ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛତ୍ରପୁର ଉପଜିଲ୍ଲାପାଳ ଥିବା ନୀଳମାଧବ ଭୋଇଙ୍କୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ସେହିଭଳି ଶେରଗଡ଼ ବିଡିଓ ଥିବା ଶମ୍ଭୁନାଥ ନନ୍ଦିଙ୍କୁ ଗଞ୍ଜାମ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ସ୍ଥାନାନ୍ତର କରାଯାଇଛି । ରଙ୍ଗେଇଲୁଣ୍ଡା ବିଡିଓ ଥିବା ପ୍ରସନ୍ନ କୁମାର ପାତ୍ରଙ୍କୁ ରାଜ୍ୟ ସରକାର ମେ’ ୨୭ ତାରିଖର ଓଏଏସ୍ ଅଦଳବଦଳ ବିଜ୍ଞପ୍ତି ବେଳେ ଗଞ୍ଜାମ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରିଥିଲେ । ହେଲେ ଏବେ ଏହି ବଦଳିକୁ ଖାରଜ କରିଦିଆଯାଇଛି । ଏହା ବଦଳରେ ସେ ଛତ୍ରପୁରର ନୂଆ ଉପଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ସମାନଭାବେ ପୂର୍ବର ବିଜ୍ଞପ୍ତିରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସଚିବ ଥିବା ସମ୍ବିତ୍ କୁମାର ରାଉତଙ୍କୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ନିଷ୍ପତ୍ତି ହୋଇଥିବା ବେଳେ ଏବେ ଏହାକୁ ଖାରଜ କରିଦିଆଯାଇଛି । ସେ ପୂର୍ବଭଳି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଭାବେ କାର୍ଯ୍ୟ କରିବେ ।