ନୂଆଦିଲ୍ଲୀ : କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାରଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ସମନ ଜାରି କରିଛି । ଶୁକ୍ରବାର ଇଡି ମୁଖ୍ୟାଳୟରେ ହାଜର ହେବାକୁ ଏହି ସମନରେ ନିର୍ଦ୍ଦେଶ ରହିଛି । ତେବେ ଆସନ୍ତାକାଲି ଶିବକୁମାର ଇଡି ଅଫିସ୍ରେ ହାଜର ହେବେ କି ନାହିଁ ତାହା ଜଣାପଡ଼ିନାହିଁ ।
ସୂଚନାଯୋଗ୍ୟ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ପୂର୍ବରୁ ଶିବକୁମାରଙ୍କ ନାମରେ ଏଫ୍ଆଇଆର୍ ରୁଜୁ କରିଥିବା ସିବିଆଇ ବୁଧବାର କନକପୁରା, ଡୋଡୁଲହଲ୍ଲୀ, ସଣ୍ଟେ କୋଡିହଲ୍ଲୀସ୍ଥିତ ସମ୍ପତ୍ତି ପରିଦର୍ଶନ କରିବା ସହ ସମ୍ବନ୍ଧିତ ଡକ୍ୟୁମେଣ୍ଟ୍ର ଭେରିଫିକେସନ୍ କରିଥିଲା । ଏହି ଅବସରରେ ସିବିଆଇ ଟିମ୍ ସହିତ କନକପୁରା ତହସିଲଦାର ଏବଂ ପୁଲିସ ମଧ୍ୟ ଉପସ୍ଥିତ ରହିଥିଲେ । ଶିବ କୁମାରଙ୍କୁ ଇଡି ସମନ ଜାରିକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ଜନସମର୍ଥନ ମିଳୁଥିବାରୁ ଏଥିରେ ବିଚଳିତ ହୋଇ ବିଜେପି କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସମନ ଜାରି କରାଉଛି ବୋଲି ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି ।