26.1 C
Bhubaneswar
Monday, October 21, 2024
Homeଓଡିଶାସମ୍ଭାବ୍ୟ ବାତ୍ୟା: ବିଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା: ବିଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

– ବିଏମ୍‌ସି ମୁଖ୍ୟାଳୟରେ ଖୋଲିଲା ୨୪ ଘଂଟିଆ କଂଟ୍ରୋଲ ରୁମ୍
– ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍‌କ୍ବାର୍ଟର ନ ଛାଡିବାକୁ ନିର୍ଦେଶ 
-ବିଭିନ୍ନ ଲାଇନ୍ ଡିପାର୍ଟମେଟ ସହ ବିଏମ୍ସର ସମନ୍ୱୟ ବୈଠକ
– ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନକୁ ଭିତିକରି ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ବିଏମ୍ସର ସମସ୍ତ ବରିଷ୍ଠ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟରନେଟର ଅଧିକାରୀ, ପୋଲିସ ଅଗ୍ନିଶମ, ସାମୁ ଅଧିକାରୀ, ଓ୍ବା, ଟିପିସିଓଡିଏଲ, ଇଡ୍‌କୋ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସମସ୍ତ ବରିଷ୍ଠ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ଓଡ୍ରାଫର ବରିଷ୍ଠ ଅଧିକାରୀ, ବ୍ଳକ ଶିକ୍ଷା ଅଧିକାରୀ, ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀ, ପରିବେଶ ଓ ଉଦ୍ୟାନ କୃଷି ବିଭାଗ ଅଧିକାରୀ, ପ୍ରମୁଖ ଉପସ୍ଥିତ ଥିଲେ । କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ସିଟି ଇଂଜିନିୟର ଶ୍ରୀ ବିଳାସ କୁମାର ବେହେରା, ଜୋନାଲ କମିଶନର କୈଳାସ ଚନ୍ଦ୍ର ଦାସ ମଂଚାସୀନ ଥିଲେ ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବାକୁ ଥିବାରୁ, ଖାଲୁଆ ତଥା ତଳି ଅଂଚଳର ଲୋକମାନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏ ସଂପର୍କରେ ସମସ୍ତ ଜୋନାଲ କମିଶନରମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି । ବିଭିନ୍ନ ବିଦ୍ୟାଳୟ ଓ କଲ୍ୟାଣ ମଣ୍ଡପରେ ହୋଇଥିବା ଆଶ୍ରୟସ୍ଥଳଗୁଡିକୁ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏବେ ବିଏମ୍‌ସିର ୭୨ଟି ବାତ୍ୟା ଆଶ୍ରୟସ୍ଥଳ ଅଛି । ସେହିସବୁ ସ୍ଥାନରେ ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତିର ପରିଚାଳନା କରିବାକୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ଅଧିକ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯିବାକୁ ମଧ୍ୟ ନିଷ୍ପତି ହୋଇଛି । ସେଠାରେ ଲୋକମାନଙ୍କ ପାଇଁ ପାଇଖାନା, ପାନୀୟଜଳ, ଜେନେରେଟର, ସୁଖିଲା ଖାଦ୍ୟ ଆଦି ମହଜୁଦ୍ କରି ରଖିବାକୁ ନିର୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳ ଅନ୍ତେବାସୀଙ୍କୁ ସୁଖିଲା ଖାଦ୍ୟ ଓ ରନ୍ଧା ଗରମ ଖାଦ୍ୟ ଦେବାକୁ ବୈଠକରେ ନିଷ୍ପତି ହୋଇଛି । ଆଶ୍ରୟସ୍ଥଳରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିବ । ଗର୍ଭବତୀମାନଙ୍କୁ ଆବଶ୍ୟକ ପଡିଲେ ଡାକ୍ତରଖାନାରେ ରଖିବାର ବ୍ୟବସ୍ଥା କରାଯାଇଛି । ସେହିପରି ସମଗ୍ର ସହରରେ ଚିହ୍ନଟ ହୋଇଥିବା ଜଳବନ୍ଦୀ ଅଂଚଳରୁ ବନ୍ୟାଜଳ ନିଷ୍କାସନ ପାଇଁ ପମ୍ପସେଟ୍ ମହଜୁଦ୍ ରଖାଯାଇଛି । ଆବଶ୍ୟକ ପଡ଼ିଲେ ଅଗ୍ନିଶମ ବିଭାଗର ପମ୍ପସେଟଗୁଡିକୁ ମଧ୍ୟ ବ୍ୟବହାର କରାଯିବ ।

ଜୋରରେ ପବନ ବହିଲେ ବଡ ବଡ ଗଛ ଭାଙ୍ଗି ଯିବାର ସମ୍ଭାବନା ରହିଛି । ତେଣୁ ଓଡ୍ରାଫ ଟିମ୍ ଆବଶ୍ୟକ ଯନ୍ତ୍ରପାତି ଓ ଉପକରଣ ସହ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ସବୁଜ ବର୍ଜ୍ୟ ଜମା କରିବା ପାଇଁ ସ୍ଥାନ ଚିହ୍ନଟ କରିବାକୁ ଜୋନାଲ କମିଶନରମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି । ସେହିପରି ବିଦ୍ୟୁତ୍ ଫୁଟ କିମ୍ବା ମୋବାଇଲ ଟାୱାର ଭାଙ୍ଗିଲେ, ତତ୍‌କ୍ଷଣାତ୍ ତାର ପୁନଃ ଉଦ୍ଧାର କରିବାକୁ କୁହାଯାଇଛି । ବିଦ୍ୟୁତ୍ ଆଲୋକର ପୁନଃଉଦ୍ଧାର ପାଇଁ ଟାଟା ପାଓ୍ବାର ସଂଟ୍ରାଲ ଓଡିଶା ବିତରଣ ଲିମିଟେଡ (ଟିପିସିଓଡିଏଲ୍)କୁ ସେମାନଙ୍କର ଯନ୍ତ୍ରପାତି ଏବଂ ଆବଶ୍ୟକ କର୍ମଚାରୀଙ୍କ ସହିତ ପ୍ରସ୍ତୁତ ରହିଥିବା ପ୍ରକାଶ କରିଛନ୍ତି । ଜରୁରୀ କାଳୀନ ପରିସ୍ଥିତିରେ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଡିଜେଲ ଜେନେରେଟର ପ୍ରସ୍ତୁତ ହୋଇ ରହିଥିବା ଟାଟା ପକ୍ଷରୁ କୁହାଯାଇଛି ।

ଆଘାତ ପ୍ରାପ୍ତ ପଶୁମାନଙ୍କୁ, ବିଭିନ୍ନ ସେଚ୍ଛାସେବୀ ସଂଗଠନ ଦ୍ବାରା ପରିଚାଳିତ ୧୦ ଅସ୍ଥାୟୀ ଆଶ୍ରୟସ୍ଥଳରେ ରଖିବା ସହ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ସବ୍ ଡିଭିଜିନାଲ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ପରିମଳ କାର୍ଯ୍ୟକୁ ସୂଚାରୁରୂପେ ସଂପାଦନ କରିବା ପାଇଁ ଆବଶ୍ୟକ ପଡିଲେ ଅଧିକ ଲୋକ ନିୟୋଜିତ କରିବା ପାଇଁ ଏଜେନ୍ସିମାନଙ୍କୁ କୁହାଯାଇଛି । ପାନୀୟ ଜଳ ଯୋଗାଣ ପାଇଁ ଓ୍ବାଟ୍‌ ପକ୍ଷରୁ ଆବଶ୍ୟକ ସିନ୍ଥେକ୍ସ ଟ୍ୟାଙ୍କ ଓ ଟ୍ୟାଙ୍କର ଜରୁରୀ କାଳୀନ ପରିସ୍ଥିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଥିବା କୁହାଯାଇଛି । ଆବଶ୍ୟକ ପଡ଼ିଲେ, ଘରୋଇ ଟ୍ୟାଙ୍କରମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଓ୍ବାଟ୍‌ ପକ୍ଷରୁ କୁହାଯାଇଛି । ସମସ୍ତ ଟାଙ୍କି ନିକଟରେ ଜେନେଟର ଓ ଡିଜେଲ ମହଜୁଦ ରଖାଯାଇଛି । ଜରୁରୀ କାଳୀନ ସହାୟତା ପାଇଁ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରେ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲା ରହିବ । ନାଗରିକମାନେ ଜରୁରୀ କାଳୀନ ସହାୟତା ପାଇଁ ୧୯୨୯ ଏବଂ ୭୮୦୯୮୯୬୬୨୧ ରେ ଫୋନ୍ କରି ଜଣାଇବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking