19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶରାଜୌରୀରେ ଏନ୍‌କାଉଣ୍ଟର : ୨ ଆତଙ୍କୀ ସଫା

ରାଜୌରୀରେ ଏନ୍‌କାଉଣ୍ଟର : ୨ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲା ଥାନାମଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନ୍‌କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ ଓ ସୁରକ୍ଷାକର୍ମୀ ଥାନାମଣ୍ଡି ବନାଞ୍ଚଳରେ ଘେରାଉ କରି ସର୍ଚ୍ଚ ଅପରେସନ୍ ଚଳାଇଥିଲେ । ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ନିକଟତର ହେବାପରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅପରେସନ ଜାରି ରହିଥିବା ଏହାର ନେତୃତ୍ୱ ନେଉଥିବା ରାଜୈରୀ ଏସ୍‌ପି ଶୀମା ନବୀ କସବା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସାମ୍ବା ଜିଲ୍ଲାର ରାଜପୁରା ସେକ୍ଟରର ସୀମା ନିକଟରେ କେତେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପାକିସ୍ତାନୀ ଡ୍ରୋନ୍‌ରୁ ଏଗୁଡ଼ିକ ପକାଯାଇଥିବା ସନ୍ଦେହ କରାଯାଉଛି ।

କାରଣ ଏହି ଅଞ୍ଚଳରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଥିଲା । ଜମ୍ମୁ ଜୋନ୍ ପୁଲିସ୍ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ସେନା ଓ ରାଜ୍ୟ ପୁଲିସର ଯବାନମାନେ ରାଜପୁରାର ସରଥିୟାନ୍ ଗ୍ରାମରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ଏହି ଅସ୍ତ୍ରଶସ୍ତ୍ର ଜବତ କରିଥିଲେ । ଏହା ମଧ୍ୟରେ ୨ଟି ପିସ୍ତଲ, ୫ ମ୍ୟାଗ୍‌ଜିନ୍‌, ୧୨୨ ରାଉଣ୍ଡ ଗୁଳି ଓ କାଗଜରେ ଗୁଡ଼ିଆ ହୋଇଥିବା ଗୋଟିଏ ପ୍ୟାକେଟ୍ ସାଇଲେନ୍ସର୍ ଅନ୍ତର୍ଭୁକ୍ତ । ଏହି ସୂଚନା ଦେଇ ଜମ୍ମୁ ଆଇଜି କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି । ସୂଚନାଯୋଗ୍ୟ ଦୁଇଦିନ ତଳେ ଜମ୍ମୁ-କଶ୍ମୀର ବାନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା । ଏହାପରେ ଜମ୍ମୁ ପୁଲିସ ସତର୍କତା ସ୍ୱରୂପ ସର୍ଚ୍ଚ ଅପରେସନ୍ ଚଳାଇଥିଲା । ଜମ୍ମୁ-କଶ୍ମୀରରେ ଧାରା ୩୭୦ ପ୍ରତ୍ୟାହାରର ୨ ବର୍ଷ ପୂର୍ତ୍ତି ଅବସରରେ ସେନା ଓ ପୁଲିସ ପକ୍ଷରୁ ସତର୍କତା ସ୍ୱରୂପ ସର୍ଚ୍ଚ ଅପେରେସନ୍ ଚାଲୁରହିଛି ।

ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିଥିବା ଧାରା ୩୭୦ ପ୍ରତ୍ୟହାରର ଗୁରୁବାର ୨ୟ ବାର୍ଷିକ ଥିଲା । ଏହି ଦିନ ଶ୍ରୀନଗର ଡାଉନ୍‌ଟାଉନ୍ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଦୁଇଟି ଜୋର୍‌ଦାର ବ୍ଲାଷ୍ଟ ହୋଇଥିଲା । ପ୍ରଥମ ବ୍ଲାଷ୍ଟ ଦିନବେଳେ ଡାଉନ୍ ଟାଉନ୍ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟଟି ସନ୍ଧ୍ୟା ସମୟରେ ବେମିନା ଅଞ୍ଚଳରେ ଥିବା ଏସ୍‌ଏସ୍‌ବି ପୋଷ୍ଟ ଉପରେ ହୋଇଥିବା କୁହାଯାଉଛି । ଏସ୍‌ଏସ୍‌ବି ପୋଷ୍ଟ ଉପରେ ଆତଙ୍କବାଦୀମାନେ ଗ୍ରେଡେନ୍ ଫିଙ୍ଗିଥିଲେ । ସ୍ଥାନୀୟ ଜାମା ମସ୍‌ଜିଦ୍ ସାମ୍ନାରେ ହୋଇଥିବା ପ୍ରଥମ ବ୍ଲାଷ୍ଟ୍ ପରେ ଆତଙ୍କୀମାନେ କେତେକ ରାଉଣ୍ଡ୍ ଗୁଳିଚାଳନା କରିଥିଲେ । ଫଳରେ ଲୋକଙ୍କ ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା । ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking