ମୁମ୍ବାଇ: ମହାରାଷ୍ଟ୍ରରେ ବିଭିନ୍ନ ଦାବି ନେଇ ନାସିକ୍ରୁ ମୁମ୍ବାଇ ପର୍ଯ୍ୟନ୍ତ ବାହାରିଥିବା କୃଷକଙ୍କ ପଦଯାତ୍ରା ପ୍ରତ୍ୟାହୃତ ହୋଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହିତ କୃଷକଙ୍କ ପ୍ରତିନିଧିଙ୍କ ଆଲୋଚନାର ଦୁଇଦିନ ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏହି ମାର୍ଚ୍ଚର ନେତୃତ୍ୱ ନେଉଥିବା ସିପିଆଇ ନେତା ତଥା ପୂର୍ବତନ ବିଧାୟକ ପାଣ୍ଡୁ ଗଭିତ କହିଛନ୍ତି, କୃଷକମାନେ ଏବେ ନିଜ ନିଜ ଘରକୁ ଫେରୁଛନ୍ତି ।
ସେ କହିଛନ୍ତି, ରାଜ୍ୟ ସରକାର ସେମାନଙ୍କ ଦାବି ମାନିନେବାକୁ ଆଶ୍ୱାସନା ଦେଇଛନ୍ତି । ସୂଚନାଯୋଗ୍ୟ ପ୍ରାୟ ୧୦ ହଜାର କୃଷକ ନିଜର ଦାବି ପୂରଣ ପାଇଁ ମୁମ୍ବାଇର ଆଜାଦ ମୈଦାନରେ ଆନ୍ଦୋଳନ କରିବାକୁ ଯାଉଥିଲେ । ଜମି ଉପରେ ହକ୍, ପିଆଜର ଏମ୍ଏସ୍ପି ଏବଂ ଋଣଛାଡ଼ ସେମାନଙ୍କର ମୁଖ୍ୟା ଦାବି ଥିଲା । ଏହି ପଦଯାତ୍ରାରେ କୃଷକଙ୍କ ବ୍ୟତୀତ ଅସଂଗଠିତ ଶ୍ରମିକ, ଆଶାକର୍ମୀ ଏବଂ ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ସାମିଲ ଥିଲେ ।