ଭାଗଲପୁର: ବିହାରର ଭାଗଲପୁରରେ ଗୁରୁବାର ରାତିରେ ବୋମା ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ଗୋଟିଏ ପରିବାରର ୫ ଜଣଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ସାମିଲ । ଏହାଛଡ଼ା ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ହସ୍ପିଟାଲ୍ରେ ସେମାନଙ୍କର ଚିକିତ୍ସା ଚାଲିଛି । ବିସ୍ଫୋରଣ ଭାଗଲପୁର ସହରର କାଜୱଲି ଛକ ଅଞ୍ଚଳରେ ଗୁରୁବାର ରାତି ସାଢ଼େ ୧୧ଟା ବେଳେ ଘଟିଥିଲା । ଏହାର ତୀବ୍ରତା ଏତେ ଥିଲା ଯେ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଥରି ଉଠିଥିଲା । ସେହିପରି ବିସ୍ଫୋରଣରେ ଚାରିଟି ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଏହି ଘଟଣାରେ ଜଣେ ଇନ୍ସପେକ୍ଟରଙ୍କୁ ସସ୍ପେଣ୍ଡ କରାଯାଇଛି । ବିସ୍ଫୋରଣ କାରଣରୁ ଆଖପାଖ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବୋମା ନିରୋଧୀ ଦଳ ଓ ଏଫ୍ଏସ୍ଏଲ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏସ୍ଡିଆର୍ଏଫ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ବିସ୍ଫୋରଣରେ ଲୀଳାବତୀଙ୍କ ସମେତ ତାଙ୍କ ପରିବାରର ପାଞ୍ଚଜଣ ସଦସ୍ୟ ଏବଂ ମହେନ୍ଦ୍ର ମଣ୍ଡଳଙ୍କ ପରିବାରର ତିନିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଆଉ ତିନିଟି ଶବର ଚିହ୍ନଟ ରାହୁଲ କୁମାର (୨୧), ଗଣେଷ ପ୍ରସାଦ ସିଂହ (୬୦) ଓ ଊର୍ମିଳା ଦେବୀ (୭୦) ଭାବେ କରାଯାଇଛି । ସମସ୍ତ ମୃତକ ଓ ଆହତ କାଜୱଲୀ ଛକ ତାତାରପୁର ଅଞ୍ଚଳର ନିବାସୀ । ଘଟଣାସ୍ଥଳରେ ଡିଆଇଜି, ଏସ୍ଏସ୍ପି, ଡିଏମ୍ ସମେତ କେତେକ ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ । ବିସ୍ଫୋରଣରେ ବିଜୁଳି ଖୁଣ୍ଟ ଓ ତାର ଧ୍ୱଂସ ପାଇଥିଲା । ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଧ୍ୱଂସାବଶେଷ ତଳୁ ପୁଲିସକୁ ୫ କେଜି ବାରୁଦ ଓ ବହୁ ସଂଖ୍ୟକ ଲୁହା କଣ୍ଟା ମିଳିଛି । କିଛିଦିନ ତଳେ ଆଇବି ଭାଗଲପୁର ପୁଲିସ୍କୁ ଏ ନେଇ ଆଲର୍ଟ କରିଥିଲା । ବିସ୍ଫୋରଣ କାରଣରୁ ୫ କିମି ପରିଧିରେ ବାସ କରୁଥିବା ପ୍ରାୟ ୧୦ ହଜାର ପରିବାର ଭୟଭୀତ ଅବସ୍ଥାରେ ସାରା ରାତି କାଟିଥିଲେ । ଘଟଣାର ତଦନ୍ତ ପାଇଁ ପାଟଣାରୁ ଏଟିଏସ୍ ଟିମ୍କୁ ଘଟଣାସ୍ଥଳକୁ ପଠାଇ ଯାଇଥିବା ବିହାର ଜିଡିପି ଏସ୍କେ ସିଂଘଲ୍ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏହା ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଫୋନ୍ରେ କଥା ହୋଇଛନ୍ତି ।