24.1 C
Bhubaneswar
Tuesday, March 24, 2026
Homeଓଡିଶାହାତୀ ମୃତ୍ୟୁ ଘଟଣା: ୩ ବନ କର୍ମଚାରୀ ନିଲମ୍ବିତ, ୩ ଗିରଫ

ହାତୀ ମୃତ୍ୟୁ ଘଟଣା: ୩ ବନ କର୍ମଚାରୀ ନିଲମ୍ବିତ, ୩ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲା ରେଢାଖୋଲ ବନଖଣ୍ଡ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଘୋଷରାମାଳ ଫରେଷ୍ଟ ସେକ୍ସନର ବୁରୋମାଳ ଜଙ୍ଗଲରୁ ସୋମବାର ସକାଳୁ ଏକ ଛୁଆହାତୀ ସହ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହି ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ବିଦ୍ୟୁତ୍‌ ତାର ବିଛାଇଥିବା ୩ ଜଣଙ୍କୁ ଗିରଫ କରାଯାଇଛି।

ଅନ୍ୟଜଣେ ଫେରାର ଥିବା ଜଣାପଡିଛି। ସୋମବାର ସକାଳୁ ବୁରୋମାଳ ଜଙ୍ଗଲ ନିକଟସ୍ଥ ଚାଷଜମିରେ ୩ ହାତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀ ପହଞ୍ଚି ୩ ମୃତଦେହ ଜବତକରି ତଦନ୍ତ କରିଥିଲେ। ଘୋଷରାମାଳ ଅଞ୍ଚଳର କେତେକ ବ୍ୟକ୍ତି ବାର୍‌ହା ଶିକାର ପାଇଁ ବୁରୋମାଳ ଜଙ୍ଗଲ ଭିତରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରୁ ତାର ଟାଣି ତଳେ ବିଛାଇଥିଲେ। ଏହା ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ହାତୀପଲ ଏହିରାସ୍ତା ଦେଇ ଯାଉଥିବା ବେଳେ ଏହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ଏକ ଛୁଆହାତୀ ସମେତ ୩ ମାଈ ହାତୀର ମୃତ୍ୟୁ ଘଟିଥିଲା।

ଖବରପାଇ ଭୁବନେଶ୍ୱରରୁ ଉପ ବନ ସଂରକ୍ଷକ ଗଜାନନ ଲାଡ଼େଙ୍କ ନେତୃତ୍ୱରେ ଏସିଏଫ୍‌ ଅରବିନ୍ଦ ମିଶ୍ର, ଇନ୍ସପେକ୍ଟର ରେଣୁବାଳା ସାହୁ ଏବଂ ବନ୍ୟପ୍ରାଣୀ ବିଭାଗର ବିକ୍ରମ ଦେବଙ୍କ ସହ ଯୁଗ୍ମ ଟାକ୍ସଫୋର୍ସ ଓ ରେଢାଖୋଲ ଡ଼ିଏଫ୍‌ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ ବେହେରା ପହଞ୍ଚି ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ବିଛା ଯାଇଥିବା କିଛି ବିଦ୍ୟୁତ୍‌ ତାର ଜବତ କରାଯାଇଛି। ଗୋଟିଏ ହାତୀ ଶରୀରରେ ବିଦ୍ୟୁତ୍‌ ସ୍ପର୍ଶ ଚିହ୍ନ ରହିଛି, ମଙ୍ଗଳବାର ସକାଳୁ ୩ ହାତୀର ବ୍ୟବଚ୍ଛେଦ କରାଯିବ ବୋଲି ଜେଟିଏଫ୍‌ ମୁଖ୍ୟ ଶ୍ରୀ ଲାଡ଼େ କହିଛନ୍ତି। ସନ୍ଦେହରେ ଘୋଷରାମାଳ ଗ୍ରାମର ୪ଜଣଙ୍କୁ ଅଟକ ରଖି ଜେରା କରାଯାଉଛି। ମା’ହାତୀର ଶବ ନିକଟରେ ଏକ ଛୁଆ ହାତୀ ବୁଲୁଥିବା ଦେଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking