ଭୁବନେଶ୍ୱର: ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୯୯୫ ବ୍ୟାଚ୍ ଆଇଏଏସ ସୁଶୀଲ କୁମାର ଲୋହାନୀ ରାଜ୍ୟ ପଞ୍ଚାୟତିରାଜ ଓ ପାନ୍ୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶ୍ରୀ ଲୋହାନୀ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଥିସହ ଅବାକାରୀ ବିଭାଗର ସଚିବ ପଦ ମଧ୍ୟ ତାଙ୍କ ପାଖରେ ରହିଛି । ସେହିପରି ୧୯୯୩ ବ୍ୟାଚ୍ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ ସିଂହଙ୍କୁ ରାଜ୍ୟ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।
ଶ୍ରୀ ସିଂହ ଓଏମସି ଅଧ୍ୟକ୍ଷ, ଇଡକଲ ଅଧ୍ୟକ୍ଷ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ । ଶ୍ରୀ ସିଂହ ଅବକାରୀ ସଚିବ ଭାବେ ଦାୟିତ୍ୱ ନେବା ପରେ ଲୋହାନୀ ଆପେଆପେ ଏହି ପଦରୁ ଅବ୍ୟାହତ ନେଇଯିବେ । ୧୯୯୭ ବ୍ୟାଚ୍ ଆଇଏଏସ୍ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ କର ଓ ଜିଏସ୍ଟି କମିଶନ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଶ୍ରୀ ସିଂହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଦେଶ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସୂଚନାଯୋଗ୍ୟ, ଆଇଏଏସ ଅଶୋକ କୁମାର ମୀନାଙ୍କୁ ଗତ ମାସରେ କେନ୍ଦ୍ର ସରକାର ନୂଆ ଦାୟିତ୍ୱ ଦେଇଥିଲେ ।