କଟକ : ରାଜ୍ୟରେ ଅନିୟନ୍ତ୍ରିତ ହାତୀମୃତ୍ୟୁକୁ ରୋକିବା ପାଇଁ ଗଠିତ ପୁଲିସ ଓ ବନ ବିଭାଗର ମିଳିତ ଟାସ୍କଫୋର୍ସ (ଜେଟିଏଫ୍)ର ସଦସ୍ୟମାନେ ଭର୍ଚ୍ୟୁଆଲ ମାଧ୍ୟମରେ ଆଜି ହାଇକୋର୍ଟରେହାଜର ହୋଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କୁ ନେଇ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ଜେଟିଏଫ୍ ସଦସ୍ୟ ପ୍ରଫେସର ସୁକୁମାର ଦିଲ୍ଲୀରୁ ଭର୍ଚ୍ୟୁଆଲରେ ହାଜର ହୋଇ ହାତୀମୃତ୍ୟୁ ରୋକିବା ନିମନ୍ତେ କରାଯାଇଥିବା ଆକ୍ସନ ପ୍ଲାନ ଉପରେ ହାଇକୋର୍ଟଙ୍କୁ ସବିଶେଷ ଅବଗତ କରାଇଥିଲେ । ଡିସେମ୍ବର ଶେଷ ସୁଦ୍ଧା ଏହି ଆକ୍ସନପ୍ଲାନ୍ ହାଇକୋର୍ଟରେ ଦାଖଲ ନିମନ୍ତେ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ଜେଟିଏଫ୍ରେ ୨ ଜଣ ନୂତନ ସଦସ୍ୟ ପରିବେଶବିତ୍ ବିଶ୍ୱଜିତ ମହାନ୍ତି ଓ ପ୍ରାଣୀପ୍ରେମୀ ଶୁଭେନ୍ଦୁ ବିଶ୍ୱାଳଙ୍କୁ ସାମିଲ କରିବା ପାଇଁ ଅଦାଲତ ପରାମର୍ଶ ଦେଇଥିଲେ । ବିଦ୍ୟୁତ ଆଘାତ ଜନିତ ହାତୀମୃତ୍ୟୁ ରୋକିବା ଦିଗରେ ରେଳ ବିଭାଗ ଓ ବିଦ୍ୟୁତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଗୁରୁତ୍ୱାରୋପ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଆକ୍ସନପ୍ଲାନରେ ଖୋଲା ବିଦ୍ୟୁତ୍ତାର ବଦଳାଇ କେବୁଲ କରାଯିବା ନିମନ୍ତେ ଯୋଜନା ରହିଥିବା ଜେଟିଏଫ୍ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି ।
ପରବର୍ତ୍ତି ଶୁଣାଣି ପାଇଁ ଅଦାଲତ ଜାନୁୟାରୀ ୧୮କୁ ଦିନ ଧାର୍ଯ୍ୟ କରିଛନ୍ତି । ସୂଚନା ଯୋଗ୍ୟ ଯେ,ଜଏଣ୍ଟ ଟାସ୍କଫୋର୍ସର ଆଗାମୀ କାର୍ଯ୍ୟାବଳୀ ସମ୍ପର୍କିତ ସତ୍ୟପାଠ ଗତ ଶୁକ୍ରବାର ହାଇକୋର୍ଟରେ ଦାଖଲ ହୋଇଛି । ପୁଲିସ ଅତିରିକ୍ତ ଏସ୍ପି ତଥା ଜଏଣ୍ଟ ଟାସ୍କଫୋର୍ସ ସଦସ୍ୟ ଜତୀନ୍ଦ୍ର କୁମାର ପଣ୍ଡା ଏବଂ ଚେୟାରମ୍ୟାନ ତଥା କନଭେନର ଡ.ମନୋଜ ଭି ନାୟରଙ୍କ ପକ୍ଷରୁ ପୃଥକ ଭାବେ ସତ୍ୟପାଠ ଦାଖଲ ଜରିଆରେ ହାଇକୋର୍ଟଙ୍କୁ ହାତୀମୃତ୍ୟୁ ସଂକ୍ରାନ୍ତରେ ରହିଥିବା ଯୋଜନା ବାବଦରେ ଅବଗତ କରାଇଛନ୍ତି । ଆବେଦନକାରୀ ଗୀତା ରାଉତଙ୍କ ପକ୍ଷରୁ ଅଇନଜୀବୀ ଆଶିଷ ମିଶ୍ର ମାମଲା ପରିଚାଳନା କରୁଛନ୍ତି ।