ମାଲେ: ଭାରତ ସହ ଶତ୍ରୁତା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ମହଙ୍ଗା ପଡ଼ିପାରେ । ରିପୋର୍ଟ ଅନୁସାରେ ଏବେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏପରିକି ତାଙ୍କ ନିଜ ଦଳର କେତେକ ସାଂସଦ ମଧ୍ୟ ମୁଇଜୁଙ୍କ ବିରୋଧରେ ଆସିବାକୁ ଥିବା ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରିବେ ବୋଲି ଜଣାପଡ଼ିଛି । ମୁଇଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଏବଂ ଚୀନ୍ ପ୍ରତି ମାତ୍ରାଧିକ ସମର୍ଥନ ହିଁ ତାଙ୍କ ପାଇଁ ଏବେ ମୁଖ୍ୟ ସମସ୍ୟା ପାଲଟିଯାଇଛି । ପରିସ୍ଥିତି ଏପରି ହୋଇଛି ତାଙ୍କୁ ରାଷ୍ଟ୍ରପତି ଆସନରୁ ବହିଷ୍କାର କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି ।
ସୂଚନାଯୋଗ୍ୟ ମାଳଦ୍ୱୀପ ସଂସଦରେ ମୋଟ୍ ୮୭ଜଣ ସାଂସଦ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୩୪ଜଣ ସାଂସଦ ମୁଇଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯୋଜନା ଆରମ୍ଭ କରିଛନ୍ତି । ସେହିପରି ମାଳଦ୍ୱୀପରେ ଥିବା ରାଜନୈତିକ ଦଳଙ୍କ ମଧ୍ୟରେ ରାଷ୍ଟ୍ରପତି ମୁଇଜୁଙ୍କ ନେତୃତ୍ୱାଧୀନ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନ୍ସି) ଏବେ ପ୍ରୋଗ୍ରେସିଭ୍ ପାର୍ଟି ଅଫ୍ ମାଳଦ୍ୱୀପ (ପିପିଏମ୍) ସହ ମିଳିତ ମେଣ୍ଟ ସମର୍ଥନରେ ସରକାର ଗଠନ କରିଛି । ଅନ୍ୟପକ୍ଷେ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହଙ୍କ ନେତୃତ୍ୱାଧୀନ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମ୍ଡିପି) ସଂସଦରେ ସଂଖ୍ୟା ଗରିଷ୍ଠତା ସତ୍ତ୍ୱେ ଏବେ ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ ଭୂମିକା ନିର୍ବାହ କରୁଛି ।
ତେବେ ବର୍ତ୍ତମାନ ପରିସ୍ଥିତିରେ ଏମ୍ଡିପିର ସଂସଦୀୟ ଗୋଷ୍ଠୀ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏହାକୁ ପିପିଏମ୍ର ସାଂସଦ ସମର୍ଥନ ଦେଇଛନ୍ତି । ସେହିପରି ମୁଇଜୁଙ୍କ ନିଜ ଦଳ ପିଏନ୍ସିର କିଛି ସାଂସଦ ମଧ୍ୟ ଏହାକୁ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଫଳରେ ଶାସକ ମେଣ୍ଟ ପାଖରେ ସଂଖ୍ୟା ଗରିଷ୍ଠତା ନଥିବା ବିରୋଧୀ ଏମ୍ଡିପି ଦାବି କରିଛି । ସମ୍ପ୍ରତି ଏମ୍ଡିପି ଅନ୍ୟ ଏକ ବିରୋଧୀ ଦଳ ମିଳିିତ ଭାଗିଦାରୀରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଥିବା ବେଳେ ଏଥିରେ ସଫଳ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ରବିବାର ମୁଇଜୁ କ୍ୟାବିନେଟ୍ରେ ଯୋଗଦେଇଥିବା ଶାସକ ଦଳର ୪ ସଦସ୍ୟଙ୍କୁ ଅନୁମୋଦନ କରାଯିବାକୁ ନେଇ ବିରୋଧୀ ଦଳ ଏମ୍ଡିପି ପ୍ରତ୍ୟାଖ୍ୟାନ କରିବା ପରେ ଗୃହରେ ହଟ୍ଟଗୋଳ ହୋଇଥିଲା । ବିଶେଷକରି ମୁଇଜୁ ଅଲ୍ଲି ହୁସୈନ୍ ନାମକ ଜଣେ ନେତାଙ୍କୁ ଗୃହମନ୍ତ୍ରୀ ଭାବେ ମନୋନୀତ କରିଥିଲେ । ଏହାକୁ ଏମ୍ଡିପି ବିରୋଧ କରିଥିଲା । ଶାସକ ଗୋଷ୍ଠୀ ଏବଂ ବିରୋଧୀ ଦଳ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି, ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ଠିକ୍ ଦିନକ ପରେ ଅର୍ଥାତ୍ ସୋମବାର ଦିନ ରାଷ୍ଟ୍ରପତି ମୁଇଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ସୂଚନା ସାମ୍ନାକୁ ଆସିଛି ।