ଢାକା: ଚଳିତ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ପୋଛିନେଇଛି ଘରୋଇ ବାଂଲାଦେଶ । ପ୍ରଥମ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇ ସିରିଜ୍ ହାତେଇସାରିଥିବା ବାଂଲାଦେଶ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍ରେ ବିଜୟୀ ହୋଇ ପ୍ରଥମ ଥର ପାଇଁ କୌଣସି ଶୀର୍ଷ ଦେଶ ବିପକ୍ଷରେ କ୍ଲିନ୍ସୁଇପ୍ର ସଫଳତା ପାଇଛି । ଏଥିସହ ଇଂଲଣ୍ଡ ତୃତୀୟ ଥର ପାଇଁ କ୍ଲିନ୍ସୁଇପ୍ର ସମ୍ମୁଖୀନ ହୋଇଛି । ଏହା ପୂର୍ବରୁ ଦଳ ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଓ ୨୦୧୬ରେ ସାଉଥ୍ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ରେ କ୍ଲିନ୍ସୁଇପ୍ ପରି ଲଜ୍ଜାଜନକ ପରାଜୟ ବରଣ କରିଥିଲା । ମଙ୍ଗଳବାର ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ ପାଇଁ ସୁଯୋଗ ପାଇଥିବା ବାଂଲାଦେଶ ୨ ୱିକେଟ୍ ବିନିମୟରେ ୧୫୮ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ଲିଟ୍ଟନ୍ ଦାସ ଧୂଆଁଧାର ବ୍ୟାଟିଂ କରି ୭୩ ରନ୍ କରିଥିଲେ । ତାଙ୍କର ଏହି ବିସ୍ଫୋରକ ଇନିଂସରେ ୧୦ଟି ଚୌକା ସହ ଗୋଟିଏ ଛକା ସାମିଲ୍ ଥିଲା ।
ଏଥିସହ ସେ ତାଙ୍କ ଓପନିଂ ଯୋଡ଼ିଦାର ରୋନି ତାଲୁକଦାରଙ୍କ ସାଥୀରେ ପ୍ରଥମ ୱିକେଟ୍ ପାଇଁ ୫୫ ରନ୍ର ଭାଗୀଦାରୀ ମଧ୍ୟ କରିଥିଲେ । ୨୨ଟି ବଲ୍ ଖେଳି ୩ଟି ଚୌକା ମାଧ୍ୟମରେ ୨୪ ରନ୍ କରି ତାଲୁକଦାର ଆଉଟ୍ ହୋଇଥିଲେ ହେଁ ଲିଟ୍ଟନ୍ଙ୍କ ବ୍ୟାଟିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା । ସେ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ଦ୍ୱିତୀୟ ୱିକେଟ୍ରେ ନଜମୁଲ୍ ହୋସେନ୍ ଶାଣ୍ଟୋଙ୍କ ସାଥୀରେ ୮୪ ରନ୍ ଯୋଡ଼ିଥିଲେ । ଲିଟ୍ଟନ୍ ଆଉଟ୍ ହେବା ପରେ ଶାଣ୍ଟୋ ୩୬ ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ଜରିଆରେ ୪୭ ରନ୍ରେ ଅପରାଜିତ ରହିବା ସହ ଦଳୀୟ ସ୍କୋର୍କୁ ୧୫୮/୨ରେ ପହଞ୍ଚାଇଥିଲେ । ତାଙ୍କ ସହ ଅଧିନାୟକ ସାକିବ୍-ଅଲ୍-ହସନ୍ ୪ ରନ୍ କରି ଅପରାଜିତ ଥିଲେ । ଇଂଲଣ୍ଡ ପକ୍ଷରୁ ଆଦିଲ୍ ରଶିଦ୍ ଓ କ୍ରିସ୍ ଜୋର୍ଡାନ୍ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ ।
ବ୍ୟାଟିଂରେ ଦଳର କେବଳ ୪ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଓପନର ଡେୱିଡ୍ ମାଲାନ୍ ୪୭ ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ମାଧ୍ୟମରେ ସର୍ବାଧିକ ୫୩ ରନ୍ କରିଥିଲେ । ତାଙ୍କୁ ଆଉଟ୍ କରି ବାଂଲାଦେଶର ବାମହାତୀ ପେସର୍ ମୁସ୍ତାଫିଜୁର୍ ରହମାନ୍ ଅନ୍ତର୍ଜାତୀୟ ଟି-୨୦ରେ ତାଙ୍କର ଶହେତମ ୱିକେଟ୍ ପୂରଣ କରିଥିଲେ । ଏହାଛଡ଼ା ଅଧିନାୟକ ଜୋସ୍ ବଟଲର୍ ୩୧ ବଲ୍ରେ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୦ ରନ୍ କରିଥିବା ବେଳେ ଜୋର୍ଡାନ୍ ୨ଟି ଚୌକା ସହ ଅପରାଜିତ ୧୩ ଏବଂ ବେନ୍ ଡକେଟ୍ ୨ଟି ଚୌକା ମାଧ୍ୟମରେ ୧୧ ରନ୍ର ଯୋଗଦାନ ଦେଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୬ଟି ୱିକେଟ୍ ବିନିମୟରେ ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ବାଂଲାଦେଶ ପକ୍ଷରୁ ତାସକିନ୍ ଅହମ୍ମଦ ୨ଟି ଏବଂ ଡେବ୍ୟୁଟାଣ୍ଟ୍ ସ୍ପିନର୍ ତନବୀର ଇସଲାମ୍, ଅଧିନାୟକ ସାକିବ୍ ଓ ମୁସ୍ତାଫିଜୁର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଲିଟ୍ଟନ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଓ ଶାଣ୍ଟୋ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।