ବେଙ୍ଗାଲୁରୁ: ଦୁର୍ଘଟଣାରେ ଆଖି ବୁଜିଲେ ବାପ-ପୁଅ, ଜ୍ବାଇଁ ଗୁରୁତର । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏଭଳି ଏକ ଦୁର୍ଘଟଣା ଘଟିଛି । ବେଙ୍ଗାଲୁରୁର ସଦାଶିବ ଟ୍ରାଫିକ ଥାନା ଅଞ୍ଚଳର ଇସ୍ରୋ ସର୍କଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଜ୍ବାଇଁ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ସଦାଶିବ ଟ୍ରାଫିକ ଥାନା ଅଞ୍ଚଳର ଇସ୍ରୋ ସର୍କଲ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ବାପା, ପୁଅ ରହିଥିବା ବେଳେ ଜ୍ୱାଇଁ ଗୁରୁତର ହୋଇଛନ୍ତି । ପୋଲିସ ଦେଇଥିବା ସୁଚନାନୁଯାୟୀ ପ୍ରାଣ ହରାଇଥିବା ବ୍ୟକ୍ତି ରଘୁ ଓ ତାଙ୍କ ପୁଅ ଚିରଞ୍ଜୀବ । ସେହିପରି ଜ୍ୱାଇଁ ବାସୁ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ଏହି ପରିବାର କୁଭେମ୍ପୁନଗରର ବାସିନ୍ଦା ବୋଲି ଜଣାପଡିଛି । ବହି ବ୍ୟବସାୟୀ କରୁଥିବା ଏହି ତିନିଜଣ କାମ ସାରି ଘରକୁ ଫେରୁଥିବା ବେଳେ ଏକ ଅନିୟନ୍ତ୍ରିତ ଦ୍ରୁତଗାମୀ କାର ସେମାନଙ୍କୁ ଧକ୍କା ଦେଇଥିଲା । ଏମ୍ଏସ୍ ରମୈୟା ମେଡିକାଲ ଆଡୁ ଆସୁଥବା ଏକ ମାରୁତି କାର ପ୍ରଥମେ ଛିଡ଼ାହୋଇ ଥିବା ଏକ କାରକୁ ଧକ୍କା ଦେବା ସହ ଆଉ ଗୋଟିଏ ଅଟୋକୁ ମଧ୍ୟ ଧକ୍କା ଦେଇଥିଲା । ସେହି ସମୟରେ ବାସୁ ରାସ୍ତାକଡରେ ଠିଆ ହୋଇଥିବା ବେଳେ ବାପା ଓ ପୁଅ ସ୍କୁଟିରେ ବସିଥିଲେ । ଏହି ୩ ଜଣଙ୍କୁ ମଧ୍ୟ କାରଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପା ଏବଂ ପୁଅର ମୃତ୍ୟୁ ଘଟିଥିବା ବେଳେ ଜ୍ୱାଇଁ ଗୁରୁତର ଥିବା ପୋଲିସ କହିଛି ।
କାରଟି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ କାବୁ କରି ପୋଲିସରେ ଜିମା ଦେଇଥିଲେ । ପ୍ରଥମିକ ତଦନ୍ତରୁ ପୋଲିସ ସୂଚନା ଦେଇଛି ଗାଡି ଚଳାଉଥିବା ଡ୍ରାଇଭର୍ ଜଣକ ମଦ୍ୟପାନ କରି ଗାଡି ଚଳାଉଥିଲେ । ଏହି ଘଟଣାକୁ ନେଇ ପୋଲିସ ସଦାଶିବ ଟ୍ରାଫିକ ଥାନା ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ନିଶା ସେବନ କରି ଗାଡି ଚଳାଇ ଦୁର୍ଘଟଣା ଘଟାଇବା ବର୍ତ୍ତମାନ ଏକ ଚିନ୍ତାର ବିଷୟ ପାଲଟିଛି । ମଦ୍ୟପ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।