ଗୁଜରାଟ: ରାଜ୍ୟପାଳ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଗୁଜରାଟ ଗସ୍ତରେ ଯାଇଥିବା ଓଡ଼ିଆ ଚାଷୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲାଇଭଲିହୁଡ୍ ଅଲଟରନେଟିଭର ଉଦ୍ୟମକୁ ରାଜ୍ୟପାଳଙ୍କ ଭୂୟସୀ ପ୍ରଶଂସା । ଗୁଜରାଟର ବୃହତ୍ ଅମୂଲ କାରଖାନା ଏବଂ ଜୈବ ଇନ୍ଧନ କାରଖାନା ପରିଦର୍ଶନ କଲେ ଚାଷୀ । ଫେବୃୟାରୀ ୦୨ରେ ଲାଇଭଲିହୁଡଡ୍ ଅଲଟରନେଟିଭ, ନାଫେଡ ଓ ସୋଆ ବିଶ୍ୱବିଦ୍ୟାଳୟ ସହଯୋଗରେ ଓଡ଼ିଶାରୁ ୧୦ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି ଚିନାବାଦାମ ଚାଷୀ । ଶୁକ୍ରବାର ଗସ୍ତ କାଳରେ ଏମାନେ ମାନ୍ୟବର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବରଥ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହର୍ଷ ରମେଶ କୁମାର ସାଙ୍ଗଭୀଙ୍କୁ ଭେଟିଛନ୍ତି ।
ଓଡ଼ିଶାର ଚାଷୀମାନେ ଗୁଜରାଟକୁ ଆସି ଚାଷ ପଦ୍ଧତି ଦେଖିବାର ବ୍ୟବସ୍ଥା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲାଇଭଲିହୁଡ୍ ଅଲଟରନେଟିଭର ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି । ଓଡ଼ିଶାକୁ ବହୁଳ ଭାବେ ପ୍ରାକୃତିକ କୃଷି ସହ ଯୋଡ଼ିବା ପାଇଁ ପରାମର୍ଶ ଦେବା ସହ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳର ବହୁଳ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଚଳିତ ବର୍ଷ ବଜେଟରେ ପ୍ରାକୃତିକ କୃଷି ପାଇଁ ସାରା ଦେଶରେ ୧ କୋଟି କୃଷକଙ୍କୁ ଯୋଡ଼ିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟପାଳ । ପ୍ରାକୃତିକ ଉପାୟରେ ଚାଷ କରିବା ଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହ ମାଟି ଅନୁର୍ବର ହେବ ନାହିଁ । ଏହା ଦ୍ୱାରା ଓଡ଼ିଶା କୃଷି କ୍ଷେତ୍ରରେ ଆଗକୁ ବଢ଼ିବ ଓ ଦେଶରେ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ସ୍ଵପ୍ନ ସାକାର ହୋଇପାରିବ ।
ଚିନାବାଦାମ ଚାଷ କ୍ଷେତ୍ରରେ ଗୁଜରାଟର ସ୍ଵତନ୍ତ୍ର ସ୍ଥାନ କରିଛି । ଚିନାବାଦାମ ଚାଷ ପାଇଁ ଓଡ଼ିଶାରେ ଅନୁକୂଳ ଜଳବାୟୁ ଏବଂ ଭୂମି ରହିଛି । ଯାହାଦ୍ୱାରା ଚିନାବାଦାମ ଚାଷ ବ୍ୟାପକ ହୋଇପାରିବ ଏବଂ ଚାଷୀ ଅଧିକ ଲାଭ ପାଇବେ । ଚାଷୀମାନେ ଗୁଜରାଟରୁ ନେଇଥିବା ଅନୁଭୂତିକୁ ଓଡ଼ିଶାର ଚିନାବାଦାମ ସହ ଅନ୍ୟ ଫସଲ ବହୁଳ ମାତ୍ରାରେ ଚାଷ କରନ୍ତୁ । ଦେଶୀ ଗାଈ ପାଳନ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଓଡ଼ିଶା ଆସିବାକୁ ମଧ୍ୟ ମାନ୍ୟବର ରାଜ୍ୟପାଳ ଆଗ୍ରହ ପ୍ରକାଶ କରିଥିଲେ ।
ସେହିପରି ନିଜ ସରକାରୀ ବାସଭବନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସାଙ୍ଗଭୀ ଓଡ଼ିଶାର ଚିନାବାଦାମ ଚାଷୀମାନଙ୍କ ସହ ଗୁଜରାଟ ଗସ୍ତର ଅନୁଭୂତି ଏବଂ ଚାଷ ବିଷୟରେ ଆଲୋଚନା କରିଥିଲେ । ଓଡ଼ିଶାରୁ ଆସିଥିବା ଚାଷୀମାନେ ଗୁଜରାଟରୁ ଶିଖିଥିବା କୃଷି ପଦ୍ଧତି ନିଜ ଜମିରେ ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଆଜି ଗସ୍ତ କାଳରେ ଚାଷୀମାନେ ଗୁଜରାଟର ଆନନ୍ଦ ଜିଲ୍ଲାସ୍ଥିତ ବୃହତ୍ ଅମୂଲ କାରଖାନା ଏବଂ ଜୈବ ଇନ୍ଧନ କାରଖାନା ପରିଦର୍ଶନ କରିଥିଲେ ।