କାଠମାଣ୍ଡୁ : ବିଶ୍ୱର ସର୍ବୋଚ୍ଚ ଶୃଙ୍ଗଭାବେ ମାନ୍ୟତାଲାଭ କରିଥିବା ଏଭରେଷ୍ଟ ଆରୋହଣ କରିବା ପାଇଁ ପ୍ରାୟ ସବୁ ପର୍ବତାରୋହୀ ସ୍ୱପ୍ନ ଦେଖିଥାନ୍ତି । କେତେକଙ୍କ ଭାଗ୍ୟରେ ଏହା ସଫଳ ହୋଇଥିବାବେଳେ ଆଉ କେତେକଙ୍କୁ ନିରାଶ ହେବାକୁ ପଡିଥାଏ । ତେବେ କ୍ୟାରିୟରରେ ମୋଟ ୨୬ ଥର ଏଭରେଷ୍ଟ ଆରୋହଣ କରିବା କିଛି କମ୍ କଥା ନୁହଁ । ରବିବାର ନେପାଳର ପାସାଙ୍ଗ ଦାୱା ଶେର୍ପା ୨୬ ଥର ଏଭରେଷ୍ଟ ଆରୋହଣ କରିବାର ସୌଭାଗ୍ୟଲାଭ କରିଛନ୍ତି ।
ଏଭଳି କୃତିତ୍ୱ ଅର୍ଜନ କରିବାରେ କାମି ରିଟା ଶେର୍ପାଙ୍କ ପରେ ସେ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ଗାଇଡ୍ । ଅବଶ୍ୟ ହଙ୍ଗେରୀର ଜଣେ ପର୍ବତାରୋହୀଙ୍କୁ ଏସକର୍ଟ କରିବାକୁ ଶେର୍ପା ଗାଇଡ୍ଭାବେ ଏଭରେଷ୍ଟ ଆରୋହଣ କରିଛନ୍ତି । ନେପାଳ ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ବିଦେଶୀ ପର୍ବତାରୋହୀ ସାଙ୍ଗରେ ଜଣେ ସ୍ଥାନୀୟ ଗାଇଡ୍ ନେବାକୁ ବାଧ୍ୟ ।
୧୯୫୩ରେ ସାର୍ ଏଡ୍ମଣ୍ଡ ହିଲାରୀ ଓ ଶେର୍ପା ତେନ୍ଜିଙ୍ଗ୍ ନର୍ଗେ ପ୍ରଥମ ଥର ଏଭରେଷ୍ଟ ଆରୋହଣ କରିଥିଲେ । ଏପର୍ଯ୍ୟନ୍ତ ୧୧ ହଜାର ଥର ଏଭରେଷ୍ଟ ଆରୋହଣ ଅଭିଯାନ ସଫଳ ହୋଇସାରିଛି । ଇତିମଧ୍ୟରେ ୩୨୦ ପର୍ବତାରୋହୀ ପ୍ରାଣ ମଧ୍ୟ ହରାଇଛନ୍ତି ।