ଉତ୍ତରପ୍ରଦେଶ: ସଭାରେ ବିଜେପି ବିଧାୟକଙ୍କୁ ଚାପୁଡ଼ା ମାରିଛନ୍ତି କୃଷକ ନେତା । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓରେ ।ଏକ ପ୍ରତିମୂର୍ତ୍ତି ଉତ୍ସବରେ ଯୋଗଦେବାକୁ ଯାଇଥିଲେ ଉନ୍ନାଓର ବିଜେପି ବିଧାୟକ ପଙ୍କଜ ଗୁପ୍ତା । ମଞ୍ଚରେ ବସିଥିବା ସମୟରେ ଜଣେ କୃଷକ ସାମ୍ନାକୁ ଆସି ତାଙ୍କୁ ଚାପୁଡ଼ା ମାରିଥିଲେ । ପରେ କିଛି ଲୋକ ମଞ୍ଚରୁ ଆସି କୃଷକ ଜଣକୁ କାବୁ କରିଥିଲେ ।
ଉତ୍ତରପ୍ରଦେଶ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି କୃଷକ ନେତା ଏଭଳି କରିଥିବା କୁହାଯାଉଛି ।ଆଗକୁ ବିଧାନସଭା ନିର୍ବାଚନ ଥିଲାବେଳେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସଭାମଞ୍ଚରେ ବିଧାୟକଙ୍କୁ ମାଡ଼ ମାରିବାର ଭିଡିଅ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାକୁ ପ୍ରସଙ୍ଗ କରିଛି ସମାଜବାଦି ପାର୍ଟି । ସପା କହିଛି ଏହି ଚାପୁଡା ବିଧାୟକଙ୍କ ପାଇଁ ନୁହେ ବରଂ ଯୋଗୀ ସରକାର ପ୍ରତି ଥିଲା । ଯୋଗୀ ସରକାରର ଅନୀତି ,ଦୁର୍ବଳ ପ୍ରଶାସନ ଓ ଏକଛତ୍ରବାଦ ନୀତି ବୀରୋଧରେ ଏହା ଏକ ପ୍ରତିଫଳନ ବୋଲି କହିଛି ସପା । ତେବେ ଏ ଘଟଣା ପରେ ସମ୍ପୃକ୍ତ କୃଷକ ନେତା ଓ ବିଧାୟକ ଏକାଠି ସାମ୍ବାଦିକ ସମ୍ମିଳନି କରିଥିଲେ ଓ ସେ ଚାପୁଡ଼ା ମାରିନାହାନ୍ତି ବରଂ ବିଧାୟକଙ୍କୁ ଥାପୁଡ଼ାଇଥିଲେ ବୋଲି କୃଷକ ନେତା ଜଣକ କହିଥିଲେ ।