ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ରହିଥିବା ବେଳେ ଏବେଠାରୁ ବିରୋଧୀ ଦଳ ଇଭିଏମ୍ ଏବଂ ଭିଭିପାଟ୍ରେ ତ୍ରୁଟି ରହିଥିବା ନେଇ ଏକ ପ୍ରସଙ୍ଗକୁ ରାଜନୈତିକ ଚର୍ଚ୍ଚାର ରୂପ ଦେବାକୁ ଚେଷ୍ଟା ଚଳାଇଛନ୍ତି । ବିରୋଧୀ ଦଳଙ୍କ ଅଭିଯୋଗ ଅନୁସାରେ ଯଦି ଇଭିଏମ୍ ଏବଂ ଭିଭିପାଟ୍ରେ ରହିଥିବା ତ୍ରୁଟିକୁ ସୁଧାର କରାନଯାଏ ତେବେ ବିଜେପି ସହଜରେ ୪୦୦ରୁ ଅଧିକ ଆସନ ହାତେଇବାରେ ସଫଳ ହୋଇଯିବ । ବିରୋଧୀ ଦଳଙ୍କ ପକ୍ଷରୁ ଏହି ଘଟଣାରେ ନିର୍ବାଚନ ଆୟୋଗଙ୍କ କର୍ତ୍ତବ୍ୟନିଷ୍ଠତା ଉପରେ ମଧ୍ୟ ପ୍ରଶ୍ନ କରାଯାଉଛି ।
ଏସବୁ ମଧ୍ୟରେ କଂଗ୍ରେସ ଆଣିଥିବା ଏପ୍ରକାର ଅଭିଯୋଗକୁ ଶୁକ୍ରବାର ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି । ଆୟୋଗ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ୍ ଏବଂ ଭିଭିପାଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହାର କାର୍ଯ୍ୟକାରିତା ପରୀକ୍ଷା ପ୍ରମାଣିତ । ଏହାର ବ୍ୟବହାର ଉପରେ ଆୟୋଗଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଏହାକୁ ନେଇ କୌଣସି ସନ୍ଦେହ ରହିବା ଉଚିତ୍ ନୁହେଁ । ଏତଦ୍ବ୍ୟତୀତ ଇଭିଏମ୍ ବାବଦରେ ସବୁ ଅପଡେଟ୍ ସାର୍ବଜନୀନ ଡୋମେନ୍ରେ ଉପଲବ୍ଧ ରହିଥିବା ଏବଂ ଏହାକୁ ଯେକେହି ଦେଖିପାରିବ ବୋଲି ଆୟୋଗ କହିଛନ୍ତି ।
ଆୟୋଗଙ୍କ କହିବାନୁସାରେ ଦେଶରେ ହେଉଥିବା ନିର୍ବାଚନରେ ବ୍ୟବହୃତ ଇଭିଏମ୍ ୪ଠ ବର୍ଷର ନ୍ୟାୟ ଏବଂ ନ୍ୟାୟିକ ଆଦେଶକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଥିଲା । ଇଭିଏମ୍ରେ ନୂତନ ଅପଡେଟ୍ ହୋଇଥିବା ତଥ୍ୟ, ମାନୁଆଲ, ପାୱାରପଏଣ୍ଟ ଉପସ୍ଥାପନା, ପୋଜିସନ୍ ପେପର, ଇକୋସିଷ୍ଟମ୍ର ଆଇନଗତ ସମର୍ଥନ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ନ୍ୟାୟାଳୟର ସ୍ୱୀକୃତି ସବୁକିଛି ଅନ୍ତର୍ଭୁକ୍ତ ରହିଛି । ସେହିପରି ଭିଭିପାଟ୍କୁ ଇଭିଏମ୍ ସହ ଯୋଡିବା ନିଷ୍ପତ୍ତି ୨୦୧୩ ମସିହାରେ ୟୁପିଏ ସରକାର ସମୟରେ ନିଆଯାଇଥିଲା । ଆଜି ମଧ୍ୟ ନିର୍ବାଚନ ଆୟୋଗ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି ଯେଉଁଥିରେ ଇଭିଏମ୍ ଆଉଟପୁଟ୍କୁ ୫ଟି ଭିଭିପାଟ୍ ସହିତ ମେଳ କରିବାର ବ୍ୟବସ୍ଥା ରହିଛି । ପ୍ରକାଶ, କିଛି ଦିନ ପୂର୍ବେ ଜୟରାମ ରମେଶ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗରେ ଇଣ୍ଡିଆ ମେଣ୍ଟର ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ସମୟ ମାଗିଥିଲେ । ତେବେ ତାଙ୍କ ଚିଠିର ଜବାବ ଦେବାକୁ ଯାଇ ନିର୍ବାଚନ ଆୟୋଗ ଉପରୋକ୍ତ ବିବୃତି ଦେଇଛନ୍ତି ।