଏହା ପରେ ଅଭିଯୁକ୍ତ ବାପା ତାଙ୍କ ପୁଅଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ପିଲାଟିର ଜୀବନ ବଞ୍ଚି ପାରି ନଥିଲା । ପୋଲିସ୍ କହିଛି ଯେ, ଅଭିଯୁକ୍ତ ଜଣଙ୍କ ଏକ ଭଡା ଘରେ ତାଙ୍କର ୪ ଜଣ ପିଲାଙ୍କୁ ନେଇ ରୁହନ୍ତି । କିଛି ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁହୋଇ ଯାଇଛି । ମୃତ ନାବାଳକ ଜଣକ ୪ ଜଣଙ୍କ ମଧ୍ୟରୁ ତୃତୀୟ ଥିଲା । ହତ୍ୟାକାରୀ ବାପାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।