ଯାଜପୁରରୋଡ: ଯାଜପୁର ଜିଲ୍ଲା କଳିଙ୍ଗନଗର ଟାଟା ରେଳ ପ୍ରକଳ୍ପକୁ କ୍ଷତିଗ୍ରସ୍ଥ ଚାଷୀ ମଙ୍ଗଳବାର ତୀବ୍ର ବିରୋଧ କରିଛନ୍ତି। କାରଣ ରେଲୱେ ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକେ ଚାଷ ଜମି ହରାଇବେ। ତେବେ ଅନୁଗୁଳ-ସୁକିନ୍ଦା-ଡ଼ୁବୁରୀ ରେଳପଥ ପ୍ରକଳ୍ପରୁ କଳିଙ୍ଗନଗର ଟାଟାଷ୍ଟିଲକୁ ରେଲୱେ ଲାଇନ ସଂଯୋଗ କରାଯିବାକୁ ପ୍ରସ୍ତାବ ରହିଛି। ଟାଟା ରେଲୱେ ପ୍ରକଳ୍ପକୁ ବିରୋଧ କରି ଚାଷୀ ଆନ୍ଦୋଳନ କଳିଙ୍ଗନଗରରେ ମୁଣ୍ଡ ଟେକିଛି। ଏପରିକି ଆଜି ଶତାଧିକ ଚାଷୀ କଳିଙ୍ଗନଗର ଥାନା ସମ୍ମୁଖରେ ପ୍ରତିବାଦର ସ୍ୱର ଉଠାଉଛନ୍ତି। ମୁଖ୍ୟତଃ ରେଲୱେ ପ୍ରକଳ୍ପ ପାଇଁ ଜମି ହରାଉଥିବା ଚାଷୀଙ୍କୁ ଜମିର ଉପଯୁକ୍ତ ମୂଲ୍ୟ ପ୍ରଦାନ ଓ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ଦାବିରେ ଚାଷୀମାନେ ଆନ୍ଦୋଳନକୁ ତୀବ୍ରତର କରିଥିଲେ। କଳିଙ୍ଗନଗର ସବୁଜ କୃଷିକ୍ଷେତ୍ର ମଞ୍ଚ ନେତୃତ୍ୱରେ ଶତାଧିକ ଚାଷୀ ଆଜି କଳିଙ୍ଗନଗର ଥାନା ସମ୍ମୁଖରେ ମେଳି ବାନ୍ଧି ଏହାର ପ୍ରତିବାଦ କରିଥିଲେ। ଅଧିକ ଉତ୍ତେଜନା ଆଶଙ୍କାରେ ତୁରନ୍ତ ଜିଲ୍ଲାପାଳ ଅମ୍ବର କୁମାର କାର ହସ୍ତକ୍ଷେପ କରିଥିଲେ।
ମଙ୍ଗଳବାର ଅପରାହ୍ନରେ ଆଲୋଚନା ମାଧ୍ୟମରେ ଏହାର ସ୍ଥାୟୀ ସମାଧାନ ପାଇଁ କଳିଙ୍ଗନଗର ଥାନା ପରିସରରେ ଏକ ମିଳିତ ଆଲୋଚନା ହୋଇଥଲା। ତେବେ ପୁଲିସ ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ଥାନାକୁ ଡକାଯାଇଥିବାରୁ ଚାଷୀମାନେ କ୍ଷୋଭ ପ୍ରକାଶ କରିଥିଲେ। ଆଲୋଚନାରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଏସ୍ପି ୟସ ପ୍ରତାପ ଶ୍ରୀମଲ, କଳିଙ୍ଗନଗର ଏଡିଏମ୍ ସପନ କୁମାର ନନ୍ଦ, କଳିଙ୍ଗନଗର ଅତିରିକ୍ତ ଏସ୍ପି ସୁପ୍ରସନ୍ନ ମଲ୍ଲିକ, ଥାନା ଅଧିକାରୀ ପ୍ରକାଶ ସାହୁ ସମେତ ପୁଲିସ ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ଥିଲେ। ଆଲୋଚନାରେ ଚାଷୀମାନେ ନିଜ ଜିଦରେ ଅଟଳ ରହିଛନ୍ତି। ଜମିର ଉଚିତ ମୂଲ୍ୟ ନଦେଲେ ଏବଂ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ସୁଯୋଗ ନମିଳିଲେ ପ୍ରକଳ୍ପ ପାଇଁ ଜମି ଛାଡ଼ିବେ ନାହିଁ ବରଂ ଏହାକୁ ତୀବ୍ର ବିରୋଧ କରିବେ ବୋଲି ରୋକ ଠୋକ କହିଥିଲେ। ଯାହାଫଳରେ ପ୍ରଶାସସନିକ ଅଧିକାରୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଥିଲା। କିନ୍ତୁ ଆଲୋଚନା ମାଧ୍ୟମରେ ଜମିହରା ଚାଷୀଙ୍କୁ ଜିଲ୍ଲାପାଳ ବୁଝାଇଥିଲେ। ଏଥିରେ ସ୍ଥାନୀୟ କୃଷକ ନେତା ମୃତ୍ୟୁଞ୍ଜୟ ଦେଓ, ୨୯ ମୌଜା ଭୂମିମୁକ୍ତି ମଞ୍ଚର ଆବାହକ,ବିଶ୍ୱରଞ୍ଜନ ସ୍ୱାଇଁ ,ଜମିହରା ଚାଷୀ କୈଳାଶ ମହାନ୍ତ,ସବୁଜ କୂଷିଖେତ୍ର ବଞ୍ଚାଅ ସମିତିର ସଂପାଦକ ଗୀରିଶ ମହାନ୍ତ ,ଚାଷୀ ନେତା ତୈଳାସ ମହାନ୍ତ, ଭରତ ମହାନ୍ତ ପ୍ରମୁଖ ଓ ଅନ୍ୟ ଚାଷୀ ଉପସ୍ଥିତ ଥିଲେ।










