ଭୁବନେଶ୍ୱର : ମିଥ୍ୟା ତଥ୍ୟର କଳଙ୍କିତ ଦସ୍ତାବିଜ ହେଉଛି ଗତ କାଲି ଉପସ୍ଥାପିତ ହୋଇଥିବା ୨୦୨୨-୨୩ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଦ୍ଧ ସତ୍ୟ, ଗୋଲାପୀ ସ୍ୱପ୍ନ ଆଧାରିତ ଏହି ରିପୋର୍ଟରେ ଅନେକ ବିଫଳତାକୁ ଲୁଚାଇଛନ୍ତି ରାଜ୍ୟ ସରକାର । ଆସନ୍ତା ଫେବୃଆରୀ ୨୮ ତାରିଖରେ ଜାତୀୟ ଆୟ ୨୦୨୨-୨୩ର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ ପାଇବାକୁ ଥିବାବେଳେ ରାଜ୍ୟ ସରକାର ତରବର ଭାବେ ପ୍ରଥମ ଅଗ୍ରୀମ ଆକାଳନକୁ ଭିତି କରି ରାଜ୍ୟର ଅଭିବୃଦ୍ଧି ହାର ପ୍ରକାଶ କରିବା ଆଦୈା ଗ୍ରହଣୀୟ ନୁହେଁ । ସେହିପରି ନିଜ ଅଭିବୃଦ୍ଧି ହାର ଓ ମୁଣ୍ଡ ପିଛା ଆୟର ତୁଳନା ଅନ୍ୟାନ୍ୟ ତୁଳନୀୟ ରାଜ୍ୟମାନଙ୍କ ସହିତ ନକରି ସମଗ୍ର ଦେଶର ଅଭିବୃଦ୍ଧି ହାର ଓ ମୁଣ୍ଡ ପିଛା ଆୟ ସହିତ ତୁଳନା କରିବା ହାତ୍ସ୍ୟାସ୍ପଦ ।
ନିଜକୁ ସୁହାଇବା ପାଇଁ ମୁଣ୍ଡ ପିଛା ଆୟର ଆକଳନକୁ ପୁନଃପୈାନିକ ବାର୍ଷିକ ଅଭିବୃଦ୍ଧି (ସିଏଜିଆର୍) ମାପଦଣ୍ଡ ବ୍ୟବହାର କଲାବେଳେ ଅଭିବୃ୍ଦ୍ଧି ହାରକୁ ସରଳ ବାର୍ଷିକ ହାର ପଦ୍ଧତି ବ୍ୟବହାର କରିବା ଏକ ବୈାଦ୍ଧିକ ଶଠତାର ପରିଚୟ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ରିଜର୍ଭ ବ୍ୟାଂକର ତଥ୍ୟ ଅନୁଯାୟୀ ଆର୍ଥକ ବର୍ଷ ୨୦୧୨ ଓ ୨୦୨୧ ମଧ୍ୟରେ ଓଡିଶାର ସିଏଜିଆର୍ ୫.୭୩ ପ୍ରତିଶତ ଥିବାବେଳେ ଗୁଜୁରାଟ, କର୍ଣ୍ଣାଟକ, ହରିୟାନା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁ ରାଜ୍ୟ ତଳେ ଓଡିଶାର ସ୍ଥାନ ରହିଛି । ଅପେକ୍ଷାକୃତ ବୃହତ ରାଜ୍ୟମାନଙ୍କର ଅର୍ଥନୀତିଠାରୁ କମ୍ ଅଭିବୃଦ୍ଧି ହାସଲ ରାଜ୍ୟ ସରକାରଙ୍କ ପାରିବା ପଣିଆର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ବୈଶ୍ୱିକ ଅର୍ଥନୀତି ମାନ୍ଦାବସ୍ଥା କାରଣରୁ ଭାରତର ୨୦୨୧-୨୨ର ୮.୭ ପ୍ରତିଶତ ଅଭିବୃଦ୍ଧି ହାର ୨୦୨୨-୨୩ ରେ ୭ ପ୍ରତିଶତକୁ ଖସି ଆସିବାର ଆକଳନ କରାଯାଉଛି । ଏହି ସମୟରେ ଓଡିଶାର ଅଭିବୃଦ୍ଧି ହାର ୧୧.୫ ପ୍ରତିଶତରୁ ଖସି ଆସି ୭.୮ ପ୍ରତିଶତ ହେବା ରାଜ୍ୟର ସଂଗୀନ ଆର୍ଥୀକ ପରିଚାଳନାର ସୁଚନା ଦେଉଛି । ଏହି ଅର୍ଥନୀତି ସର୍ଭେରେ ଭାରତର ମୁଣ୍ଡ ପିଛା ଆୟ ୧ଲକ୍ଷ ୭୦ ହଜାର ୬୨୦ ଟଙ୍କା ଥିବାର ମିଥ୍ୟା ଉଲ୍ଲେଖ କରାଯାଇଛି । ବାସ୍ତବରେ ଏହି ଆୟର ପରିମାଣ ୧ଲକ୍ଷ ୯୭ ହଜାର ଟଙ୍କା ଅଟେ ।
ମୁଣ୍ଡ ପିଛା ଆୟର ସର୍ବଭାରତୀୟ ଅଭିବୃଦ୍ଧି ହାର ୯.୪ ପ୍ରତିଶତ ଥିବାବେଳେ ରାଜ୍ୟ ପାଇଁ ଏହି ହାର ୧୦.୯ ପ୍ରତିଶତ ବୋଲି ଦାବୀ କରାଯାଇଛି । ଅଭିବୃଦ୍ଧିର ଏହି ତାରତମ୍ୟ ନେଇ ଗତି କଲେ ମଧ୍ୟ ଦେଶର ମୁଣ୍ଡ ପିଛା ଆୟ ସହିତ ସମକକ୍ଷ ହେବା ପାଇଁ ଓଡିଶାକୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ ପଡିବ । ଭବିଷ୍ୟତ ପିଢୀ ପାଇଁ ଏହା ରାଜ୍ୟ ସରକାରଙ୍କର କେଉଁ ପ୍ରକାରର ଉପହାର ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ସୁଚାଙ୍କ (ମଲ୍ଟି ଡାଇମେନସନାଲ୍ ପଭର୍ଟି ଇଣ୍ଡେକ୍ସ) ହିସାବରେ ଭାରତ ଜନସଂଖ୍ୟାର ୨୫.୦୧ ପ୍ରତିଶତ ଦରିଦ୍ର ଥିଲାବେଳେ ଓଡିଶାରେ ଏହା ୨୯.୩୫ ପ୍ରତିଶତ ରହିଛି । ସେ ଦୃଷ୍ଟିକୋଣରୁ ୨୮ଟି ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ୨୦ରେ ଅଛି । ଏହି ଦର୍ପଣରେ ରାଜ୍ୟ ସରକାର ନିଜ ଚେହେରାକୁ ଭଲ ଭାବେ ଥରେ ଦେଖି ନେବା ଉଚିତ୍ ବୋଲି ଶ୍ରୀ ପଣ୍ଡା ପରାମର୍ଶ ଦେଇଛନ୍ତି । ଏହି ଅର୍ଥନୌତିକ ସର୍ଭେରେ କୃଷି ଓ କୃଷକର ବିକାଶ ନିମନ୍ତେ ଅନେକ ଗୋଲାପୀ ଚିଠା ଓ ସୁଦୃଶ୍ୟ ସରଣୀ ଓ ସ୍ତମ୍ଭର ଅବତାରଣା କରିଛନ୍ତି ରାଜ୍ୟ ସରକାର ।
ଅଥଚ ଗତ ୮ ବର୍ଷ ମଧ୍ୟରେ ଓଡିଶାର ପ୍ରତ୍ୟେକ ଚାଷୀ ମୁଣ୍ଡରେ ଋଣଭାର ୬ଲକ୍ଷ ୩୯ ହଜାର ଟଙ୍କାରୁ ବୃଦ୍ଧି ପାଇ ୧୬ଲକ୍ଷ ୫୦ ହଜାର ଟଙ୍କାକୁ ପହଂଚିଲାଣି । ମାତ୍ର ସେ ସମୟ ମଧ୍ୟରେ ଚାଷୀର ଆୟ ବଢିଛି ମାତ୍ର ୩ ପ୍ରତିଶତ । ରାଜ୍ୟର ୨୪ ଶତକଡା ଚାଷୀ ବ୍ୟାଂକ ଏବଂ ଅନ୍ୟାନ୍ୟ ସଂଗଠିତ ଆର୍ଥିକ ସଂସ୍ଥାରୁ ଋଣ କରୁଥିବାବେଳେ ଅବଶିଷ୍ଟ ଚାଷୀ ସାହୁକାରଙ୍କଠାରୁ ୩୦ ରୁ ୫୦ ପ୍ରତିଶତ ହାର ସୁଧରେ ଋଣ କରିବା ପାଇଁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାରଙ୍କ ନିକଟରେ କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର ତଥ୍ୟ ନାହିଁ । ମେକ୍ ଇନ୍ ଓଡିଶା କନକ୍ଲେଭ ରାଜ୍ୟର ଶିଳ୍ପ ଅଭିବୃଦ୍ଧିର ପରିଚାୟକ ନହୋଇ ଏକ ପ୍ରହସନରେ ପରିଣତ ହୋଇଛି । ନା ଆସୁଛି ପ୍ରତିଶୃତି ମୁତାବକ ପୁଞ୍ଜି ନା ମିଳୁଛି ଆକଳନ କରାଯାଉଥିବା ନିଯୁକ୍ତି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ କଥା ନକହିଲେ ଭଲ । ୨୦୦୬-୦୭ ରୁ ୨୦୨୨-୨୩ ମଧ୍ୟରେ ୧୫୩୧୫ ଶିଳ୍ପ ସଂସ୍ଥାରେ ତାଲା ପଡିଛି । ୧୨୯୯୫୦ ଜଣ ଛଟେଇ ହୋଇଛନ୍ତି । ଆର୍ସେନଲ ମିତଲ ଓ ପସ୍କୋ ଭଳି ବୃହତ ପ୍ରକଳ୍ପ ଏନ୍ତୁଡିଶାଳରେ ପ୍ରାଣ ହରାଇଛନ୍ତି ।
୧୦ ହଜାର ଜନସଂଖ୍ୟ ପାଇଁ ସରକାରୀ ଡାକ୍ତରଖାନାରେ ଶଯ୍ୟା, ଜଳସେଚିତ ଜମି, ବିଦ୍ୟାଳୟ ସଂଖ୍ୟା, ସଡକ ସାନ୍ଧ୍ରତା ତଥା ମୁଣ୍ଡ ପିଛା ବିଦ୍ୟୁତ ଉପଲବ୍ଧି ଏ ରାଜ୍ୟର ରୁଗ୍ଣ ଭିତିଭୁମିକୁ ଦର୍ଶାଉଛି । ଭିତିଭୁମି ସୁଚ୍ୟଙ୍କରେ ୧୭ଟି ବୃହତ ରାଜ୍ୟ ମଧ୍ୟରୁ ଓଡିଶାର ସ୍ଥାନ ତଳ ଆଡୁ ଲଜ୍ଜାଜନକ ଭାବେ ତୃତୀୟ ସ୍ଥାନରେ ରହିଛି । ସେହିପରି ୫ମ ଏନଏଫ୍ଏଚ୍ଏସ୍ର ତଥ୍ୟ ଅନୁସାରେ ଓଡିଶାର ୩୧ ପ୍ରତିଶତ ଶିଶୁ ବୟସାନୁସାରେ ଉଚ୍ଚତା ହାସଲ କରନ୍ତି ନାହିଁ । ୧୮ ପ୍ରତିଶତ ଶିଶୁ କମ୍ ଓଜନର । ୬୬ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର । ସବୁଠାରୁ ସାଂଘାତି ଘଟଣା ୨୦୧୫-୧୬ରେ ୧୫ ରୁ ୧୯ ବର୍ଷ ବୟସର ବାଳିକାଙ୍କ ମଧ୍ୟରୁ ୫୧ ପ୍ରତିଶତ ବାଳିକାଙ୍କର ଓଜନ କମ୍ ଥିବାବେଳେ ୨୦୨୦-୨୧ ରେ ତାହା ବୃଦ୍ଧି ପାଇଁ ୬୫.୫ ପ୍ରତିଶତରେ ପହଂଚିଛି । ଅଥଚ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅର୍ଥନୈତିକ ସର୍ଭେରେ ଏକ ସୁନ୍ଦର ସ୍ୱପ୍ନର ଦୁନିଆକୁ ଦେଖାଇଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଏବଂ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ ଅର୍ପିତା ଅପରାଜିତା ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ ।