ଲକ୍ଷ୍ନୌ : ବିମାନ ଯାତ୍ରା ସମ୍ପର୍କରେ ସଦ୍ୟ ସୂଚନା ପାଇବାକୁ ସଂପୃକ୍ତ ଏୟାରଲାଇନ୍ସର କଷ୍ଟମର କେୟାରକୁ ଫୋନ୍ କରି ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ହରାଇଥିବା ଜଣାପଡିଛି । ଅମିତ ଗୁପ୍ତା ନାମକ ଏହି ବ୍ୟକ୍ତି ଜାନୁଆରୀ ୯ରେ ବିମାନ ଯୋଗେ ମୁମ୍ବାଇରୁ ଲକ୍ଷ୍ନୌ ଫେରିବା ପାଇଁ ଟିକଟ କରିଥିଲେ । ତେବେ କୌଣସି କାରଣରୁ ଫ୍ଲାଇଟ୍ ବାତିଲ ହୋଇଥିଲା । ଏ ସମ୍ପର୍କରେ ଅଧିକ ସୂଚନା ପାଇବାକୁ ଅମିତ ଏୟାରଲାଇନ୍ସର କଷ୍ଟମର କେୟାର ନମ୍ବରକୁ ଡାଏଲ କରିଥିଲେ । ଅପରପାଶ୍ୱର୍ରୁ କୌଣସି ଉତ୍ତର ମିଳିନଥିଲା । କିଛି ସମୟପରେ ଏକ ଅଜଣା ନମ୍ବରରୁ ଅମିତଙ୍କ ନିକଟକୁ କଲ୍ ଆସିଥିଲା । ଫ୍ଲାଇଟ୍ ବାତିଲ ହୋଇଥିବାରୁ କିପରି ଭଡା ଫେରସ୍ତ ପାଇବେ, ସେ ସମ୍ପର୍କରେ ଅମିତ ଜାଣିବାକୁ ଚାହିଁଥିଲେ । ତେବେ ସାଇବର ଠକ ଜଣକ ଅମିତଙ୍କୁ ‘ଏନିଡେସ୍କ୍’ ଆପ୍ ଡାଉନଲୋଡ କରିବାକୁ କହିବା ସହ କେତେକ ବ୍ୟାଙ୍କ ତଥ୍ୟ ମାଗିଥିଲେ । ଅମିତ ସବୁ ତଥ୍ୟ ଦେବାପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧.୪୯ ଲକ୍ଷ ଟଙ୍କା ହଡପ ହୋଇଥିବା ଜଣାପଡିଥିଲା । ଅମିତ୍ ସାଇବର ଥାନାରେ ଏତଲା ଦେଇଥିବାବେଳେ ପୁଲିସ ବର୍ତ୍ତମାନ ଏହାର ତଦନ୍ତ କରୁଛି ।