ଭଦ୍ରକ :ଚଳିତବର୍ଷ ଖରିଫ ଧାନ ଚାଷକୁ ଅଦିନିଆ ବର୍ଷା ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ଗତ ଅକ୍ଟୋବର-ନଭେମ୍ବରଠାରୁ ଲଘୁଚାପ ସହିତ ସାଧାରଣ ବର୍ଷା ଏଭଳି ହେଉଛି ଯେ ବିଲରୁ ଏଯାଏଁ ପାଣି ଶୁଖୁନାହିଁ । ଫଳରେ ବିଭିନ୍ନ ସ୍ଥାନରୁ ଋଣ ଆଣି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୬ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ଚାଷ ହୋଇଥିବା ଖରିଫ ଧାନ ଅଦିନିଆ ବର୍ଷା ଯୋଗୁଁ ପ୍ରାୟତଃ ନଷ୍ଟ ହୋଇଯାଇଛି । ଧାନ କ୍ଷେତରେ ପାଚିବା ପରଠାରୁ ଆଠ ପନ୍ଦର ଦିନ ଅନ୍ତରରେ ବର୍ଷା ହେଉଥିବାରୁ ଶସ୍ୟ ଅମଳ କରିବା ଚାଷୀ ପାଇଁ କଷ୍ଟସାଧ୍ୟ ହୋଇଯାଇଛି । ମେସିନ ସାହାଯ୍ୟରେ ଅଳ୍ପକିଛି ଅମଳ ହୋଇଥିଲେ ସୁଦ୍ଧା ଗତ ପନ୍ଦର ଦିନ ପୂର୍ବର ବର୍ଷା ବିଲରେ ପାଣି ଠିଆ କରିଦେଇଥିଲା ।
ଯେଉଁଥି ପାଇଁ ଧାନ କଳେଇ ବୁଡ଼ିଯାଇଥିବା ବେଳେ କେତେକ ସ୍ଥାନରେ ଧାନ ଗଜା ହୋଇଯାଇଛି । ଏଭଳି ଅବସ୍ଥା ବ୍ଲକର ମଞ୍ଜୁରୀରୋଡ୍ଠାରୁ ଆରମ୍ଭ କରି ମଣିନାଥପୁର ଓ ବିଷ୍ଣୁପୁର ଯାଏଁ ଦେଖିବାକୁ ମିଳିଥିଲା । କିଛି ଦିନ ଟିକେ ବର୍ଷା ଛାଡ଼ିବାରୁ ଗଜା ଧାନକୁ କ୍ଷେତରୁ ଆଣି ଚାଷୀ କଂକ୍ରିଟ ନିର୍ମିତ ବିଭିନ୍ନ ଗ୍ରାମ୍ୟ ରାସ୍ତାରେ ଶୁଖାଇ ଅମଳ କରୁଥିଲା । ମାତ୍ର ପୁଣି ବଡ଼ ଧରଣର ଅଦିନିଆ ବର୍ଷା ଏହା ଉପରେ ଦାଉ ସାଧିଛି । ଗତକାଲିଠାରୁ ଆଜିଯାଏଁ ବ୍ଲକର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବାରୁ ରାସ୍ତାରେ ଶୁଖୁଥିବା ଅମଳ ଉପଯୋଗୀ ଧାନ ଓ ବିଲରେ ଥିବା ପାଚିଲା କ୍ଷେତ ସମ୍ପୂର୍ଣ୍ଣ ନଷ୍ଟ ହେବ ବୋଲି ଆଶଙ୍କା କରାଯାଉଛି ।
ଏଭଳି ଅଦିନିଆ ବର୍ଷା ଦୁର୍ବିପାକ ଯୋଗୁ ମଧ୍ୟମ, ନାମମାତ୍ର ଓ ଭାଗଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ବେଳେ ଋଣ ଭାରରେ ସେମାନେ ବୁଡ଼ିଯିବେ ଏଥିରେ ସନ୍ଦେହ ନାହିଁ । ତଥାପି ଶେଷ ଆଶା ରଖି ବର୍ଷାରେ ଭିଜି କେତେକ ଜାଗାରେ ଚାଷୀମାନେ ଓଦା ଧାନକୁ ମଧ୍ୟ ହିଡ଼ ଉପରକୁ ଟେକୁଥିବା ଦେଖାଯାଇଛି । ଏହା ଉପରେ ସରକାର ଦୃଷ୍ଟିଦେଇ କ୍ଷୟକ୍ଷତି ଯୋଗାଇଲେ ଚ।।ଷୀମାନେ ନିଶ୍ଚିତ ଋଣଭାରରୁ ମୁକ୍ତି ପାଇବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି ।