19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଶ୍ରୀଲଙ୍କାରେ ବ୍ୟାପକ ପୋଡାଜଳା, ସ୍ଥିତି ଅଣାୟତ୍ତ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଜରୁରୀ ପରିସ୍ଥିତି ଜାରି

ଶ୍ରୀଲଙ୍କାରେ ବ୍ୟାପକ ପୋଡାଜଳା, ସ୍ଥିତି ଅଣାୟତ୍ତ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଜରୁରୀ ପରିସ୍ଥିତି ଜାରି

କଲମ୍ବୋ : ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରିବର୍ତ୍ତେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ବୁଧବାର ଦେଶଛାଡି ମାଳଦ୍ୱୀପ ପଳାଇଛନ୍ତି । ଫଳରେ ବିଗତ କିଛିଦିନ ଧରି ତାଙ୍କର ପଳାୟନକୁ ନେଇ ଚାଲିଥିବା ଚର୍ଚ୍ଚା ଶେଷରେ ସତ୍ୟ ପ୍ରମାଣିତ ହୋଇଛି । ଘୋର ଆର୍ôଥକ ଓ ରାଜନୈତିକ ସଙ୍କଟରେ ଆଉଟୁ ପାଉଟୁ ହେଉଥିବା ଶ୍ରଲଙ୍କା ବର୍ତ୍ତମାନ ହତଲଙ୍କାରେ ପରିଣତ ହୋଇଛି । ସାଧାରଣ ଜନତାଙ୍କ ତରଫରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶିତ ହେଉଥିବାବେଳେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ହିଂସାକାଣ୍ଡରେ ଲିପ୍ତ ରହିଥିବା ଲକ୍ଷ୍ୟ କରାଯାଇଛି । ଗୋତବାୟାଙ୍କ ପ୍ରସ୍ଥାନ ପରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ଦାୟିତ୍ୱ ନେବାପରେ ବିକ୍ରମସିଂଘେ ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ।

ରାଷ୍ଟ୍ରପତି ଫେରାର ହୋଇଥିବାବେଳେ ବିକ୍ଷୋଭକାରୀଙ୍କ ସବୁ ରାଗ ବର୍ତ୍ତମାନ ବିକ୍ରମସିଂଘେଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି । କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରକୁ ପ୍ରବଳ ଟେକାପଥର ମାଡ କରିଥିବା ଜଣାପଡିଛି । ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଡାଜଳା ଘଟଣା ଦେଖିବାକୁ ମିଳିଛି । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯିବା ସହ ମୃଦୁ ଲାଠିଚାଳନା ମଧ୍ୟ କରାଯାଇଥିଲା । ବିକ୍ରମସିଂଘେ ମଧ୍ୟ ତୁରନ୍ତ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିକ୍ଷୋଭକାରୀ ଦାବି କରିଛନ୍ତି । ଅପରପକ୍ଷରେ ଶାନ୍ତି ଅବସ୍ଥା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ବିକ୍ରମସିଂଘେ ସେନା ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଗୋତବାୟା ଦେଶ ଛାଡିବାପରେ ଲୋକେ ବର୍ତ୍ତମାନ ତାଙ୍କର ପରିବାରବର୍ଗଙ୍କ ଉପରେ କଡା ନଜର ରଖିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ଓ ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷେ ଏବଂ ସେମାନଙ୍କ ପରିବାରବର୍ଗ ଯେପରି ବିଦେଶ ପଳାୟନର ସୁଯୋଗ ନପାଇବେ, ସେଥିପାଇଁ ସେମାନେ ଇମିଗ୍ରେସନ ଅଧିକାରୀଙ୍କୁ ସତର୍କ କରାଇବା ସହ କଲମ୍ବୋ ଏୟାରପୋର୍ଟ ନିକଟରେ ପଇଁତରା ମାରୁଛନ୍ତି ।

ଶ୍ରୀଲଙ୍କା ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଜଣେ ରାଷ୍ଟ୍ରପତି ଇସ୍ଫା ଦେବାର ୩ରୁ ୩୦ ଦିନ ମଧ୍ୟରେ ନୂଆ ରାଷ୍ଟ୍ରପତି ନିଯୁକ୍ତ ହେବା ଜରୁରୀ। ସୂତ୍ର ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରୀଲଙ୍କା ବାୟୁସେନାର ଏକ ଏଏନ୍‌-୩୨ ବିମାନରେ ଗୋତବାୟା, ପତ୍ନୀ ଓ ଦୁଇ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ମାଳଦ୍ୱୀପ ନିଆଯାଇଛି । ଗୋତବାୟା ଦମ୍ପତି ମାଳଦ୍ୱୀପ ରାଜଧାନୀ ମାଲେ ଏୟାରପୋର୍ଟରେ ପହଞ୍ଚିବାପରେ ସେଠାକାର ବାଚସ୍ପତି ମହମ୍ମଦ ନାସିଦ୍ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । ଗୋତବାୟା ସେଠାରୁ ସିଙ୍ଗାପୁର ଯିବାର ଯୋଜନା ରହିଥିବା ଜଣାପଡିଛି । ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇନଥିବାରୁ ମାଳଦ୍ୱୀପରେ ଗୋତବାୟାଙ୍କୁ ବିଦେଶୀ ରାଷ୍ଟ୍ରମୁଖ୍ୟଭାବେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦର୍ଶନ କରାଯାଇଥିବା କୁହାଯାଇଛି । ଗତ ଶନିବାର ରାଷ୍ଟପତି ଭବନରୁ ପଳାଇଯିବାପରେ ଗୋତବାୟା ଦେଶ ଛାଡିବାକୁ ଏକାଧିକ ଉଦ୍ୟମ କରି ବିଫଳ ହୋଇଥିଲେ । ପ୍ରଥମେ ଦୁବାଇ ଯିବାକୁ ଉଦ୍ୟମ କରିଥିବାବେଳେ କଲମ୍ବୋ ଏୟାରପୋର୍ଟରେ ଇମିଗ୍ରେସନ ଅଧିକାରୀମାନେ ତାଙ୍କ ପାସପୋର୍ଟରେ ଆବଶ୍ୟକ ମୋହର ଲଗାଇବାକୁ ସ୍ପଷ୍ଟ ମନା କରିଦେଇଥିଲେ ।

ମଙ୍ଗଳବାର ଆମେରିକା ଭିସା ଯୋଗାଡ କରିବାକୁ ଗୋତବାୟାଙ୍କ ସମସ୍ତ ଚେଷ୍ଟା ବୃଥା ପ୍ରମାଣିତ ହୋଇଥିଲା । ଅତୀତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଦାୟିତ୍ୱ ନେବା ଲାଳାସାରେ ଗୋତବାୟା ଆମେରିକାର ନାଗରିକତ୍ୱକୁ ଫେରାଇ ଦେଇଥିବାରୁ ଭିସା ମିଳିବାରେ ଅସୁବିଧା ଉପୁଜିଥିଲା । ଏହି ପରିପ୍ରେକ୍ଷୀରେ ଭାରତ ଉପରେ ଆଶା ପୋଷଣ କରିଥିଲେ ଗୋତବାୟା । ତେବେ ଶ୍ରୀଲଙ୍କା ନାଗରିକଙ୍କୁ ସମର୍ଥନ ଜଣାଇବାକୁ ଭାରତ ସରକାର ସ୍ପଷ୍ଟ କରିସାରିଥିବାରୁ ଗୋତବାୟାଙ୍କୁ ନିରାଶ ହେବାକୁ ପଡିଥିଲା । ଶେଷରେ ଶ୍ରୀଲଙ୍କା ପ୍ରତିରକ୍ଷା ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିବାପରେ ଗୋତବାୟାଙ୍କୁ ସାମରିକ ବିମାନରେ ମାଳଦ୍ୱୀପ ସ୍ଥାନାନ୍ତର କରାଯାଇଛି ।

ଗୋତବାୟାଙ୍କ ପ୍ରସ୍ଥାନ ପରେ ଶ୍ରୀଲଙ୍କାର ରାଜନୈତିକ ସଙ୍କଟ ଅଧିକ ଜଟିଳ ହୋଇପଡିଛି । ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ଜୁଲାଇ ୧୯ରେ ପାର୍ଲାମେଣ୍ଟରେ ଭୋଟଗ୍ରହଣ କରାଯିବ । ତେବେ ୬ ଜଣ ସମ୍ଭାବ୍ୟ ପ୍ରାର୍ଥୀ ଦୌଡରେ ସାମିଲ ଥିଲେ ସୁଦ୍ଧା କୌଣସି ଜଣେ ପ୍ରାର୍ଥୀଙ୍କ ପଛରେ ଆବଶ୍ୟକ ସମର୍ଥନ ନଥିବା କୁହାଯାଇଛି । ଏପରିକି ସାଂପ୍ରତିକ ସ୍ଥିତିରେ ଏମାନଙ୍କ ମଧ୍ୟରୁ କୌଣସି ପ୍ରାର୍ଥୀ ରାଷ୍ଟ୍ରପତିଭାବେ ରିସ୍କ୍ ନେବାକୁ ମଧ୍ୟ ଚାହୁଁନାହାନ୍ତି । ଅପରପକ୍ଷରେ ବିକ୍ଷୋଭକାରୀମାନେ ଏବେମଧ୍ୟ ରାଷ୍ଟ୍ରପତି ଭବନକୁ କବ୍‌ଜା କରି ରଖିଛନ୍ତି । ରାଜପକ୍ଷେ ପରିବାର ସମ୍ପୂର୍ଣ୍ଣଭାବେ କ୍ଷମତାରୁ ଯିବାପରେ ହିଁ ସେମାନେ ରାଷ୍ଟ୍ରପତି ଭବନ ଖାଲି କରିବେ ବୋଲି ବିକ୍ଷୋଭକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking