ୟାଙ୍ଗନ: ମିଆଁମାରର ୟାଙ୍ଗନ ସହରରେ ଥିବା ଏକ ଜେଲ୍ ପରିସରରେ ବୁଧବାର ଦ୍ୱୈତ ବୋମା ବିସ୍ଫୋରଣ ଘଟି ୮ ଜଣ ପ୍ରାଣ ହରାଇଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି । କଏଦୀଙ୍କ ପାଇଁ ଖାଦ୍ୟ ଆଣିଥିବା ଲୋକେ ଲାଇନରେ ଛିଡା ହୋଇଥିବାବେଳେ ବିସ୍ଫୋରଣ ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି । ତେବେ ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନର ହାତ ରହିଛି ବୋଲି ମିଆଁମାରରେ କ୍ଷମତାସୀନ ସାମରିକ ଜୁନ୍ତା ସରକାରଙ୍କ ପକ୍ଷରୁ ଦାବି କରାଯାଇଛି । ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ଅନ୍ୟ ଏକ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିବା ଜଣାପଡିଛି ।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ ବୁଧବାର ସକାଳ ୯ଟାରେ ପ୍ରଥମ ବିସ୍ଫୋରଣ ଘଟିଥିଲା । ଏହାର କିଛି ସମୟ ବ୍ୟବଧାନରେ ଆଉ ଦୁଇଟି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଜେଲ୍ କାଉଣ୍ଟରରେ ଲାଗିଥିବା କାଚ ଝରକାଗୁଡିକ ଭାଙ୍ଗିଯିବା ସହ ବିକ୍ଷିପ୍ତଭାବେ ଏଣେତେଣେ ବିଛାଡି ହୋଇଥିଲା । ବିସ୍ଫୋରଣ ପରେ ପୁଲିସ ଘଟଣାସ୍ଥଳକୁ ସିଲ୍ କରିଥିବା କୁହାଯାଇଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ସୂଚନାଯୋଗ୍ୟ ୨୦୨୧ ଫେବୃଆରୀ ୧ରେ ଅଙ୍ଗ୍ ସାନ୍ ସୁ-କୀଙ୍କ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରି ମିଆଁମାରରେ ସାମରିକ ଶାସନ ଲାଗୁ କରାଯାଇଥିଲା । ସେହିଦିନଠାରୁ ସେନା ଓ ସାଧାରଣ ଜନତାଙ୍କ ମଧ୍ୟରେ ନିୟମିତ ଗଣ୍ଡଗୋଳ ଘଟିଆସୁଛି ।