ଜଗତସିଂହପୁର: ଶ୍ୱଶୁର ଘରେ ଜ୍ୱାଇଁକୁ ତଣ୍ଟିକାଟି ହତ୍ୟା ଉଦ୍ୟମ । ଶାଶୁ, ଶ୍ୱଶୁର ଓ ସ୍ତ୍ରୀ ମିଳିତ ଭାବେ ଜ୍ୱାଇଁଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ କଟକ ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି ଜ୍ୱାଇଁ । ଘଟଣା ପରେ ସ୍ତ୍ରୀ ଓ ଶାଶୁକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଶ୍ୱଶୁର ଫେରାର ଥିବା ଜଣାପଡିଛି । ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ପଦ୍ମପୁର ପଞ୍ଚାୟତ କେନ୍ଦୁମଠ ଗ୍ରାମରେ । ଗ୍ରାମରେ ଜଗା କାଣ୍ଡି, ତାଙ୍କ ସ୍ତ୍ରୀ ନିରୁପମା କାଣ୍ଡି ଝିଅ ମିନୁ କାଣ୍ଡି ସହ ମିଶି ଜ୍ୱାଇଁ ବିଶିକେଶନ ବେହେରା(୨୪)ଙ୍କୁ ତଣ୍ଟିକାଟି ହତ୍ୟା ଉଦ୍ୟମ କରିଥିବା ଏରସମା ଥାନାରେ ଅଭିଯୋଗ ହୋଇଛି । ଗୁରୁତର ଆହତ ଆବସ୍ଥାରେ ବିଶିକେଶନକୁ ଏରସମା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ତଣ୍ଟିରେ ୧୮ଟି ଷ୍ଟିଜ ପଡିଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ପୀଡିତଙ୍କ ମାଆ ନୟନା ବେହେରା ଗତକାଲି ଏନେଇ ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ରହିଥିଲେ ହେଁ ଜ୍ୱାଇଁ ବିଶିକେଶନ ଶ୍ୱଶୁର ଘରକୁ ଯିବା ଆସିବା କରୁଥିଲେ । ପୁଅ ଦେହ ଭଲନଥିବା ଖବର ପାଇ ଗତକାଲି ସକାଳେ ଶ୍ୱଶୁର ଘରକୁ ଯାଇଥିଲେ ବିଶିକେଶନ । ସେଠାରେ ପହଞ୍ଚିବା ପରେ କୌଣସି ଘଟଣାକୁ ନେଇ ଶ୍ୱଶୁର, ଶାଶୁ ଓ ଜ୍ୱାଇଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାକୁ ନେଇ ଶ୍ୱଶୁର, ଶାଶୁ ଓ ପରିବାର ଲୋକେ ଜ୍ୱାଇଁ ବିଶିକେଶନକୁ ମାଡ ମାରିବା ସହ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି । ବିଶିକେଶନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାବେଳେ ସଞ୍ଜୟ ନାମକ ଜଣେ ଯୁବକ ବିଶିକେଶନର ମାଆ ନୟନାଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ମାଆ ନୟନା ପଡୋଶୀଙ୍କ ସହଯୋଗରେ ବିଶକେଶନକୁ ଉଦ୍ଧାର କରି ଏରସମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିଶିକେଶନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।