19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଖର୍ଗେଙ୍କ ଭୋଟିଂ ହାର ବିସଙ୍ଗତି ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ପ୍ରତ୍ୟାଖ୍ୟାନ; ଭିତ୍ତିହୀନ, ବିଭ୍ରାନ୍ତିକର: ଇସିଆଇ

ଖର୍ଗେଙ୍କ ଭୋଟିଂ ହାର ବିସଙ୍ଗତି ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ପ୍ରତ୍ୟାଖ୍ୟାନ; ଭିତ୍ତିହୀନ, ବିଭ୍ରାନ୍ତିକର: ଇସିଆଇ

ନୂଆଦିଲ୍ଲୀ:  କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଦେଶରେ ଭୋଟିଂ ହାର ବିସଙ୍ଗତି ଦେଖାଦେଇଥିବା ଏବଂ ଏହାକୁ ନେଇ କେନ୍ଦ୍ର ନିର୍ବାଚନ ଆୟୋଗ ଆଦୌ ସଚେତନ ନଥିବା ଅଭିଯୋଗ କରିବା ପରେ ନିର୍ବାଚନ ଆୟୋଗ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛି । ଖର୍ଗେଙ୍କ ଏପ୍ରକାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବାକୁ ଆଗେଇ ଆସିଛନ୍ତି ନିର୍ବାଚନ ଆୟୋଗ । ଶୁକ୍ରବାର କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏନେଇ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁସାରେ କଂଗ୍ରେସ ଅଧ୍ୟକ୍ଷଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ବିଭ୍ରାନ୍ତିକର । ଏଥିରେ କୌଣସି ସତ୍ୟତା ନାହିଁ । କେବଳ ଦେଶବାସୀଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଏପ୍ରକାର ଉଦ୍ଦେଶ୍ୟମୂଳକ ମନ୍ତବ୍ୟ ଦିଆଯାଇଛି । ଦ୍ୱନ୍ଦ୍ୱଯୁକ୍ତ, ବିଭ୍ରାନ୍ତିମୂଳକ ଅଭିଯୋଗ ଆଧାରରେ ଦେଶରେ ଚାଲିଥିବା ମୁକ୍ତ ଏବଂ ଅବାଧ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ।
ଆୟୋଗ ନିଜ ସ୍ପଷ୍ଟୀକରଣରେ କହିଛନ୍ତି, ମତଦାନ ଦିନର ଭୋଟିଂ ହାର ପରବର୍ତ୍ତୀ ସମୟରେ ବୃଦ୍ଧି ପାଇବାର ଅନେକ ନଜିର ରହିଛି । କାରଣ ଭୋଟଦାନର ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ମଧ୍ୟ ଅନେକ ବୁଥ୍‌ରେ ଲୋକମାନେ ଧାଡ଼ିରେ ଛିଡ଼ା ହୋଇଥାଆନ୍ତି ଏବଂ ପରବର୍ତ୍ତୀ ଅବସ୍ଥାରେ ସେସବୁ ସ୍ଥାନରୁ ମଧ୍ୟ ଭୋଟ୍ ହାର ମିଶାଇ ଯାଇ ତଥ୍ୟ ଜାରି କରାଯାଏ । ଏସବୁକୁ ନବୁଝି କଂଗ୍ରେସ ଅଧ୍ୟକ୍ଷ ଅଯଥା ଅଭିଯୋଗ କରୁଛନ୍ତି । ଏପରି କଂଗ୍ରେସ ସଭାପତି ଜାଣିଶୁଣି ଏକ ପକ୍ଷପାତିତା ପୂର୍ଣ୍ଣ ଚିନ୍ତାଧାରା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି । ଏହା ଦ୍ୱନ୍ଦ୍ୱ ଓ ଅଶାନ୍ତି ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।
ପ୍ରକାଶ, ଖର୍ଗେ, ବିରୋଧୀ ଇଣ୍ଡିଆ ମେଣ୍ଟର ସମସ୍ତ ଅଂଶୀଦାର ଦଳଗୁଡ଼ିକୁ ଚିଠି ଲେଖି ଅବଗତ କରାଇଥିଲେ ଯେ, ଭୋଟିଂ ପ୍ରକ୍ରିୟା ଶେଷ ହେବା ମାତ୍ରେ ନିର୍ବାଚନ କମିଶନ ମତଦାନ ହାରର ତଥ୍ୟ ଜାରି କରିବା କଥା । ଏହା ହିଁ ନିର୍ବାଚନୀ ନିୟମ । କିନ୍ତୁ ଗତ ୩ଟି ନିର୍ବାଚନ ପର୍ଯ୍ୟାୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସଠିକ୍ ମତଦାନ ହାର ସମ୍ପର୍କରେ ଘୋଷଣା କରାଯାଉନଥିବା ଦେଖିବାକୁ ମିଳୁଛି । ଚିଠିରେ ଖର୍ଗେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟ୍ ଗ୍ରହଣ ଶେଷ ହେବାର ନିର୍ଦ୍ଧାରିତ ସମୟ ସୁଦ୍ଧା ମତଦାନ ହାର ଘୋଷଣା କରାଯିବା ପରିବର୍ତ୍ତେ ଯଥେଷ୍ଟ ବିଳମ୍ବରେ ଘୋଷଣା କରାଯାଉଛି । ଖର୍ଗେ, ଇଣ୍ଡିଆ ମେଣ୍ଟର ସଦସ୍ୟମାନଙ୍କୁ ଲେଖିଥିବା ଚିଠିରେ ଭୋଟ୍ ଗ୍ରହଣ ଦିନ ଭୋଟିଂ ହାର ଯେତିକି ଥିଲା ପରବର୍ତ୍ତୀ ଅବସ୍ଥାରେ ଏହାକୁ ବୃଦ୍ଧି କରି ଦେଖାଯିବା ନେଇ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଅନୁଷ୍ଠିତ ହୋଇସାରିଥିବା ୩ଟି ଯାକ ନିର୍ବାଚନୀ ପର୍ଯ୍ୟାୟରେ ପ୍ରଥମେ ନିର୍ବାଚନ ଆୟୋଗ ଯେତିକି % ଭୋଟ୍ ହୋଇଥିବା ଦର୍ଶାଉଛନ୍ତି, ପରେ ଏଥିରେ ୫.୫%ରୁ ୫.୭୪% ଅଧିକ ଭୋଟିଂ ହୋଇଥିବା ଇସି ତଥ୍ୟ ଦେଉଛନ୍ତି ବୋଲି ଖର୍ଗେ ଅଭିଯୋଗ କରିଥିଲେ । ତେବେ ଏହା ନିର୍ବାଚନ କମିଶନଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରୁଛି ଏବଂ ଭାରତୀୟ ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଏବେ ସବୁଠାରୁ ନିମ୍ନ ସ୍ତରରେ ରହିଥିବା ଖର୍ଗେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking