ରାୟଗଡ଼ା : ପଞ୍ଚାୟତ ନିର୍ବାଚନରେ ବିଜେଡିର ଜୟଯାତ୍ରା ଜାରି ରହିଛି । ଗୋଟିଏ ପଟେ ବୃହତ୍ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଅନ୍ୟପଟେ ବିଜେପି ଓ କଂଗ୍ରେସ ଏକପ୍ରକାର ଧରାଶାୟୀ ହୋଇପଡ଼ିଛନ୍ତି । କିନ୍ତୁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍-କ ଜୋନ୍ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ । କଂଗ୍ରେସ ଟିକେଟ୍ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜୟୀ ହୋଇଛନ୍ତି । ବିଜେଡି ଓ ବିଜେପି ଦୁଇ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ପଛରେ ପକାଇ ସେ ନିର୍ବାଚନ ଜିତିଛନ୍ତି । ପ୍ରତିପକ୍ଷ ବିଜେଡି ପ୍ରାର୍ଥୀଙ୍କୁ ୨୫୦ରୁ ଅଧିକ ଭୋଟ୍ରେ ହରାଇ ଶ୍ରୀଧର ବିଜୟୀ ହୋଇଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନରେ ତ୍ରିମୁଖୀ ଲଢେଇ ହୋଇଥିଲା । ତେବେ ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜେଡି ଓ ବିଜେପି ଦୁଇ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ପଛରେ ପକାଇ ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ନିର୍ବାଚନ ଜିତିବା ପରେ ଶ୍ରୀଧର କହିଛନ୍ତି, ‘କଂଗ୍ରେସ ପ୍ରାର୍ଥୀ ଭାବେ ରାମନାଗୁଡ଼ା(କ) ଜୋନ୍ରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଲଢ଼ିଥିଲି । ରାମନାଗୁଡ଼ାର ମୁଁ ଜଣେ ଛୋଟ ପରିବା ବ୍ୟବସାୟୀ । ଚାଷୀଙ୍କଠୁ ପରିବା ଆଣି ମୁଁ ବିକ୍ରି କରେ । ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟ ଲାଭ କରିଛି । ଗରିବମାନଙ୍କୁ ସେବା କରିବି । ଲୋକମାନେ ଯେଉଁଭଳି ଭାବେ ମୋତେ ସମର୍ଥନ କରି ଭୋଟ୍ଦେଇ ଜିତାଇଛନ୍ତି ଏଥିପାଇଁ ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ।