18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଆତିଶୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌; ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ

ଆତିଶୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌; ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିକଟରେ ବିଜେପି ପକ୍ଷରୁ ତାଙ୍କୁ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଛାଡି ବିଜେପିରେ ମିଶିବାକୁ ଅଫର୍ ଦିଆଯାଇଥିବା ଭଳି ସଂଗୀନ ଅଭିଯୋଗ କରିଥିଲେ ଆପ୍ ନେତ୍ରୀ ତଥା ଦିଲ୍ଲୀ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ଆତିଶୀ ମାର୍ଲେନା । ଏପରିକି ଯଦି ସେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ନ ହୁଅନ୍ତି ତେବେ ତାଙ୍କୁ ମଧ୍ୟ କେଜ୍ରିୱାଲ୍‌ଙ୍କ ଭଳି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାସକ ମଧ୍ୟରେ ଗିରଫ ହୋଇ ଜେଲ୍ ଯିବାକୁ ହେବ ବୋଲି କୁଆଡେ ବିଜେପି ଧମକ ଦେଇଥିଲା । ତେବେ ଆତିଶୀଙ୍କ ଏହି ବୟାନ୍ ଯୋଗୁ ଏବେ ତାଙ୍କ ଉପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମୁଡ୍‌କୁ ଆସିଥିବା ଅନୁମାନ କରାଯାଉଛି । ଶୁକ୍ରବାର ଆତିଶୀଙ୍କୁ ତାଙ୍କର ଅଭିଯୋଗ ଉପରେ ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି କରାଯାଇଛି । ଆସନ୍ତାକାଲି ଅର୍ଥାତ୍ ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ରୂପେ ଏହାର ଜବାବ ଦେବାକୁ ଏବଂ ବିଜେପି ବିରୋଧରେ ଆଣିଥିବା ଅଭିଯୋଗ ଉପରେ ପ୍ରମାଣ ଦେବାକୁ ନିର୍ବାଚନ କମିଶନର ଆତିଶୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଫଳ ହେଲେ ଆତିଶୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଭଳି ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ନିର୍ବାଚନ ଆୟୋଗ ଆଜି ସ୍ପଷ୍ଟ କରିଛନ୍ତି ।
ପ୍ରକାଶ, ଗତ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଆତିଶୀ କହିଥିଲେ ଯେ, ଆପ୍ ଛାଡି ସେମାନଙ୍କ ଦଳ (ବିଜେପି)ରେ ମିଶିଯିବା ପାଇଁ ତାଙ୍କୁ ଏବଂ ତାଙ୍କ ଦଳର ଅନ୍ୟ କିଛି ନେତାମାନଙ୍କୁ ବାରମ୍ବାର ବିଜେପି ନେତାମାନେ ପ୍ରବର୍ତ୍ତାଇବାରେ ଲାଗିଛନ୍ତି । ଆପ୍‌ର ଭବିଷ୍ୟତ ଅନ୍ଧକାର, ଏଠାରେ ରହିବା ଦ୍ୱାରା ସେମାନେ ନିଜ ରାଜନୈତିକ କ୍ୟାରିଅରକୁ ସୁରକ୍ଷିତ କରିପାରିବେନି । ସୁତରାଂ ସେମାନେ ବିଜେପିକୁ ଚାଲିଆସନ୍ତୁ ନଚେତ୍ ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ତାଙ୍କର ଜଣେ ନିକଟତମ ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ବିଜେପି ତାଙ୍କ ଉପରେ ବାରମ୍ବାର ମାନସିକ ଚାପ ପ୍ରୟୋଗ କରୁଥିବା ଆତିଶୀ ଅଭିଯୋଗ କରିଥିଲେ । ଏପରିକି ଆପ୍‌ର କେଉଁ କେଉଁ ନେତାମାନଙ୍କୁ ବିଜେପି ନିଜ ପକ୍ଷକୁ ନେବାକୁ ଚାହୁଁଛି ସେମାନଙ୍କ ନାମ ମଧ୍ୟ ଆତିଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ତେବେ ବିଜେପି ପକ୍ଷରୁ କିନ୍ତୁ ଏପ୍ରକାର ଅଭିଯୋଗକୁ ଖଣ୍ଡନ କରାଯାଇଥିଲା ଏବଂ ବିଜେପିରେ ଆତିଶୀଙ୍କ ପାଇଁ କୌଣସି ଭାକାନ୍‌ସି ବା ଖାଲି ସ୍ଥାନ ନାହିଁ ବୋଲି ଆକ୍ଷେପ କରାଯାଇଥିଲା । ବିଜେପି ଆତିଶୀଙ୍କ ବିରୋଧରେ ଏକ ମାନହାନୀ ମୋକଦ୍ଦମା ରୁଜୁ ମଧ୍ୟ କରିଛି । ଏଥିସହ କେଜ୍ରିୱାଲ୍‌ଙ୍କ ଗିରଫଦାରୀ ପରେ ଆପ୍ ଏବେ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଦଳୀୟ ନେତାମାନେ ଏପ୍ରକାର ମୂଲ୍ୟହୀନ, ବିଭ୍ରାନ୍ତିମୂଳକ ଅଭିଯୋଗ କରୁଥିବା ଦିଲ୍ଲୀ ବିଜେପି ମୁଖ୍ୟ ସଫେଇ ଦେଇଥିଲେ । ଏଥିସହ ଆତିଶୀଙ୍କ ଏପ୍ରକାର ଅଭିଯୋଗ ବିରୋଧରେ ବିଜେପି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲା ଏବଂ ଘଟଣାର ତଦନ୍ତ ଦାବି କରିଥିଲା ।
ଅନ୍ୟପକ୍ଷେ ଏପ୍ରକାର ନୋଟିସ୍ ପାଇବା ପରେ ପରେ ଆତିଶୀ ନିଜ ଟ୍ୱିଟର ଆକାଉଣ୍ଟରେ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ସମ୍ପର୍କରେ ପ୍ରଥମେ ଦେଶର ଟେଲିଭିଜନ୍ ନ୍ୟୁଜ୍ ଚ୍ୟାନେଲ୍‌ଗୁଡ଼ିକରେ ଖବର ପ୍ରସାରଣ କରାଯାଇଥିଲା । ଏହାର ପ୍ରାୟ ଅଧଘଣ୍ଟା ପରେ ତାଙ୍କୁ ଏହି ନୋଟିସ୍ ମିଳିଥିଲା । ଅର୍ଥାତ୍ ନିର୍ବାଚନ ଆୟୋଗ ପ୍ରଥମେ ଗଣମାଧ୍ୟମରେ ଏସମ୍ପର୍କରେ ସମ୍ବାଦ ଦେଇଥିଲେ ଏବଂ ପରେ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା । ତେବେ ନିର୍ବାଚନ କମିଶନ ମଧ୍ୟ କ’ଣ ଏବେ ବିଜେପିର ଏକ ଶାଖା ସଂସ୍ଥା ଭାବେ କାମ କରୁଛି କି ବୋଲି ଆତିଶୀ ସିଧାସଳଖ ପ୍ରଶ୍ନ କରିଛନ୍ତି । ଏପରିକି ଯଦି ନିର୍ବାଚନ କମିଶନ ଦେଶରେ ଏକ ମୁକ୍ତ ଏବଂ ସ୍ୱଚ୍ଛ ନିର୍ବାଚନ କରୁନାହାନ୍ତି ତେବେ ଇତିହାସ ନିର୍ବାଚନ ଆୟୋଗଙ୍କୁ ଖରାପ ଭାବେ ମନେ ରଖିବ ବୋଲି ଆତିଶୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking