ଟାଙ୍ଗୀ : ସରକାର ଗର୍ଭବତୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରିବା ସହ ପୁଷ୍ଟିକର ଖାଦ୍ୟ ପାଇଁ ଛତୁଆ ପ୍ରଧାନ କରୁଛନ୍ତି । ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ସଫା ପଞ୍ଚୟାତର ଏସ୍ଏଚ୍ଜି ଗ୍ରୁପ୍ ବିରିମଳ ବୁଢା-୨ ଏହାର ଦାୟିତ୍ୱ ଦିଆଯାଇଛି । ହେଲେ ବାସ୍ତବ କ୍ଷେତ୍ରରେ ଏସ୍ଏଚ୍ଜି ଗ୍ରୁପ୍ ଦ୍ୱାରା ଗର୍ଭବତୀ ମହିଳାମାନଙ୍କୁ ଦିଆଯାଉଥିବା ଛତୁଆ ତାହା କେତେ ନିମ୍ନମାନର ଯେ କେହି ଦେଖିଲେ ବି ଜାଣିପାରିବେ । ଉପରିସ୍ଥ ଅଧିକାରୀ ଜାଣି ମଧ୍ୟ ମାସିକିଆ ପାଉଣା ନେଇ ଚୁପ୍ ରହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା ଟାଙ୍ଗୀ ଚୌଦ୍ୱାର ବ୍ଲକ କୋଟସାହି ପଞ୍ଚୟାତ ବନ୍ଦାଳ ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଅସିମ୍ କୁମାର ମହାନ୍ତିଙ୍କ ପତ୍ନୀ ଗର୍ଭବତୀ ଥିବାରୁ ଅଙ୍ଗନବାଡ଼ି ସୁପର ଭାଇଜରଙ୍କ ଜରିଆରେ ଏସ୍ଏଚ୍ଜି ଗ୍ରୁପ୍ ମେମ୍ବରମାନଙ୍କ ଦ୍ୱାରା ପୋକରା ବାଦାମ ଲଢୁ ସହ ଏକ୍ସପାରି ଛତୁଆ ଦିଆଯାଇଥିଲା ।
ଉକ୍ତ ଛତୁଆ ଖାଇବା ପାଇଁ ଖୋଲିବା ସମୟରେ ଉକ୍ତ ଛତୁଆରେ ଏକ୍ସପାରୀ ଯାଇସାରିଥିବା ଦେଖିବାକୁ ପାଇଥିଲେ । ଏହି ଖବର ଗ୍ରାମରେ ପ୍ରଘଟ ହେବାପରେ ଛତୁଆ ବାଣ୍ଟୁଥିବା ମେମ୍ବରରମାନେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ଅସିମ୍ଙ୍କ ବାପା ଅନନ୍ତ ମହାନ୍ତି ଅଭିଯୋଗ କରିଛନ୍ତି । ଏ ନେଇ ସିଡିପିଓ ମନୋରମା ସ୍ୱାଇଁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ମାଡାମ୍ ଫୋନ ଉଠାଇନଥିଲେ । ତେବେ ଟାଙ୍ଗୀ ଚୌଦ୍ୱାର ବ୍ଲକ୍ର ୧୨ଟି ପଞ୍ଚୟାତକୁ ଏହି ଛତୁଆ ପ୍ରଦାନ କରାଯାଇଥିବା ଜଣାଯାଇଛି । ଯଦି ଉକ୍ତ ଛତୁଆ ଖାଇ କୌଣସି ଗର୍ଭବତୀଙ୍କର ଅସୁବିଧା ହୁଏ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଉକ୍ତ ଛତୁଆ ଯୋଗାଉଥିବା ଏସ୍ଏଚ୍ଜି ଗ୍ରୁପ୍ ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।