କେନ୍ଦ୍ରାପଡ଼ା : ଜାଗା ନାହିଁ ତ ଭୋଟ୍ ନାହିଁ । ୫ ବର୍ଷ ହେଲା ଭୂମିହୀନ ପଟ୍ଟାଧରି ବୁଲୁଛନ୍ତି । ହେଲେ ସେମାନଙ୍କୁ ଏ ଯାଏ ଜାଗା ମିଳିପାରିଲା ନାହିଁ । ଆସନ୍ତା ପୈାର ନିର୍ବାଚନରେ ଏହି ଭୂମିହୀନମାନେ ଭୋଟ ବର୍ଜନ କରିବେ ବୋଲି ରୋକଠୋକ ଜିଲ୍ଲା ପ୍ରଶାସନକୁ ଶୁଣାଇ ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୧୫ ତାରିଖରେ ପୌର ହଲ୍ରେ ୫୮୮ ଜଣ ହିତାଧିକାରୀ ପରିବାରକୁ ଭୂମିହୀନ ପଟ୍ଟା ବଣ୍ଟନ ପାଇଁ ସାମିଲ କରିଯାଇଥିଲା । ଏମାନଙ୍କ ମଧ୍ୟରୁ ୨୭୨ ଜଣଙ୍କୁ ସ୍ଥାୟୀ ପଟ୍ଟା ମିଳିଥିଲା । ଅବଶିଷ୍ଟ ୩୧୪ ଜଣଙ୍କୁ ପରେ ପଟ୍ଟା ମିଳିବ ବୋଲି କୁହାଯାଇଥିଲା । ସହରର ଶ୍ୟାମଗୁଡିଆ, ଚକୋଡା, ରଣପଡା, ଚଉଁରୀ ବରହମପୁର, ଇଦଗା ମହଲ, କଜଳା ଆଦି ସ୍ଥାନରେ ରହୁଥିବା ୧୮୦ ଜଣ ଲୋକଙ୍କୁ ସ୍ଥାୟୀ ପଟ୍ଟା ମିଳିଥିଲା । ଅବଶିଷ୍ଟ ଫକିରାବାଦ, ମାଧପୁର, ଏକନାଖଣ୍ଡି, ସାନ୍ତସାହି, ମୀରପାଟଣା ଆଦି ଅଞ୍ଚଳର ଭୂମିହୀନମାନଙ୍କୁ ପଟ୍ଟା ମିଳିପାରିନଥିଲା । ଘର ନିର୍ମାଣ କରିବା ପାଇଁ ଲୋକଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ଜାଗା ମିଳିପାରିଲାନାହିଁ । ବାରମ୍ବାର ହିତାଧିକାରୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଆଗକୁ ପୌର ନିର୍ବାଚନ ଆସୁଥିବାରୁ ହିତାଧିକାରୀମାନେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ପୌରାଞ୍ଚଳ ଅନ୍ତର୍ଗତ ୧ ନଂ. ୱାର୍ଡ ଶ୍ୟାମଗୁଡିଆ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ପରିବାର ସରକାରୀ ଜାଗାରେ ଚାଳଛପର କରି ମୁଣ୍ଡ ଗୁଜିଛନ୍ତି । ଯେଉଁ ରାସ୍ତାକଡ଼ରେ ସେମାନେ ମୁଣ୍ଡ ଗୁଞ୍ଜିଛନ୍ତି ନୂତନ ଡାକ୍ତରଖାନା କାର୍ଯ୍ୟକାରୀ ହେଲେ ରାସ୍ତା ପ୍ରଶସ୍ତୀକରଣ ଯୋଗୁଁ ସେମାନଙ୍କ ଘର ଭାଙ୍ଗି ଦିଆଯିବ ବୋଲି ଏବେଠାରୁ ଶୁଣାଇ ଦିଆଗଲାଣି । ଘର ଉଚ୍ଛେଦ ହେଲେ ଏହି ବାସହରାମାନେ କେଉଁଠି ଆଶ୍ରୟ ନେବେ ଚିନ୍ତାରେ ପଡ଼ିଯାଇଛନ୍ତି । ତେଣୁ ଶ୍ୟାମଗୁଡିଆ ଅଞ୍ଚଳର ୨୦ଟି ଭୂମିହୀନ ପରିବାର ଜିଲ୍ଲାପାଳଙ୍କୁ ଭେଟି ଜାଗା ନାହିଁ ତ ଭୋଟ୍ ନାହିଁ ବୋଲି ଚେତାବନୀ ଦେବା ସହ ଲିଖିତ ଅଭିଯୋଗ କରିଛନ୍ତି ।