ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଡି଼ଶାର ବହୁ ଚର୍ଚ୍ଚିତ ଗୋଲ୍ଡେନ ବାବା । କାହିଁକିନା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ୧ .୫୩ କୋଟି ସମ୍ପତ୍ତିକୁ ଆଟାଚ୍ କରିଛି ଇଡି । ଏହି ସମ୍ପତି ମଧ୍ୟରେ ରହିଛି କୋଟି କୋଟି ଟଙ୍କାର ବ୍ୟାଙ୍କ୍ ବାଲାନ୍ସ ସହ ଘର ଓ ଦାମୀ ଗାଡି଼। କମ୍ ସୁଧରେ ବଡ ବଡ ବ୍ୟବସାୟୀଙ୍କୁ ବାବା ଋଣ ଦେବା କହି ସେମାନଙ୍କୁ ଚୁନ ଲଗାଉଥିଲେ । ଆଉ ସେହି କଳା ଟଙ୍କାରେ ବାବା ଅଏସ କରୁଥିଲେ। ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିଛୁ ଯେ, ଗୋଲ୍ଡେନ ବାବାଙ୍କ ମୂଳ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ବର ନିଳାନ୍ଦ୍ରୀ ବିହାରରେ ଏକ ଆଲିସାନ୍ ବଙ୍ଗଳାରେ ରହୁଥିଲେ।
ସୂଚନା ଅନୁଯାୟୀ, କେନ୍ଦୁଝର ବଡ଼ବିଲର ଜଣେ ବ୍ୟବସାୟୀଙ୍କୁ ୧୧୦ କୋଟିର ଟଙ୍କାର ଫାଇନାସ୍ କରାଇ ଦେବା କହି ଗୋଲ୍ଡେନ ବାବା ୧୧ଟି ଚେକ୍ ନେଇଥିବାର ଅଭିଯୋଗ ରହିଥିଲା। ଚେକ୍ ତାରିଖ ୨୦୨୮ ଥିଲା ହେଲେ ତାକୁ ବଦଳାଇ ୨୦୧୮ ତାରିଖ କରି ୧୨ କୋଟିର ଜାଲିଆତି କରିଥିବା ଅଭିଯୋଗ ନେଇ ୨୦୧୯ ଜାନୁଆରୀ ୧ ରେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ଗିରଫ କରିଥିଲା । ପରେ ୨୦୧୯ରେ ଇଡି଼ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତେବେ, ଏହା ପୂର୍ବରୁ ଗୋଲ୍ଡେନ ବାବାଙ୍କ ୨୫ ଲକ୍ଷ ଟଙ୍କାର ଫ୍ରିଜ୍ ମଧ୍ୟ ଜବତ ହୋଇଥିଲା। ଏବଂ ଅଡି଼ ଗାଡି଼ ମଧ୍ୟ ଜବତ ହୋଇଥିଲା। ସେ ଅଧିକାଂଶ ସମୟରେ ମହଣ ମହଣ ସୁନା ପିନ୍ଧୁଥିବାରୁ ତାଙ୍କୁ ଗୋଲଡେନ୍ ବାବା ବୋଲି ଲୋକେ ଡାକନ୍ତି।