ବାରାଣସୀ : ବୁଧବାର ଉତ୍ତରପ୍ରଦେଶର ବାରାଣସୀସ୍ଥିତ ଜିଲ୍ଲା ଜଜ୍ କୋର୍ଟରେ ଜ୍ଞାନବାପୀ ମାମଲାର ଶୁଣାଣି ପୁଣି ଆରମ୍ଭ ହୋଇଛି । ମସଜିଦ ପରିସରରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା ଅନୁମତି ପାଇବାକୁ କେତେକ ହିନ୍ଦୁ ମହିଳା ଅଦାଲତଙ୍କ ଅନୁମତି ଲୋଡିଥିବାବେଳେ ଅଞ୍ଜୁମନ ଇନ୍ତେଜାମିଆ ମସ୍ଜିଦ କମିଟି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ସୂଚନାଯୋଗ୍ୟ ମସଜିଦ ସଂଲଗ୍ନ ଶୃଙ୍ଗାର-ଗୌରୀ ମନ୍ଦିରରେ ବର୍ଷ ତମାମ ପୂଜା କରିବା ନିମନ୍ତେ ଅନୁମତି ଦେବାକୁ ୫ଜଣ ହିନ୍ଦୁ ମହିଳା ୨୦୨୧ ଅଗଷ୍ଟରେ କୋର୍ଟରେ ପିଟିସନ ଦାଏର କରିଥିଲେ ।
ପୂଜାର୍ଚ୍ଚନା ଆଇନ, ୧୯୯୧ ଅନୁଯାୟୀ ହିନ୍ଦୁ ମହିଳାଙ୍କ ପିଟିସନ ଶୁଣାଣି ଯୋଗ୍ୟ ନୁହେଁ ବୋଲି କମିଟି ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ଅପରପକ୍ଷରେ ହିନ୍ଦୁ ମହିଳାଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜୈନ ଯୁକ୍ତି ଦର୍ଶାଇଥିଲେ ଯେ ଏହି ମାମଲା ପାଇଁ ଉପରୋକ୍ତ ଆଇନ ପ୍ରଯୁଜ୍ୟ ନୁହେଁ, ବରଂ କାଶୀ ଆଇନ ୧୯୮୩ ଅନୁଯାୟୀ ଏହାର ଶୁଣାଣି କରାଯିବା ଉଚିତ । କୋର୍ଟ ନିର୍ଦ୍ଦେଶକ୍ରମେ ଉକ୍ତ ମସଜିଦ୍ର ଭିଡିଓଗ୍ରାଫି କାର୍ଯ୍ୟ ଶେଷ ହୋଇସାରିଥିବାବେଳେ କୋର୍ଟରେ ରିପୋର୍ଟ ଦାଖଲ ହୋଇସାରିଛି ।