26.1 C
Bhubaneswar
Sunday, April 5, 2026
Homeଦେଶ ବିଦେଶମଣିପୁରରେ ଉଗ୍ରବାଦୀ ଆକ୍ରମଣ; ସିଆରପିଏଫ୍ ଯବାନ ସହିଦ୍‌

ମଣିପୁରରେ ଉଗ୍ରବାଦୀ ଆକ୍ରମଣ; ସିଆରପିଏଫ୍ ଯବାନ ସହିଦ୍‌

ଇମ୍ଫାଲ: ମଣିପୁରର ଜିରିବାମ ଜିଲ୍ଲାରେ ଆଜି ଆଉ ଏକ ଉଗ୍ରବାଦୀ ଆକ୍ରମଣ ସଂଘଠିତ ହୋଇଥିବା ଏବଂ ଏଥିରେ ଜଣେ ସିଆରପିଏଫ୍ ଯବାନ୍ ସହିଦ୍ ହୋଇଥିବା ଭଳି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ମଣିପୁର ପୁଲିସ୍ ଟିମ୍ ଓ ସିଆରପଏଫ୍ ଯବାନ୍‌ଙ୍କ ୨୦ ବାଟାଲିୟନ୍ ଏକ ମିଳିତ ଟିମ୍ ପାଟ୍ରୋଲିଂରେ ଯାଉଥିବା ବେଳେ କୁକି ଉଗ୍ରବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ସିଆର୍‌ପିଏଫ୍ ଯବାନ ଅଜୟ କୁମାର ଝା’ ଘଟଣାସ୍ଥଳରେ ହିଁ ସହିଦ୍ ହୋଇଯାଇଛନ୍ତି । କୁକି ଉଗ୍ରବାଦୀଙ୍କ ପକ୍ଷରୁ ଗୁଳି ବର୍ଷା କରାଯାଇଥିବା ବେଳେ ଗୋଟିଏ ଗୁଳି ଯବାନ୍‌ଙ୍କ ଗାଡ଼ିର କାଚ ଭାଙ୍ଗି ଆସି ଅଜୟ ଝା’ଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ସେହିଠାରେ ହିଁ ଯବାନ୍ ଅଜୟ ଟଳିପଡିଥିଲେ । ସେହିପରି ଏହି ଗୁଳିକାଣ୍ଡରେ ମଣିପୁର ପୁଲିସ୍ ବିଭାଗର ରୋମେଣ୍ଡ୍ରୋ ନାମକ ଜଣେ ଅଧିକାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମଣିପୁର ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ମୋଙ୍ଗ୍‌ବୁଙ୍ଗ୍ ପ୍ରାନ୍ତରେ ପାଟ୍ରୋଲିଂ ଟିମ୍ ଉପରେ ହମ୍‌ଲା ହୋଇଛି । ପାହାଡ ଆଢ଼ୁଆଳରେ ରହି କୁକି ଉଗ୍ରବାଦୀମାନେ ପାଟ୍ରୋଲିଂ ଟିମ୍ ଉପରେ ଗୁଳିବର୍ଷା କରିଥିଲେ । ତେବେ ଉଭୟ ମଣିପୁର ପୁଲିସ୍ ଟିମ୍ ଏବଂ ସିଆରପିଏଫ୍ ଯବାନ୍‌ଙ୍କ ପକ୍ଷରୁ ଜବାବି ଆକ୍ରମଣ କରାଯାଇଥିଲା । ଏଥିରେ ଉଗ୍ରବାଦୀମ।।ନେ ଜଙ୍ଗଲ ଆଡକୁ ଯାଇ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ । ବର୍ତ୍ତମାନ ଏଠାରେ ସର୍ଚ୍ଚ ଅପରେସନ୍‌କୁ ବ୍ୟାପକ କରାଯାଇଛି । ଆଖପାଖ ୨ଟି ଜିଲ୍ଲାରୁ ମଣିପୁର ପୁଲିସ୍‌କୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି । ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ସିଆରପିଏଫ୍ କମାଣ୍ଡୋଙ୍କ ପକ୍ଷରୁ ହୋଇଥିବା ଜବାବି ଆକ୍ରମଣରେ ଉଗ୍ରବାଦୀଙ୍କ ପକ୍ଷରୁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସବିଶେଷ ରିପୋର୍ଟ ମିଳିପାରିନାହିଁ ।

ଅନ୍ୟପକ୍ଷେ ଯବାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଜିରିବାମ ଜିଲ୍ଲାର କୁକି ସମ୍ପ୍ରଦାୟର ଉଗ୍ରବାଦୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣକୁ ଏବଂ ଜଣେ ସିଆରପିଏଫ ଯବାନଙ୍କ ସହିଦ୍ ହେବା ଘଟଣାକୁ ସେ ଦୃଢ଼ ଭାବେ ନିନ୍ଦା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ ଯବାନ୍‌ଙ୍କ ସର୍ବୋଚ୍ଚ ବଳିଦାନ ବୃଥାଯିବାକୁ ଦିଆଯିବ ନାହିଁ । ସହିଦ୍ ଯବାନଙ୍କ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତ ପୁଲିସ୍ ଅଧିକାରୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରକାଶ, କୁକି ସମ୍ପ୍ରଦାୟ ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଆସିଥିବା ତିକ୍ତତା ତଥା ରକ୍ତାକ୍ତ ସଂଘର୍ଷ ଯୋଗୁ ମଣିପୁରରେ ସର୍ବଦା ଅଶାନ୍ତି ଏବଂ ଭୟର ବାତାବରଣ ରହିଆସିଛି । ଅନ୍ୟପକ୍ଷେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀ, ଅର୍ଦ୍ଧସାମରିକ ବଳ ଯବାନ୍‌ଙ୍କୁ ମଧ୍ୟ ଏହି ଉଗ୍ରବାଦୀମାନେ ଟାର୍ଗେଟ୍ କରୁଥିବାର ଦେଖିବାକୁ ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking