ଭୁବନେଶ୍ୱର: ବିଜେବି କଲେଜ ଷ୍ଟ୍ରଙ୍ଗ୍ରୁମ୍ରେ ଗତ ୨୫ ତାରିଖରେ ଉତ୍ତେଜନା ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ବଡଗଡ ଥାନା ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାପଲ୍ଲୀ ଶାସ୍ତ୍ରୀନଗରର ସନ୍ତୋଷ କୁମାର ସାହୁ(୩୫), କେଉଟସାହି ବସ୍ତିର ବିଦ୍ୟାଧର ବେହେରା(୩୧), ନୂଆସାହିର ବିଶ୍ୱଜିତ ବଳବନ୍ତରାୟ(୨୪), ସନ୍ଦୀପ ମହାନ୍ତି(୨୬), ସାଗର ବଳବନ୍ତରାୟ(୨୯), ଦେବବ୍ରତ ମହାନ୍ତି(୨୨) । ଏମାନେ ନୟାପଲ୍ଲୀ ଅଞ୍ଚଳର ଜଣେ ସ୍ୱାଧୀନ କର୍ପୋରେଟରଙ୍କ ସମର୍ଥକ । ଗିରଫ ଅଭିଯୁକ୍ତଙ୍କ ଠାରୁ ଭଙ୍ଗା ଚେୟାର, ଟେବୁଲ, ଓ ବାଉଶ କାଠ ଜବତ ହୋଇଛି । ଏହି ଘଟଣାରେ ୫୦ଜଣଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ଚାଲିଛି । ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ବଡଗଡ ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି ।
ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ବିଜେବି କଲେଜ୍ ଷ୍ଟ୍ରଙ୍ଗ୍ରୁମ୍ରେ କିଛି ଅଜଣା ଯୁବକ ପ୍ରବେଶ କରିବାରୁ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗୋଟିଏ ରାଜନୈତିକ ଦଳର ୧୦୦ରୁ ଊର୍ଦ୍ଧ୍ୱ କର୍ମୀମାନେ କାବୁ କରି ନିସ୍ତୁକ ପିଟିଥିଲେ । ପୁଲିସ ସମ୍ପୃକ୍ତ ଯୁବକଙ୍କୁ ବଞ୍ଚାଇବାକୁ ଯାଇଥିବାବେଳେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଥିଲା । ଘଟଣାସ୍ଥଳେ ପୁଲିସ ଓ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଉକ୍ତ ରାଜନୈତିକ ଦଳର କର୍ମୀମାନେ ପୁଲିସକୁ ପାଲଟା ଆକ୍ରମଣ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଆକ୍ରମଣକାରୀମାନେ ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିବା ସହ ପୁଲିସକର୍ମୀଙ୍କ ସହିତ ଅନ୍ୟ ବିଭାଗର କର୍ମଚାରୀଙ୍କୁ ଠେଙ୍ଗା, ଲାଠି ଏବଂ ଇଟାରେ ଆକ୍ରମଣ କରିଥିଲେ । ଏଥିସହ କଲେଜର ଚେୟାର, ଟେବୁଲ ଓ ଅନ୍ୟାନ୍ୟ ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲେ । ପରେ ପୁଲିସ ବାଧ୍ୟହୋଇ ଲାଠିଚାର୍ଜ କରିବାରୁ ସବୁ ଛତ୍ରଭଙ୍ଗ ଦେଇଥିଲେ । ଏଥିରେ ନିର୍ବାଚନୀ ଡ୍ୟୁଟିରେ ଥିବା ଦୁଇଜଣ କର୍ମଚାରୀଙ୍କ ସମେତ ୫ପୁଲିସ ଆହତ ହୋଇଥିଲେ ।